ଦେଶକୁ ଦୋହଲାଇ ଦେଇଥିବା ୧୧ ବଳାତ୍କାର ଘଟଣା, ଯାହା ପରେ ଧୀରେ ଧୀରେ କଠୋର ହୋଇଥିଲା ଆଇନ

ଦେଶରେ କ୍ରମଶଃ ବଳାତ୍କାର ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଧୀରେ ଧୀରେ ବଳାତ୍କାର ବିରୋଧରେ ଜନସଚେତନତା ବୃଦ୍ଧି ପାଉଥିବାବେଳେ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନରେ ସହଯୋଗ ଦିଗରେ ଗଣମାଧ୍ୟମର ଉଦ୍ୟମ ଜାରି ରହିଛି। ତେବେ ଏହି ଜଘନ୍ୟ ଅପରାଧ ବିରୋଧରେ ଆଇନକୁ ସମୟ ଅନୁସାରେ କଠୋର କରାଯାଉଛି। ଅତୀତରେ ଏପରି କେତେକ ବଳାତ୍କାର ଘଟଣା ଘଟିଛି, ଯାହା ଦେଶକୁ ଦୋହଲାଇ ଦେଇଛି। ସେଗୁଡ଼ିକ ମଧ୍ୟରୁ ୧୯୯୯ରେ ଭୁବନେଶ୍ଵରରେ ଘଟିଥିବା ବହୁ ଚର୍ଚ୍ଚିତ ଗଣବଳାତ୍କାର ମାମଲା ଅନ୍ୟତମ। ତେବେ ଏସବୁ ଘଟଣାଗୁଡ଼ିକ ମଧ୍ୟରେ ସରକାର ଆଇନକୁ ଅଧିକରୁ ଅଧିକ କଠୋର କରିଛନ୍ତି। ସେହିସବୁ ଘଟଣା ମଧ୍ୟରୁ ୧୧ଟି ପ୍ରମୁଖ ଘଟଣା ନିମ୍ନରେ ଉପସ୍ଥାପିତ।

୧- ନିର୍ଭୟା ମାମଲା:

୨୦୧୨ ଡିସେମ୍ବରରେ ଦିଲ୍ଲୀରେ ଏକ ଚଳନ୍ତା ବସ୍‌ରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିଲା। ସେ ନିଜ ବନ୍ଧୁଙ୍କ ସହିତ ଘରକୁ ଫେରୁଥିବାବେଳେ ଅଭିଯୁକ୍ତମାନେ ତାଙ୍କୁ ଗଣବଳାତ୍କାର କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହି ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିଲା। ବିଶେଷ କରି ଏହି ଘଟଣା ପରେ ଦେଶରେ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ କଠୋର ଆଇନ ଆଣିବାକୁ ବିଭିନ୍ନ ମହଲରେ ଦୃଢ଼ ଦାବି ହୋଇଥିଲା।

୨- ୧୯୯୯ ବହୁ ଚର୍ଚ୍ଚିତ ଗଣବଳାତ୍କାର ମାମଲା:

୧୯୯୯ରେ ଭୁବନେଶ୍ଵରରେ ବାରଙ୍ଗ ଅଞ୍ଚଳରେ ଜଣେ ମହିଳାଙ୍କୁ ୩ ଜଣ ବ୍ୟକ୍ତି ଗଣବଳାତ୍କାର କରିଥିଲେ। ଏହି ଘଟଣାରେ କିଛି ହାଇପ୍ରୋଫାଇଲ୍‌ ଲୋକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ଘଟଣା ପଛରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ଆଡ୍‌ଭୋକେଟ ଜେନେରାଲଙ୍କ ହାତ ଥିବା ପୀଡ଼ିତା ଅଭିଯୋଗ କରିଥିଲେ। ଏହି ଘଟଣା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।

୩-ଅରୁଣା ଶାନ୍‌ବାଗ୍‌ ବଳାତ୍କାର ଘଟଣା:

ଏହା ଦେଶର ପ୍ରଥମ ଚର୍ଚ୍ଚିତ ବଳାତ୍କାର ଘଟଣା ଥିଲା, ଯାହାକୁ ଅରୁଣା(ଛଦ୍ମନାମ) ଶାନ୍‌ବାଗ୍‌ ବଳାତ୍କାର ଘଟଣା ନାମରେ ଜଣାଯାଏ। ୧୯୭୩ରେ ଜଣେ ନର୍ସଙ୍କୁ ହସ୍ପିଟାଲରେ ଜଣେ ସଫେଇ କର୍ମଚାରୀ ସୋହନ ଲାଲ ବଳାତ୍କାର କରିଥିଲେ। ସେତେବେଳେ  ଆଇନ ନ ଥିବାରୁ କୌଣସି ମାମଲା ରୁଜୁ ହୋଇପାରି ନ ଥିଲା।

