ଯୋଗୀ ସରକାରଙ୍କ ୩ ବର୍ଷରେ ୧୧୨ ଏନକାଉଣ୍ଟର

ନୂଆଦିଲ୍ଲୀ: କାନପୁରରେ ୮ ପୁଲିସ କର୍ମୀଙ୍କୁ ଘେରାବନ୍ଦୀ କରି ହତ୍ୟା ଘଟଣାରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ପୁଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛି । ଉତ୍ତରପ୍ରଦେଶରେ ଯୋଗୀ ସରକାର ଗଠନ ପରେ ପୁଲିସ ଏନକାଉଣ୍ଟର ସଂଖ୍ୟା ବଢ଼ିଛି ଓ ୩ ବର୍ଷ ମଧ୍ୟରେ ପୁଲିସ ଏନକାଉଣ୍ଟରରେ ୧୧୨ ତଥାକଥିତ ଅପରାଧୀ ପ୍ରାଣ ହରାଇଛନ୍ତି ।  କେତେକ କ୍ଷେତ୍ରରେ କିଛି ଏନକାଉଣ୍ଟର ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଯେମିତି ବିକାଶ ଦୁବେର ଏନକାଉଣ୍ଟରକୁ ନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ । ତେବେ ଏକ ପରିସଂଖ୍ୟାନ ଅନୁସାରେ କେବଳ ଉତ୍ତରପ୍ରଦେଶ ନୁହେଁ ସାରା ଦେଶରେ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୧୪୦ ଏନକାଉଣ୍ଟର ଏମିତି ହୋଇଛି, ଯାହାକୁ ନେଇ ପ୍ରଶ୍ନ ଉଠିଛି ଓ ଏହାକୁ ନେଇ ମାମଲା ରୁଜୁ ହୋଇଛି ।

 

ଅଖିଳେଶ ସରକାରଠାରୁ ଯୋଗୀ ସରକାର ଅମଳରେ ୩ ଗୁଣ ଅଧିକ ଏନକାଉଣ୍ଟର 

ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ନେତୃତ୍ବାଧୀନ ବିଜେପି ସରକାର ଗଠନ ପରଠାରୁ ଅପରାଧ ନିୟନ୍ତ୍ରଣ ନିମନ୍ତେ ପୁଲିସକୁ ଦିଆଯାଇଛି ପୁରା ସ୍ବାଧୀନତା । ଏନକାଉଣ୍ଟର କରିବା ପାଇଁ ଦିଆଯାଇଛି କ୍ଷମତା । ଏହାର ପ୍ରଭାବରେ ଅପରାଧ ତ କିଛି ପରିମାଣରେ ନିୟନ୍ତ୍ରଣ ହୋଇଛି, ବିବାଦ ମଧ୍ୟ ସୃଷ୍ଟି ହୋଇଛି । ଏପରିକି ଜାମିନରେ ବାହାରେ ଥିବା ଅପରାଧୀ ନିଜର ଜାମିନ ଖାରଜ କରି ପୁଣି ଜେଲକୁ ଫେରି ଆସିଛନ୍ତି । ଆଉ ସ୍ବାଭାବିକ ଭାବରେ ଏନକାଉଣ୍ଟର ହେଲେ ଯେଉଁ ବିବାଦ ସୃଷ୍ଟି ହୁଏ ଅନୁରୂପ ବିବାଦ ସୃଷ୍ଟି ହୋଇଛି । ଯେମିତିକି ଏନକାଉଣ୍ଟରକୁ ଜାଲ, କିମ୍ବା ଅପରାଧୀ ବଦଳରେ ନିର୍ଦୋଷକୁ ହତ୍ୟା କରାଯାଇଥିବା ଅଭିଯୋଗ । ଅଖିଳେଶ ସରକାରରେ କୌଣସି ବର୍ଷ ଏନକାଉଣ୍ଟର ସଂଖ୍ୟା ଦୁଇ ଅଙ୍କରେ ପହଞ୍ଚି ନ ଥିବାବେଳେ ଯୋଗୀ ସରକାର ସମୟରେ ୩ ବର୍ଷରେ ଏନକାଉଣ୍ଟରରେ ୧୧୨ ମୃତ୍ୟୁ ଘଟିଛି ।

