ଜାକର୍ତ୍ତା ଏସୀୟ କ୍ରୀଡ଼ା : ଭାରତକୁ ଆଉ ୨ଟି  ସ୍ୱର୍ଣ୍ଣ

0

ଜାକର୍ତ୍ତା : ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଗୁରୁବାର ଭାରତ ଆଉ ୨ଟି  ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛି। ଏସୀୟ କ୍ରୀଡ଼ା-୨୦୧୮ର ଦ୍ବାଦଶ ଦିନରେ ଭାରତ ଆଥଲେଟିକ୍ସରେ ୨ଟି  ସ୍ୱର୍ଣ୍ଣ ପଦକ ସମେତ ମୋଟ୍ ୫ଟି ପଦକ ବିଜୟୀ ​‌ହୋ​‌ଇଛି।

ଜିନସନ୍ ଜନସନ୍ ପୁରୁଷ ୧୫୦୦ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ମହିଳା ଦଳ ୪ ଗୁଣା ୪୦୦ ମିଟର ଦୌଡରେ ଭାରତ ପାଇଁ କ୍ରମାଗତ ୫ମ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

କେରଳର ଆଥ୍‍ଲେଟ ଜିନ୍‍ସନ ଜନ୍‍ସନ ୩ ମିନିଟ ୪୪.୭୨ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନରେ ରହି ଭାରତକୁ ୧୨ଶ ସ୍ୱର୍ଣ୍ଣପଦକ ଜିତାଇଛନ୍ତି। ରେସ୍‍କୁ ଆରମ୍ଭରୁ ୨୭ ବର୍ଷ ବୟସ୍କ ଜିନ୍‍ସନ ନିୟନ୍ତ୍ରଣରେ ରଖି ପାରିଥିଲେ ଏବଂ ପ୍ରଥମ ଫିନିସ୍‍ ଲାଇନ୍‍ ପାର କରିଥିଲେ। ଇରାନ୍‍ର ଆମିର ମୋରାଦି ୩ ମିନିଟ ୪୫.୬୨ ସେକେଣ୍ଡ ସମୟ ନେଇ ୨ୟ ସ୍ଥାନରେ ରହି ରୌପ୍ୟପଦକ ଜିତି ପାରିଥିଲେ। ବାହାରେନ୍‍ର ମହମ୍ମଦ୍‍ ତିଓୱାଲି ୩ ମିନିଟ ୪୫.୮୮ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ୍‍ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଭାଗ ନେଇଥିବା ଭାରତର ଅନ୍ୟ ଧାବକ ମନ୍‍ଜିତ ସିଂହ ଅଳ୍ପକେ ପଦକରୁ ବଞ୍ଚିତ ହୋଇ ୩ ମିନିଟ ୪୬.୫୭ ସେକେଣ୍ଡ ସମୟ ନେଇ ୪ର୍ଥ ସ୍ଥାନରେ ରହିଥିଲେ। ସୂଚନାଯୋଗ୍ୟ; ୪୦୦ ମିଟର ଦୌଡ଼ ଫାଇନାଲରେ ଜିନ୍‍ସନ ଫେଭରିଟ୍‍ ଥିଲେ ହେଁ ସମସ୍ତଙ୍କୁ ଚକିତକରି ମନ୍‍ଜିତ ସିଂହ ସ୍ୱର୍ଣ୍ଣପଦକ ଜିତି ପାରିଥିଲେ। ସୂଚନାଯୋଗ୍ୟ; ଏକ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଏହା ଜିନ୍‍ସନ ଜନ୍‍ସନଙ୍କର ପ୍ରଥମ ସ୍ୱର୍ଣ୍ଣପଦକ। ଏହାପୂର୍ବରୁ ଏସୀୟ ଦୌଡ଼କୁଦ ଚମ୍ପିଆନ୍‍ସିପ୍‍ରେ ଜିନ୍‍ସନ ୨ଟି ରୌପ୍ୟପଦକ ଜିତିଥିଲେ ହେଁ ଉଭୟ ପଦକ ତାଙ୍କୁ ୮୦୦ ମିଟରରୁ ମିଳିଥିଲା।

