୧୧୨ କିମି ମଙ୍ଗୁଳି-ଅନୁଗୋଳ ଚାରିଥାକିଆ ଜାତୀୟ ରାଜପଥ ; ଶେଷ ହେବାକୁ ଲାଗିବ ବର୍ଷାଧିକ ସମୟ

ଢେଙ୍କାନାଳ : କଟକ-ଚଣ୍ଡିଖୋଲ ମଧ୍ୟରେ ଥିବା ୫ନଂ ଜାତୀୟ ରାଜପଥର ଚୌଦ୍ୱାର-ମଙ୍ଗୁଳି ଛକରୁ ସମ୍ବଲପୁର ସହରର ଅଇଁଠାପାଲି ଛକ ୬ନଂ ଜାତୀୟ ରାଜପଥକୁ ସଂଯୋଗ କରୁଛି ବର୍ତ୍ତମାନର ୫୫ନଂ ଜାତୀୟ ରାଜପଥ। ଏହା ଚୌଦ୍ୱାର ପୌରାଞ୍ଚଳ, ଆଠଗଡ-ଖୁଣ୍ଟୁଣୀ ଛକ, ଢେଙ୍କାନାଳ ପୌରାଞ୍ଚଳ, ଗୁଡିଆକାଟେଣୀ-ହିନ୍ଦୋଳ ଛକ, ବଅଁରପାଳ-ତାଳଚେର ଛକ, ନାଲ୍‍କୋ, ଅନୁଗୁଳ ପୌରାଞ୍ଚଳ, ବାମୁର୍‍, ବଇଣ୍ଡା, ରେଢାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦ, ଯୁଯୁମୁରା ହୋଇ ସମ୍ବଲପୁର ମହାନଗର ନିଗମ ଯାଏଁ ପରିବ୍ୟାପ୍ତ ହୋଇଛି। ଏହି ରାଜମାର୍ଗ ମଧ୍ୟରେ ଚୌଦ୍ୱାର ଇମ୍ଫା ଶିଳ୍ପାଞ୍ଚଳ, ଢେଙ୍କାନାଳ କୋରିଆଁ ଓ ଗୁଣ୍ଡିଚାପଡା ଶିଳ୍ପାଞ୍ଚଳ, ନିମିଧାସ୍ଥିତ ଏମ୍‍.ଜି.ଏମ୍‍. ଷ୍ଟିଲ୍‍, ଟାଟା ଭୂଷଣ ଷ୍ଟିଲ୍‍, ବି.ଆର୍‍.ଜି. ଷ୍ଟିଲ୍‍, ନବଭାରତ ଭେଞ୍ଚର୍ସ ଲିଃ,ଜି.ଏମ୍‍.ଆର୍‍. କମଳାଙ୍ଗ ପାୱାର କାରଖାନା, ନାଲ୍‍କୋ ସି.ପି.ପି. ଓ ସ୍ମେଲ୍‍ଟର୍‍ ଓ ଜିନ୍ଦଲ୍‍ ଷ୍ଟିଲ୍‍ ଲିଃ ସମେତ ବିଭିନ୍ନ ଶିଳ୍ପସଂସ୍ଥା ରହିଥିବାରୁ ଏଥିରେ ବାଣିଜ୍ୟିକ ଓ ପରିବହନ ଯାନ ବହୁସଂଖ୍ୟାରେ ଯାତାୟତ କରୁଛି। ୬ଚକିଆ ଟ୍ରକ୍‍ଠାରୁ ଆରମ୍ଭ କରି ୨୨/୨୪ ଚକିଆ ଟ୍ରକ୍‍, ଟ୍ରେଲର୍‍ ପରି ମାଲ୍‍ ପରିବହନ ଯାନ ବି ଚଳାଚଳ କରୁଛି। ବରଗଡ, ବଲାଙ୍ଗୀର ଓ ସମ୍ବଲପୁର ଅଞ୍ଚଳରୁ କଟକ-ଭୁବନେଶ୍ୱର ଆଡକୁ ହଜାର ହଜାର ସଂଖ୍ୟାରେ ଚାରିଚକିଆ ଯାନ ଓ ବସ୍‍ ମଧ୍ୟ ଯାତାୟତ କରୁଛି। ଖୋଦ୍‍ ପରିବହନ ବିଭାଗର ସର୍ଭେ ଅନୁଯାୟୀ ଏହି ରାଜପଥ ୬ଥାକିଆ ହେବାର ଯୋଗ୍ୟତା ବହନ କରୁଥିବାବେଳେ ଏହାକୁ ଚାରିଥାକିଆ ରାଜପଥରେ ପରିଣତ କରିବାକୁ ଜାନୁଆରୀ ୨୦୧୯ରୁ କାମ ଆରମ୍ଭ ହୋଇଛି। ଇତିମଧ୍ୟରେ ଅଢେଇ ବର୍ଷ ବିତିସାରିଲାଣି, କିନ୍ତୁ ରାଜପଥର ନିର୍ମାଣ ଶେଷ ହୋଇ ନାହିଁ। ୧୧୨ କି.