ଦେଶରେ କମିଛି, ଉତ୍ତରପ୍ରଦେଶରେ ବଢ଼ିଛି

ଉତ୍ତରପ୍ରଦେଶରେ ଯେଉଁଠି ପୁଲିସ ଏନକାଉଣ୍ଟର ମାମଲା ବୃଦ୍ଧି ପାଇଛି ସେଠାରେ ସାରା ଦେଶରେ ଏନକାଉଣ୍ଟର ସଂଖ୍ୟା ହ୍ରାସ ପାଇଛି । ୨୦୧୯ ଜାନୁଆରୀ ୬ ତାରିଖରେ ଗୃହ ରାଜ୍ୟମନ୍ତ୍ରୀ ହଂସରାଜ ଅହୀର ରାଜ୍ୟସଭାରେ ଦେଇଥିବା ସୂଚନା ଅନୁସାରେ ୨୦୧୮ରେ ଦେଶରେ ୨୨ ଫେକ୍ ଏନକାଉଣ୍ଟର ହୋଇଛି । ଏହାମଧ୍ୟରୁ ୧୭ଟି କେବଳ ଉତ୍ତରପ୍ରଦେଶରୁ ହୋଇଛି । ସେହିପରି ଜାତୀୟ ମାନବାଧିକାର ଆୟୋଗ ଏକ ସୂଚନା ଅଧିକାର ପ୍ରଶ୍ନରେ ଦେଇଥିବା ତଥ୍ୟ ଅନୁସାରେ ୨୦୦୦ରୁ ୨୦୧୮ ମସିହା ମଧ୍ୟରେ ଦେଶରେ ୧୮୦୪ ଫେକ୍ ଏନକାଉଣ୍ଟର ହୋଇଛି ଏବଂ ଏହାମଧ୍ୟରୁ କେବଳ ଉତ୍ତରପ୍ରଦେଶରେ ୮୧୧ (୪୫%)।  ଫେକ୍ ଏନକାଉଣ୍ଟରରେ ମୃତ ପ୍ରମାଣିତ ହେଲେ ଏଥିପାଇଁ ସରକାରଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିଥାଏ । ମାନବାଧିକାର କମିଶନ ଏହି ସହାୟତା ରାଶି ନିର୍ଧାରିତ କରିଥାଆନ୍ତି । ୨୦୧୨ରୁ ୨୦୧୭ ମସିହା ମଧ୍ୟରେ ଉତ୍ତରପ୍ରଦେଶ ସରକାର ଏ ବାବଦରେ ୧୩.୨୩ କୋଟି ଟଙ୍କା କ୍ଷତିପୂରଣ ଦେଇଥିବା ସୂଚନା ମିଳିଛି ।

ପୂର୍ବରୁ ରେକର୍ଡ଼ ଆସାମ ଓ ଛତିଶଗଡ଼ ନାମରେ ଥିଲା

ଦେଶର ସବୁଠାରୁ ଅଧିକ ଏନକାଉଣ୍ଟର ପୂର୍ବରୁ ଆସାମ, ମେଘାଳୟ, ଛତିଶଗଡ଼, ଝାଡ଼ଖଣ୍ଡରେ ହେଉଥିଲା। ନକ୍ସଲପ୍ରବଣ ଏହି ଅଞ୍ଚଳରେ ମାଓବାଦୀଙ୍କୁ ଦମନ ନିମନ୍ତେ ପୁଲିସ ଏନକାଉଣ୍ଟର କରୁଥିଲା। ସୁରକ୍ଷା କର୍ମୀ ମଧ୍ୟ ଏନକାଉଣ୍ଟରରେ ସାମିଲ ହେଉଥିଲେ। ମାତ୍ର ଉତ୍ତରପ୍ରଦେଶରେ ଯୋଗୀ ସରକାର ଗଠନ ପରେ ଏବେ ଉତ୍ତରପ୍ରଦେଶ ଆଗରେ ଚାଲିଛି । ଏହି ରାଜ୍ୟରେ ନିୟମିତ ଏନକାଉଣ୍ଟର ହେଉଛି ।

Comments are closed.