୪-ମଥୁରା ବଳାତ୍କାର ଘଟଣା:

ଏହି ବଳାତ୍କାର ଘଟଣା ଇତିହାସର ଏକ ବଡ଼ ଘଟଣା ବୋଲି କୁହାଯାଏ। ୧୯୭୨ରେ ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ଜଣେ ଆଦିବାସୀ ଯୁବତୀଙ୍କୁ ୨ ଜଣ ପୁଲିସ କର୍ମଚାରୀ ବଳାତ୍କାର କରିଥିଲେ। ଯୁବତୀ ଜଣକ ଅନେକ ଲୋକଙ୍କ ସହିତ ଶାରିରୀକ ସମ୍ପର୍କ ରଖୁଥିବା ଦର୍ଶାଯାଇଥିଲା। ଏହାକୁ ଆଧାର କରି କୋର୍ଟ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ଦୋଷମୁକ୍ତ କରିଥିଲେ।

Image Source : thelogicalindian.com

୫-ଆଇନ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ମାମଲା:

ଦିଲ୍ଲୀରେ ଆଇନ ପାଠ ପଢ଼ୁଥିବା ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ ତାଙ୍କ ଘରେ ସନ୍ତୋଷ କୁମାର ସିଂହ ନାମକ ଜଣେ ଯୁବକ ବଳାତ୍କାର କରିବା ସହିତ ହତ୍ୟା କରିଥିଲେ। ଏହି ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା।

୬-ଏର୍ନାକୁଲମ ବଳାତ୍କାର ଘଟଣା:

କେରଳର ଏର୍ନାକୁଲମରୁ ଟ୍ରେନରେ ଶୋର୍ନୁର ଯାଉଥିବା ଜଣେ ଯୁବତୀଙ୍କୁ ଗୋବିନ୍ଦାଚାମୀ ନାମକ ଜଣେ ବ୍ୟକ୍ତି ବଳାତ୍କାର କରିଥିଲେ। ଗୋବିନ୍ଦାଚାମୀ ଯୁବତୀଙ୍କଠାରୁ ଲୁଟ୍‌ କରିବା ଉଦ୍ଦେଶ୍ୟରେ ତାଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ। ଅଭିଯୁକ୍ତ ତାଙ୍କ ମୁଣ୍ଡକୁ ଟ୍ରେନ୍‌ ଦ୍ବାରରେ ଚାପି ଦେବା ପରେ ତଳକୁ ଠେଲି ଦେଇଥିଲେ। ଏହା ପରେ ସେ ନିଜେ ଟ୍ରେନରୁ ଡେଇଁ ପଡ଼ିଥିଲେ। ପରେ ଯୁବତୀଙ୍କୁ ଖୋଜି ଖୋଜି ସେ ପଡ଼ିଥିବା ସ୍ଥାନକୁ ଯାଇଥିଲେ। ସେଠାରୁ ଅଭିଯୁକ୍ତ ତାଙ୍କୁ ନିକଟ ଜଙ୍ଗଲକୁ ନେଇ ବଳାତ୍କାର କରିଥିଲେ। ଟ୍ରେନରୁ ଫିଙ୍ଗି ଦିଆଯିବା ଏବଂ ବଳାତ୍କାରର ଶିକାର ହୋଇଥିବା ଯୁବତୀ ପରବର୍ତ୍ତୀ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲା।

୭-ମୁମ୍ବଇ ଗଣବଳାତ୍କାର ମାମଲା:

ଏହି ଘଟଣାରେ ୫ ଯୁବକ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଗଣବଳାତ୍କାର କରିଥିଲେ। ଜଣେ ମହିଳା ସାମ୍ବାଦିକ ନିଜ ବନ୍ଧୁ ସହିତ ଫଟୋଗ୍ରାଫି ପାଇଁ ଯାଇଥିବା ସମୟରେ ୫ ଯୁବକ କାସିମ ବଙ୍ଗାଲି, ସଲୀମ ଅନ୍‌ସାରୀ, ଚାନ୍ଦ ଶେଖ, ସିରାଜ ରହମନ ଏବଂ ବିଜୟ ଯାଦବ ତାଙ୍କୁ ବଳାତ୍କାର କରିଥିଲେ।