ମହିଳା ୪ ଗୁଣା ୪୦୦ ମିଟର ଦୌଡ଼ ରିଲେରେ ଭାରତ ସ୍ୱର୍ଣ୍ଣପଦକ ପାଇଁ ଫେଭରିଟ୍‍ ଥିବା ବେଳେ ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ସ୍ୱର୍ଣ୍ଣପଦକ ଜିତିପାରିଛି। ହିମା ଦାସ, ସବିତାବେନ୍‍ ଗାଏକ୍ୱାଡ୍‍, ଏମ୍‍.ଆର୍‍. ପୁବାମ୍ମା ଓ ଭି.କେ. ବିସ୍ମୟାଙ୍କୁ ନେଇ ଗଠିତ ଭାରତୀୟ ଦଳ ୩ ମିନିଟ ୨୮.୭୨ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନରେ ରହିଥିଲେ।
ସୂଚନାଯୋଗ୍ୟ; ୪ ଗୁଣା ୪୦୦ ମହିଳା ରିଲେ ରେସ୍‍ରେ କ୍ରମାଗତ ୫ମ ଏସୀୟ କ୍ରୀଡ଼ାରେ ଭାରତ ସ୍ୱର୍ଣ୍ଣପଦକ ଜିତିପାରିଛି। ଏହି ଇଭେଣ୍ଟର ଫାଇନାଲରେ ଭାରତକୁ ବାହାରେନ୍‍ ଦଳ କଡ଼ା ମୁକାବିଲା ଦେବ ବୋଲି ଅନୁମାନ କରା ଯାଉଥିଲା। ମୁଖ୍ୟତଃ ଆଫ୍ରିକୀୟ ବଂଶଜ ଧାବିକାଙ୍କୁ ନେଇ ଗଠିତ ବାହାରେନ୍‍ ଦଳ ୩ ମିନିଟ ୩୦.୬୧ ସେକେଣ୍ଡ ସମୟ ନେଇ ୨ୟ ସ୍ଥାନରେ ରହି ରୌପ୍ୟପଦକ ଜିତିଛି। ଚୀନ୍‍ ଦଳକୁ ଅଳ୍ପକେ ପଛରେ ପକାଇ ଭିଏତ୍‍ନାମ ଦଳ ୩ ମିନିଟ ୩୩.୨୩ ସେକେଣ୍ଡ ସମୟ ନେଇ ୩ୟ ହେବା ସହ ବ୍ରୋଞ୍ଜ୍‍ପଦକ ଜିତିପାରିଛି। ଭାରତୀୟ ଦଳ ଏହି ରିଲେରେ ସ୍ୱର୍ଣ୍ଣପଦକ ଜିତିବା ସହ ଦେଶର ଉଦୀୟମାନ ଧାବିକା ହିମା ଦାସ ଚଳିତ ଏସୀୟ କ୍ରୀଡ଼ାରେ ୩ୟ ପଦକ ଜିତି ପାରିଛନ୍ତି। ହିମା ମହିଳା ୪୦୦ ମିଟର ଦୌଡ଼ ଓ ମିଶ୍ରିତ ୪୦୦ ମିଟର ରିଲେ ରେସ୍‍ରେ ରୌପ୍ୟପଦକ ଜିତିଥିଲେ। ପୁଣି ଚଳିତ ଏସୀୟ କ୍ରୀଡ଼ାରେ ଏମ୍‍.ଆର୍‍. ପୁବାମ୍ମାଙ୍କ ଏହା ୨ୟ ପଦକ। ପୁବାମା ମିଶ୍ରିତ ୪୦୦ ମିଟର ରିଲେ ରେସ୍‍ରେ ରୌପ୍ୟପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟା ଥିଲେ।

ସେହିପରି ପି.ୟୁ ଚିତ୍ରା ୧୫୦୦ମିଟର ଦୌଡରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଅନ୍ୟ ପକ୍ଷରେ ପୁରୁଷ ୪ ଗୁଣା ୪୦୦ ମିଟର ରିଲେ ଦୌଡରେ ଭାରତ ରୌପ୍ୟ ପଦକ ହାସଲ କରିଛନ୍ତି। ଡିସକସ୍ ଥ୍ରୋ ରେ ସୀମା ପୁନିଆ ବ୍ରୋଞ୍ଜ ପଦକ ଜିତିଛନ୍ତି।

ମହିଳା ଡିସ୍‍କସ ଥ୍ରୋରେ ସୀମା ପୁନିଆ ସ୍ୱର୍ଣ୍ଣପଦକ ପାଇଁ ଅନ୍ୟତମ ଫେଭରିଟ୍‍ ଥିଲେ। ତେବେ ୩୫ ବର୍ଷ ବୟସ୍କା ସୋନିପତ୍‍ର ଏହି ଆଥ୍‍ଲେଟ୍‍ଙ୍କୁ ୩ୟ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। ଚୀନ୍‍ର ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସୀମା କଡ଼ା ମୁକାବିଲା ଦେଇଥିଲେ ହେଁ ପଛରେ ପଡ଼ି ଯାଇଥିଲେ। ସୀମା ତାଙ୍କ ୩ୟ ପ୍ରୟାସରେ ୬୨.୨୬ ଦୂରକୁ ଡିସ୍‍କସ୍‍ ଫିଙ୍ଗିଥିଲେ। ତାଙ୍କ ୨ଟି ପ୍ରୟାସ ଫାଉଲ ହୋଇଥିବା ବେଳେ ଏଥିରେ ସୀମା ଆଉ ଉନ୍ନତି କରି ପାରିନଥିଲେ। ଶେଷ ୨ଟି ପ୍ରୟାସରୁ ସୀମା ୬୧.୨୮ ମିଟର ଓ ୬୧.୧୮ ମିଟର ଦୂରତା ହାସଲ କରି ପାରିଥିଲେ। ଚୀନ୍‍ର ୟାଙ୍ଗ୍‍ ଚେନ୍‍ ୬୫.୧୨ ମିଟର ଦୂରତା ହାସଲକରି ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ତାଙ୍କ ଦେଶର ବିନ୍‍ ଫେଙ୍ଗ୍‍ ୬୪.୨୫ ମିଟର ଦୂରତା ସହ ରୌପ୍ୟପଦକ ଜିତିଥିଲେ। ଏହି ମୁକାବିଲାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ୟାଙ୍ଗ୍‍ ଚେନ୍‍ ଆଗରେ ରହିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ଏହାକୁ ବଜାୟ ରଖିଥିଲେ। ସୂଚନାଯୋଗ୍ୟ; ହରିୟାଣାର ସୀମା ପୁନିଆ ୨୦୧୪ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୩ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ୍‍ ପଦକ ଜିତିଛନ୍ତି।
ମହିଳା ୧୫୦୦ ମିଟର ଦୌଡ଼ରେ ଭାରତର ପି.ୟୁ. ଚିତ୍ରା ବ୍ରୋଞ୍ଜ୍‍ପଦକ ଜିତି ପାରିଛନ୍ତି। କେରଳର ଏହି ଆଥ୍‍ଲେଟ୍‍ ଗୁରୁବାର ଅନୁଷ୍ଠିତ ଫାଇନାଲରେ ୪ ମିନିଟ ୧୨.୫୬ ସେକେଣ୍ଡ ସମୟ ନେଇ ୩ୟ ସ୍ଥାନରେ ରହି ବ୍ରୋଞ୍ଜ୍‍ପଦକ ଜିତି ପାରିଛନ୍ତି। ଏହି ଇଭେଣ୍ଟରେ ବାହାରେନ୍‍ ସ୍ୱର୍ଣ୍ଣ ଓ ରୌପ୍ୟପଦକ ଜିତିପାରିଛି। ବାହାରେନ୍‍ର କାଲ୍‍କିଦାନ୍‍ ବେଫ୍‍କାଡ଼ୁ ୪ ମିନିଟ ୦୭.୮୮ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣପଦକ ଜିତିଛନ୍ତି। ତାଙ୍କଦେଶର ଟିଜିଷ୍ଟ ବିଲେ ୪ ମିନିଟ ୦୯.୧୨ ସେକେଣ୍ଡ ସମୟ ନେଇ ରୌପ୍ୟପଦକ ଜିତିଛନ୍ତି। ୨୩ ବର୍ଷ ବୟସ୍କା ପି.ୟୁ. ଚିତ୍ରା ଗତବର୍ଷ ଭୁବନେଶ୍ୱରରେ ଆୟୋଜିତ ଏସୀୟ ଦୌଡ଼କୁଦ ଚମ୍ପିଆନ୍‍ସିପ୍‍ରେ ସ୍ୱର୍ଣ୍ଣପଦକ ଜିତି ପାରିଥିଲେ।

