ଚାନ୍ଦିଲି ବନ୍ଧର ଜଳଧାରଣ କ୍ଷମତାକୁ ୧୯୨.୦୦ ମିଟର ସ୍ତରକୁ ବଢାଇବାକୁ ପ୍ରସ୍ତାବ

ସୁବର୍ଣ୍ଣରେଖା ବହୁମୂଖୀ ପ୍ରକଳ୍ପର ଆନ୍ତଃରାଜ୍ୟ ସମସ୍ୟା ସମାଧାନ ସମ୍ପର୍କିତ ଏକାଦଶତମ ଗାଲୁଡ଼ିହି ମିଳିତ ପ୍ରକଳ୍ପ କାର୍ଯ୍ୟକାରୀ କମିଟି ବୈଠକ

ଭୁବନେଶ୍ୱର: ସୁବର୍ଣ୍ଣରେଖା ବହୁମୂଖୀ ପ୍ରକଳ୍ପର ବିଭିନ୍ନ ଆନ୍ତଃରାଜ୍ୟ ସମସ୍ୟା ସମାଧାନ ନେଇ ଏକାଦଶତମ ଗାଲୁଡ଼ିହି ମିଳିତ ପ୍ରକଳ୍ପର କାର୍ଯ୍ୟକାରୀ କମିଟି ବୈଠକ ଆଜି ପୂର୍ବାହ୍ନରେ ରାଜ୍ୟ ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଏବଂ ଝାଡଖଣ୍ଡ ଜଳସମ୍ପଦ ବିଭାଗ ସଚିବ ପ୍ରଶାନ୍ତ କୁମାର ଉଭୟ ପକ୍ଷର ଯନ୍ତ୍ରୀ ପ୍ରତିନିଧି ଓ ଅନ୍ୟ ପ୍ରତିନିଧି ଉକ୍ତ ବୈଠକରେ ଅଂଶ ଗ୍ରହଣ କରିଥଲେ। ଗାଲୁଡ଼ିହି ମିଳିତ ପ୍ରକଳ୍ପର ବିଭିନ୍ନ ପ୍ରସଙ୍ଗର ଅଗ୍ରଗତି ନେଇ ବୈଠକରେ ସମୀକ୍ଷା ଓ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏହି ବୈଠକରେ ଓଡିଶାର ଉଦ୍ଦେଶ୍ୟ ଓ ଗୁରୁତ୍ବ ବହନ କରୁଥିବା ପ୍ରକଳ୍ପ କାର୍ଯ୍ୟର କ୍ରିୟାଶୀଳତା ଏବଂ ସଫଳ ରୂପାୟନ ନିମନ୍ତେ ଝାଡଖଣ୍ଡ ପ୍ରତିନିଧି ମାନଙ୍କୁ ଅବଗତ କରଯାଇଥିଲା ।

ଉକ୍ତ ପ୍ରସଙ୍ଗ ଗୁଡିକ ମଧ୍ୟରେ ପ୍ରଥମତଃ ଚାନ୍ଦିଲି ବନ୍ଧର ଜଳଧାରଣ କ୍ଷମତାକୁ ୧୯୨.୦୦ ମିଟର ସ୍ତରକୁ ବଢାଇ ଚୁକ୍ତି ମୁତାବକ ଓଡିଶାର ଜଳବଣ୍ଟନ ଅଂଶକୁ ରବି ଋତୁରେ ଲୋକମାନଙ୍କ ପାଇଁ ଜଳସେଚନ ସୁବିଧା ଯୋଗାଇଦେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଚାନ୍ଦିଲି ବନ୍ଧର ଜଳଧାରଣ କ୍ଷମତା ବୃଦ୍ଧି ହେଲେ ସୁବର୍ଣ୍ଣରେଖା ନଦୀରେ ଆସୁଥିବା ବନ୍ୟା ପ୍ରଶମନ ଓ ନିୟନ୍ତ୍ରଣ କରାଯିବା ସହ ବାଲେଶ୍ବର ଜିଲାର ତଳ ଓ ନଦୀକୂଳ ଅଞ୍ଚଳର ଲୋକମାନଙ୍କୁ ବନ୍ୟା ପ୍ରଭାବଜନିତ କ୍ଷୟକ୍ଷତିରୁ ରକ୍ଷା କରାଯାଇ ପାରିବ। ସେହିପରି ବନ୍ଦ ହୋଇଥିବା ‘ଇଚ୍ଚା’ ବନ୍ଧ ନିର୍ମାଣ କାର୍ୟ୍ୟର ପୁନରାରମ୍ଭ କରି ସମୟାନୁସାରେ ଶେଷ କରାକଲେ ଓଡିଶାର ସୁବର୍ଣ୍ଣରେଖା ପ୍ରକଳ୍ପ ସେଚାଞ୍ଚଳରେ ରବି ଓ ଖରିଫ ଫସଲ ପାଇଁ ଜଳସେଚନ ସୁବିଧାକୁ ନିଶ୍ଚିତ କରାଯାଇପାରିବ ବୋଲି ଝାରଖଣ୍ଡ ସରକାରଙ୍କୁ ମଧ୍ୟ ଅବଗତ କରାଯାଇଥିଲା।

Comments are closed.