Image Courtesy: Daily Sun

୮- ସାମାଜିକ କର୍ମୀ ବଳାତ୍କାର ଘଟଣା:

ମହିଳା ବିକାଶ କାର୍ଯ୍ୟକ୍ରମର ଜଣେ କାର୍ଯ୍ୟକର୍ତ୍ତା ରାଜସ୍ଥାନର ଭତେରୀ ଗାଁରେ କାର୍ଯ୍ୟ କରୁଥିଲେ। ୧୯୯୨ରେ ସେ ବାଲ୍ୟ ବିବାହ ବିରୋଧରେ ସ୍ବର ଉତ୍ତୋଳନ କରିବାରୁ ଉଚ୍ଚ ଜାତିର ୫ ଜଣ ବ୍ୟକ୍ତି ତାଙ୍କୁ ଗଣଗଳାତ୍କାର କରିଥିଲେ।

୯- ବିଦେଶୀ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା:

୨୦୦୯ରେ ବ୍ରିଟେନରୁ ଭାରତ ବୁଲିବାକୁ ଆସିଥିବା ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଗୋଆ ବିଚ୍‌ରେ ବଳାତ୍କାର କରାଯାଇଥିଲା। ନାବାଳିକା ଜଣକ ନିଜର ଜଣେ ଭାରତୀୟ ବନ୍ଧୁଙ୍କ ସହିତ ବେଳାଭୂମିକୁ ବୁଲିବାକୁ ଯାଇଥିବା ସମୟରେ ତାଙ୍କୁ ବଳାତ୍କାର କରାଯାଇଥିଲା। ବଳାତ୍କାର ପରେ ଅଭିଯୁକ୍ତ ତାଙ୍କୁ ସମୁଦ୍ରରେ ବୁଡ଼ାଇ ହତ୍ୟା କରିଥିଲେ।

୧୦-ଶ୍ଵଶୁରଙ୍କ ଦ୍ବାରା ବଳାତ୍କାରର ଶିକାର ହୋଇଥିଲେ ବୋହୂ:

୨୦୦୫ରେ ଏହି ଘଟଣା ଘଟିଥିଲା। ଜଣେ ମୁସଲମାନ ମହିଳାଙ୍କୁ ତାଙ୍କ ଶ୍ଵଶୁର ବଳାତ୍କାର କରିଥିଲେ। ଏହି ଘଟଣା ପରେ ଭିନ୍ନ ଧର୍ମ ପାଇଁ ଭିନ୍ନ ଆଇନ ଆଣିବା ଦାବି ଉଠିଥିଲା। ଉତ୍ତର ପ୍ରଦେଶର ଏକ ଗାଁରେ ଜଣେ ବୃଦ୍ଧ ତାଙ୍କ ବୋହୂକୁ ବଳାତ୍କାର କରିଥିଲେ। କିନ୍ତୁ ଏହି ମାମଲାକୁ ଗାଁର ଅନ୍ୟ ବୟସ୍କମାନେ ସହମତି ଭିତ୍ତିରେ ସମ୍ପର୍କ ରଖିଥିବା କହିଥିଲେ ଏବଂ ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ଛାଡ଼ି ଶ୍ଵଶୁରଙ୍କୁ ସ୍ବାମୀ ମାନି ତାଙ୍କ ସହିତ ରହିବାକୁ ନିଷ୍ପତ୍ତି ଶୁଣାଇଥିଲେ। ମାତ୍ର ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ମାମଲା କୋର୍ଟରେ ପହଞ୍ଚିଥିଲା। କୋର୍ଟ ଅଭିଯୁକ୍ତ ଶ୍ଵଶୁରକୁ ୧୦ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ।

୧୧- ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା:

୨୦୧୯ ନଭେମ୍ବରରେ ହାଇଦ୍ରାବାଦର ସାମ୍‌ସାବାଦ ଅଞ୍ଚଳରେ ଜଣେ ୨୬ ବର୍ଷୀୟା ଭେଟେରିନାରୀ ଡାକ୍ତରଙ୍କୁ ୪ ଜଣ ଯୁବକ ଗଣବଳାତ୍କାର କରିବା ପରେ ପୋଡ଼ି ହତ୍ୟା କରିଥିଲେ। ଏହି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ପୁଲିସ ୪ ଅଭିଯୁକ୍ତଙ୍କୁ କରିଥିଲା। ପରେ ପୁଲିସ ଏନକାଉଣ୍ଟରରେ ଅଭିଯୁକ୍ତମାନେ ନିହତ ହୋଇଥିଲେ।

Comments are closed.