‘ପଦ୍ମ’ ଉପାଧିରେ ବିଭୂଷିତ ହେବେ ଓଡ଼ିଶାର ୧୧ଜଣ

କଟକ: ୭୧ତମ ଜନରାଜ୍ୟ ଦିବସ ପାଳନର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ୨୦୨୦ ବର୍ଷ ପାଇଁ ଦେଶର ବେସାମରିକ ନାଗରିକ ସମ୍ମାନ ‘ପଦ୍ମ’ ଉପାଧି ଲାଗି ମନୋନୀତ ବ୍ୟକ୍ତିମାନଙ୍କ ନାମ ଘୋଷଣା କରିଛନ୍ତି। ଏହି ସମ୍ମାନ ପାଇଁ ସମଗ୍ର ଦେଶରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ସମୁଦାୟ ୧୧୮ ଜଣଙ୍କୁ ପଦ୍ମ ବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୟନ କରାଯାଇଛି। ‘ପଦ୍ମ’ ସମ୍ମାନ ପାଇଁ ମନୋନୟନ ତାଲିକାରେ ରହିଛନ୍ତି ୧୧ଜଣ ଓଡ଼ିଆ। ଏଥିମଧ୍ୟରୁ ଓଡ଼ିଶାରୁ ୮ଜଣ ଥିବାବେଳେ ଓଡ଼ିଶା ବାହାରେ ଥିବା ୩ଜଣ ଏହି ସମ୍ମାନ ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି।

ସଂପ୍ରତି ପୁଡ଼ୁଚେରୀସ୍ଥିତ ଶ୍ରୀମା’-ଅରବିନ୍ଦ ଆଶ୍ରମରେ ଅବସ୍ଥାନପୂର୍ବକ ସାହିତ୍ୟ ସାଧନାରେ ବ୍ରତୀ ଥିବା ବିଶିଷ୍ଟ ଶିକ୍ଷାବିତ୍‌ ମନୋଜ ଦାସଙ୍କୁ ‘ପଦ୍ମ ଭୂଷଣ’ ସମ୍ମାନ ପାଇଁ ମନୋନୀତ କରାଯାଇଥିବାବେଳେ ଅନ୍ୟ ୧୦ଜଣ ଓଡ଼ିଆ ‘ପଦ୍ମଶ୍ରୀ’ ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବିଶିଷ୍ଠ ସମାଜସେବୀ, ପରିବେଶବିତ୍‌ ତଥା ପୂର୍ବତନ ରାଜ୍ୟ ସୂଚନା କମିସନର ପ୍ରଫେସର ରାଧାମୋହନ ଓ ତାଙ୍କ ଝିଅ ସାବରମତୀ, ଜଣାଶୁଣା ସାନ୍ତାଳୀ ଲେଖିକା ଡକ୍ଟର ଦମୟନ୍ତୀ ବେଶ୍ରା, କଳା କ୍ଷେତ୍ରରୁ ଉତ୍ସବ ଚରଣ ଦାସ, ‘ରଂଗବତୀ’ ଗୀତର ଗୀତିକାର ମିତ୍ରଭାନୁ ଗଉନ୍ତିଆ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସ୍ବର୍ଗତ ମନମୋହନ ମହାପାତ୍ର, ବିଶିଷ୍ଠ ଗାଳ୍ପିକା ବୀଣାପାଣି ମହାନ୍ତି ଓ ପଶୁପାଳନ କ୍ଷେତ୍ରରୁ ବଟକୃଷ୍ଣ ସାହୁ ଥିବାବେଳେ ଚଣ୍ଡୀଗଡ଼ରେ ରହୁଥିବା ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡ. ଦିଗମ୍ବର ବେହେରା ଏବଂ ଆମେରିକାନିବାସୀ ଶିକ୍ଷାବିତ୍‌ ଓ ସାହିତ୍ୟିକା ଡକ୍ଟର ପ୍ରଶାନ୍ତ କୁମାର ପଟ୍ଟନାୟକ।

ସୂଚନାଯୋଗ୍ୟ, ଗତବର୍ଷ ଓଡ଼ିଶାରୁ ୩ଜଣଙ୍କୁ ‘ପଦ୍ମଶ୍ରୀ’ ସମ୍ମାନ ପ୍ରଦାନ କରାଯାଇଥିଲା। ୨୦୧୯ରେ ସମାଜସେବା ପାଇଁ କଟକର ଚା’ ଦୋକାନୀ ଡି. ପ୍ରକାଶ ରାଓ ଏବଂ କେନ୍ଦୁଝରର ପର୍ବତ ମାନବ ଦୈତାରୀ ନାