ଉତ୍ତରାଖଣ୍ଡରେ ୧୨ ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର

ବାୟୁସେନା ପକ୍ଷରୁ ବଡଧରଣର ତଲାସି ଅଭିଯାନ ଜାରି

ଡେରାଡୁନ: ଉତ୍ତରାଖଣ୍ଡରେ ଏପର୍ଯ୍ୟନ୍ତ ୧୨ ଜଣ ପର୍ବତାରୋହୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବାବେଳେ ଆଉ ଅନେକ ନିଖୋଜ ଅଛନ୍ତି । ଭାରତୀୟ ବାୟୁସେନା ପକ୍ଷରୁ ପର୍ବତାରୋହୀଙ୍କୁ ଖୋଜିବାକୁ ବଡଧରଣର ତଲାସି ଓ ଉଦ୍ଧାର ଅଭିଯାନ ହାତକୁ ନିଆଯାଇଛି । ଉଦ୍ଧାର ହୋଇଥିବା ମୃତଦେହ ମଧ୍ୟରେ ଦିଲ୍ଲୀର ଜଣେ ମହିଳା ପର୍ବତାରୋହୀ ଏବଂ ପଶ୍ଚିମବଙ୍ଗର ୯ ଜଣ ପୁରୁଷ ପର୍ବତାରୋହୀ ରହିଥିବା ଜଣାଯାଇଛି । ଉତ୍ତରାଖଣ୍ଡ ପୁଲିସ ମହାନିର୍ଦ୍ଦେଶକ ଅଶୋକ କୁମାର କହିଛନ୍ତି ଯେ ହର୍ସିଲରୁ ୧୧ ଜଣ ପର୍ବତାରୋହୀ ନିଖୋଜ ହୋଇଥିାବାବେଳେ ୭ ଜଣଙ୍କର ମୃତଦେହ ମିଳିଛି ଏବଂ ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଅନ୍ୟ ଦୁଇଜଣଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସୂଚନା ମିଳିନାହିଁ । ସେହିଭଳି ଲାମଖାଗା ପାସ୍‍ ନିକଟରେ ନିଖୋଜ ହୋଇଯାଇଥିବା ଅନ୍ୟ ଏକ ୧୧ ଜଣିଆ ଦଳ ମଧ୍ୟରୁ ୫ ଜଣଙ୍କର ମୃତଦେହ ମିଳିଛି । ଏହି ମୃତଦେହଗୁଡିକ ପ୍ରାୟ ୧୬୫୦୦ ଫୁଟ ଉଚ୍ଚତାରେ ମିଳିଥିଲା । ପ୍ରତିକୂଳ ପାଗ ପରିସ୍ଥିତି ମଧ୍ୟରେ ଭାରତୀୟ ବାୟୁସେନା ତାହାର ଉଦ୍ଧାର ଓ ତଲାସି ଅଭିଯାନକୁ ଜାରି ରଖିଛି ।

Comments are closed.