ମି ଦୀର୍ଘ ମଙ୍ଗୁଳି-ଅନୁଗୋଳ ରାସ୍ତା ମଧ୍ୟରେ ଥିବା ରାଧାକିଶୋରପୁର ନିକଟ ରେଳବାଇ ଓଭର୍‍ବ୍ରିଜ୍‍, ଢେଙ୍କାନାଳ ସହରର କଲେଜ୍‍ ଓ କୋରିଆଁ ବାଇପାସ୍‍ ଛକର ଓଭର୍‍ବ୍ରିଜ୍‍ ଏବଂ ନିକଟସ୍ଥ କାମାକ୍ଷାନଗର ରାଜ୍ୟ ରାଜପଥର ଯଥାଯଥ ସଂଯୋଗୀକରଣ କାର୍ଯ୍ୟ ସହ ନାଲ୍‍କୋ ଓ ଅନୁଗୋଳ ସହର ବାଇପାସ୍‍ ନିର୍ମାଣ କାର୍ଯ୍ୟ ଆହୁରି ସମୟସାପେକ୍ଷଥିବା ଜଣାଯାଇଛି। ଗୁଡିଆକାଟେଣୀ-ହିନ୍ଦୋଳ ଛକ ଓ ବଅଁରପାଳ-ତାଳଚେରର ଛକ ପରି ଗୁରୁତ୍ୱପୂର୍ଣ୍ଣ ସଂଯୋଗୀ ସ୍ଥଳଗୁଡିକର ଯଥାଯଥ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନାହିଁ। ୨୦୨୦ ସେପ୍ଟେମ୍ବର ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବାର ଧାର୍ଯ୍ୟଲକ୍ଷ୍ୟର ଇତିମଧ୍ୟରେ ୯ ମାସ ଅତିକ୍ରାନ୍ତ କରିସାରିଲାଣି। ଏହି ରାଜପଥରେ ଚୌଦ୍ୱାର ମଙ୍ଗୁଳିଛକରୁ ବଳଦିଆବନ୍ଧ ଯାଏଁ କଟକ ଜିଲାର ୨୮ କି.ମି. ରାସ୍ତା, ଢେଙ୍କାନାଳ ବଳଦିଆବନ୍ଧରୁ ଅନୁଗୋଳ ନୂଆହତା ଛକଯାଏଁ ୬୦ କି.ମି. ରାସ୍ତା ଏବଂ ସେଠାରୁ ଅନୁଗୋଳ ସହର ଶେଷ ଯାଏଁ ୨୪ କିମି ରାସ୍ତାକୁ ମିଶାଇ ମୋଟ୍‍ ୧୧୨ କିମି. ରାସ୍ତା ରହିଛି। ଏହି ୧୧୨ କିମି. ରାସ୍ତା ନିର୍ମାଣକୁ ଦୁଇଟି୍‍ ପ୍ୟାକେଜ୍‍ର ଅନ୍ତର୍ଭୁକ୍ତ କରାଯାଇ ଗୋଟିକରେ ମଙ୍ଗୁଳି ଛକରୁ ଢେଙ୍କାନାଳ ସହର ବାଇପାସ୍‍ ହୋଇ ସିମିନଇ-ଗଦାଶିଳା ବାଇପାସ୍‍ ଶେଷ ପର୍ଯ୍ୟନ୍ତ ୬୦ କିମି. ରାସ୍ତା ଏବଂ ପ୍ୟାକେଜ୍‍-୨ରେ ସେଠାରୁ ଅନୁଗୁଳ ସହର ଯାଏଁ ୫୨ କି.ମି. ରାସ୍ତା ରହିଛି। ପ୍ୟାକେଜ୍‍-୧ର ନିର୍ମାଣ କାର୍ଯ୍ୟ ପାଇଁ ୯୯୯.୩୨ କୋଟି ଟଙ୍କା ଏବଂ ପ୍ୟାକେଜ୍‍-୨ର ନିର୍ମାଣ ପାଇଁ ୯୯୧.୪୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ୨୦୧୮ ଡିସେମ୍ବର ୨୪ ତାରିଖରେ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶିଳାନ୍ୟାସ କରିଥିଲେ। ହାଇଦ୍ରାବାଦ୍‍ର ମେସର୍ସ ଗାୟତ୍ରୀ ପ୍ରୋଜେକ୍ଟସ୍‍ ଲିଃ ଏହି ରାଜପଥ ନିର୍ମାଣର ଠିକା ହାତକୁ ନେଇଛି ଏବଂ ଢେଙ୍କାନାଳ ସହରରେ ଜାତୀୟ ରାଜମାର୍ଗ କର୍ତ୍ତୃପକ୍ଷଙ୍କ ପ୍ରକଳ୍ପ କାର୍ଯ୍ୟାଳୟ ଜଣେ ନିର୍ଦ୍ଦେଶକଙ୍କ ଅଧିନରେ କାର୍ଯ୍ୟ କରୁଛି। ଅଦ୍ୟାବଧି ନିର୍ଦ୍ଧାରିତ କାର୍ଯ୍ୟର ମାତ୍ର ୫୦ ପ୍ରତିଶତ ଶେଷ ହୋଇଥିବା କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି।

Comments are closed.