କାଳିନ୍ଦୀ ଚରଣ ଥିଲେ ସବୁଜ ସାହିତ୍ୟର ଶ୍ରେଷ୍ଠ ବିନ୍ଧାଣୀ

ସାହିତ୍ୟିକ କାଳିନ୍ଦୀ ଚରଣ ଥିଲେ ସବୁଜ ସାହିତ୍ୟର ଶ୍ରେଷ୍ଠ ବିନ୍ଧାଣୀ। ଫକୀରମୋହନଙ୍କ ପରେ ଓଡ଼ିଆ ସାହିତ୍ୟକୁ ନୂତନ ଦିଗଦର୍ଶନ ଦେବା କ୍ଷେତ୍ରରେ ଯେଉଁ ସାହିତ୍ୟିକମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରେ କାଳିନ୍ଦୀ ଚରଣ ଅନ୍ୟତମ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ସାହିତ୍ୟିକ ସହଦେଵ ସାହୁ। ଆଜି କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ସଂସଦ ପରିସରରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ସବୁଜ ଯୁଗର ପ୍ରଥିତଯଶା ସାହିତ୍ୟିକ ତଥା ସଂସଦର ପ୍ରଥମ ସଭାପତି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ୧୧୯ତମ ଜୟନ୍ତୀ ପାଳନ ଅବସରରେ ରାଜ୍ୟର ବିଶିଷ୍ଟ ସାହିତ୍ୟିକମାନେ ଯୋଗଦେଇ କାଳିନ୍ଦୀ ଚରଣଙ୍କ ସାହିତ୍ୟିକ କୃତି ଓ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ। ସମସ୍ତ କୋଭିଡ ନିୟମ ମୁତାବକ ଏହି ଜୟନ୍ତୀ ପାଳନ କରାଯାଇଥିଲା।

ସଂସଦର ପ୍ରତିଷ୍ଠାତା ଓ ସଭାପତି ଡଃ (ଇଂ) ପ୍ରଭାକର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ସହଦେଵ ସାହୁ ଓ ମୁଖ୍ୟବକ୍ତା ଭାବେ ଡଃ ବୈଷ୍ଣବ ଚରଣ ସାମଲ ଯୋଗ ଦେଇଥିଲେ। ସେ ଏକାଧାରରେ ଜଣେ କବି, ଔପନ୍ୟାସିକ, ନାଟ୍ୟକାର, ଗାଳ୍ପିକ, ପ୍ରାବନ୍ଧିକ ଓ ଶିଶୁ ସାହିତ୍ୟିକ ଥିଲେ ଓ ତାଙ୍କ ଦ୍ୱାରା ରଚିତ ଉପନ୍ୟାସ ଲୁହର ମଣିଷ, ଆଜିର ମଣିଷ, ମୁକ୍ତାଗଡ଼ର କ୍ଷୁଧା, ଅପରିଚିତା ଓ ମାଟିର ମଣିଷ କାଳଜୟୀ ସାହିତ୍ୟ କୃତି ବୋଲି ଡଃ ସାମଲ କହିଥିଲେ। ସଂସଦର ସମ୍ପାଦକ ପ୍ରଫେସର ଡାକ୍ତର ନିରଞ୍ଜନ ତ୍ରିପାଠୀ କାଳିନ୍ଦୀ ଚରଣଙ୍କ ବିଭିନ୍ନ ସାହିତ୍ୟ କୃତି ସମ୍ପର୍କରେ ଆଲୋଚନା କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡାକ୍ତର ନୀରଦ କୁମାର ଗୋଛାୟତ, ପ୍ରଫେସର ଡାକ୍ତର ନିମାଇଁ ଚରଣ ପରିଜା, ସଂଜିତ କୁମାର ପଟ୍ଟନାୟକ, ଚୌଧୁରୀ ସତ୍ୟ ଦାସ, ଶିକ୍ଷାବିତ କୈଳାଶ ଚନ୍ଦ୍ର ବରାଳ, ଇଂ ବାବାଜୀ ଚରଣ ବେହେରା ପ୍ରମୁଖ ଯୋଗଦେଇ କାଳିନ୍ଦୀ ଚରଣଙ୍କ ଅନନ୍ୟ କୃତି ସମ୍ବନ୍ଧରେ ଆଲୋଚନା କରିଥିଲେ।

Comments are closed.