ନିଯୁକ୍ତ ହେବେ ୧୧,୫୦୦ ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ବର:ରାଜ୍ୟରେ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଚାଲିଥିବାବେଳେ ଦୀର୍ଘ ଦିନ ଧରି ଶିକ୍ଷକ/ଶିକ୍ଷୟିତ୍ରୀ ପଦ ଖାଲି ପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକ ପଦ ପୂରଣ ପାଇଁ ତତ୍ପରତା ପ୍ରକାଶ ପାଇଛି। ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ, ସଂସ୍କୃତ ଶିକ୍ଷକଙ୍କ ସହ ଶାରୀରିକ ଶିକ୍ଷା ପ୍ରଶିକ୍ଷକ(ପିଇଟି) ନିଯୁକ୍ତି ପାଇଁ ଆସନ୍ତା ଅକ୍ଟୋବର ୪ ଓ ୫ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ୪ ତାରିଖରେ ହିନ୍ଦୀ ଓ ସଂସ୍କୃତ ଏବଂ ୫ ତାରିଖରେ ଶାରୀରିକ ଶିକ୍ଷା ପ୍ରଶିକ୍ଷକଙ୍କ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ୨୪ଟି ଜିଲାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। କମ୍ପ୍ୟୁଟର ବେସଡ୍‌ ଟେଷ୍ଟ(ସିବିଟି) ଜରିଆରେ ଏହି ପରୀକ୍ଷା ହେବାକୁ ଥିବାବେଳେ ଆସନ୍ତା ୨୫ ତାରିଖ ସୁଦ୍ଧା ପରୀକ୍ଷାର୍ଥୀଙ୍କ ନିକଟକୁ ପ୍ରବେଶ ପତ୍ର ବା ଆଡ୍‌ମିଟ୍‌ କାର୍ଡ ଦିଆଯିବ। ସଂସ୍କୃତ, ହିନ୍ଦୀ ଟିଜିଟି ବର୍ଗରେ ୪ ହଜାର ୪୪୫ ଶିକ୍ଷକ ପଦ ପାଇଁ ଏହି ପରୀକ୍ଷା ହେବ। ପରୀକ୍ଷା କେନ୍ଦ୍ରଗୁଡ଼ିକରେ କୋଭିଡ୍‌ ନିୟମାବଳୀ ଅନୁପାଳନ କରାଯିବ। ସବୁ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା(ଚିତ୍ର ଉତ୍ତୋଳନକାରୀ ଯନ୍ତ୍ର) ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି।

ପରୀକ୍ଷା ସମୟରେ ଜିଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ବିଭାଗର ପଦାଧିକାରୀ କେନ୍ଦ୍ର ବୁଲି ସ୍ଥିତି ପରଖିବେ। ପରୀକ୍ଷାର ପ୍ରାୟ ଦଶ ଦିନ ମଧ୍ୟରେ ଫଳ ପ୍ରକାଶ ପାଇବ। ଅକ୍ଟୋବର ଶେଷ ସୁଦ୍ଧା ୩୦ ଜିଲାର ବିଦ୍ୟାଳୟରେ ୪ ହଜାର ୪୪୫ ଶିକ୍ଷକ ନିଯୁକ୍ତ ହେବେ। ଶିକ୍ଷକ ନିଯୁକ୍ତି ନହେବା ଯାଏ ଅତିଥି ଶିକ୍ଷକରେ ପାଠ ପଢାଯିବ। ସେହିପରି ସଂସ୍କୃତ, ହିନ୍ଦୀ ଟିଜିଟି ବର୍ଗରେ ୬୬୯୮ ଶିକ୍ଷକ ପଦ ପାଇଁ ନଭେମ୍ବରରେ ପରୀକ୍ଷା ଅନୁଷ୍ଠିତ ହେବ। ନଭେମ୍ବରରେ କମ୍ପ୍ୟୁଟର ବେସଡ୍‌ ଟେଷ୍ଟ(ସିବିଟି) ଜରିଆରେ ପରୀକ୍ଷା କରାଯାଇ ନିଯୁକ୍ତି ଦିଆଯିବ। ନଭେମ୍ବର ସୁଦ୍ଧା ରାଜ୍ୟରେ ୧୧ ହଜାର ୫ଶହ ଶିକ୍ଷକ ନିଯୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅନୁଷ୍ଠିତ ବୈଠକରେ ବିଭାଗର ଅତିରିକ୍ତ ଶାସନ ସଚିବ ରଘୁରାମ ଆୟାରଙ୍କ ସମେତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

Comments are closed.