ଗୁଜୁରାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା – ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି, ୧୬ ଆହତ

ବୁଧବାର ପାହାନ୍ତା ପ୍ରହର ସମୟ ପ୍ରାୟ ୩ଟା ସମୟରେ ଗୁଜୁରାଟର ଭଦୋଦରା ନିକଟରେ ଏକ ମିନି ଟ୍ରକ୍ ଏବଂ ଟ୍ରଲି ମଧ୍ୟରେ ଧକ୍କା ହେବା ଫଳରେ ପାଞ୍ଚ ଜଣ ମହିଳାଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେହି ଲୋକମାନେ ସୁରଟରୁ ପାବଗଡ କାଳିମାତାଙ୍କ ଦର୍ଶନ ପାଇଁ ଯାଉଥିଲେ।

ଦୁର୍ଘଟଣାସ୍ଥଳରେ ନଅ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ତିନିଜଣ ମା’ ଏବଂ ସେମାନଙ୍କର ଏକମାତ୍ର ପୁଅ ଅଛନ୍ତି। ଦୁର୍ଘଟଣାରେ ୮, ୧୨ ଏବଂ ୧୫ ବର୍ଷ ବୟସର ପିଲାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୫ ଜଣ ଅଛନ୍ତି। ସେମାନଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ, ସେମାନଙ୍କର ପୁଅ, ଝିଅ ଏବଂ ଜ୍ୱାଇଁ ଅଛନ୍ତି।

ଜାତୀୟ ରାଜପଥ ୱାଗୋଡିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଭଦୋଦରାସ୍ଥିତ ଏସଏସଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସମୟରେ ସମସ୍ତ ଯାତ୍ରୀ ଶୋଇଥିଲେ। ଚିତ୍କାର ଶୁଣି ଆଖପାଖର ଲୋକମାନେ ସାହାଯ୍ୟ ପାଇଁ ଆସିଥିଲେ ଓ ପୁଲିସକୁ ସୂଚନା ଦେଇଥିଲେ। ସେମାନେ ସୁରଟର ଭାରାଚା ଏବଂ ପୁନା ଅଞ୍ଚଳର ବାସିନ୍ଦା ହୋଇଥିବା ଅନୁମାନ କରାଯାଉଛି।

Comments are closed.