୪ ଗୁଣା ୪୦୦ ମିଟର ଦୌଡ଼ ରିଲେରେ ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣପଦକକ ଜିତିଥିବା ବେଳେ ୪ ଗୁଣା ୪୦୦ ମିଟର ଦୌଡ଼ ରିଲେରେ ଭାରତୀୟ ପୁରୁଷ ଦଳକୁ ରୌପ୍ୟପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। କୁହ୍‍ନୁ ମହମ୍ମଦ, ମହମ୍ମଦ ଅନାସ୍‍ ୟାହିୟା, ଧାରୁନ୍‍ ଆୟାସ୍ୱାମୀ ଓ ରାଜୀବ ଆରୋକିଆଙ୍କୁ ନେଇ ଗଠିତ ଭାରତୀୟ ୪ ଗୁଣା ୪୦୦ ମିଟର ଦୌଡ଼ ରିଲେ ଦଳ ଗୁରୁବାର ଫାଇନାଲରେ ୨ୟ ସ୍ଥାନରେ ରହି ରୌପ୍ୟପଦକ ଜିତିଛି। ଭାରତୀୟ ଦଳ ୩ ମିନିଟ ୦୧.୮୫ ସେକେଣ୍ଡ ସମୟ ନେଇ ରୌପ୍ୟପଦକ ଜିତିଥିବା ବେଳେ ୩ ମିନିଟ ୦୦.୫୬ ସେକେଣ୍ଡ ସମୟ ନେଇ କାତାର ଦଳ ସ୍ୱର୍ଣ୍ଣପଦକ ଜିତିପାରିଛି। ଭାରତୀୟ ଦଳକୁ କଡ଼ା ଟକ୍କର ଦେଇଥିବା ଜାପାନ ଦଳ ୩ ମିନିଟ ୦୧.୯୪ ସେକେଣ୍ଡ ସମୟ ନେଇ ୩ୟ ସ୍ଥାନରେ ରହି ବ୍ରୋଞ୍ଜ୍‍ପଦକ ଜିତିପାରିଛି। ଚଳିତ ଏସୀୟ କ୍ରୀଡ଼ାରେ ଏହା ମହମ୍ମଦ ଅନାସ୍‍ଙ୍କର ୩ୟ ପଦକ। ପୂର୍ବରୁ ସେ ୪୦୦ ମିଟର ଦୌଡ଼ରେ ଏବଂ ୪ ଗୁଣା ୪୦୦ ମିଶ୍ରିତ ରିଲେ ରେସ୍‍ରେ ରୌପ୍ୟପଦକ ଜିତିଥିଲେ। ସେହିପରି ରାଜୀବ ଆରୋକିଆ ଉଭୟ ୪୦୦ ମିଟର ରିଲେ ଓ ୪୦୦ ମିଟର ମିଶ୍ରିତ ରିଲେରେ ରୌପ୍ୟପଦକ ଜିତି ପାରିଛନ୍ତି। ପୁଣି ଧାରୁନ୍‍ ଆୟାସ୍ୱାମୀ ପୁରୁଷ ୪୦୦ ମିଟର ହର୍ଡଲ୍‍ସରେ ରୌପ୍ୟପଦକ ଜିତିଥିବା ବେଳେ ଏହାକୁ ମିଶାଇ ଚଳିତ କ୍ରୀଡ଼ାରେ ୨ୟ ପଦକ ଜିତି ପାରିଛନ୍ତି।

ଗୁରୁବାର ସୁଦ୍ଧା ଭାରତ ୧୩ ଟି ସ୍ୱର୍ଣ୍ଣ, ୨୧ଟି ରୌପ୍ୟ ଏବଂ ୨୫ଟି ବ୍ରୋଞ୍ଜ ପଦକ ସହିତ ମୋଟ ୫୯ଟି ପଦକ ଜିତି ପଦକ ତାଲିକାର ୮ମ ସ୍ଥାନରେ ରହିଛି।

Leave A Reply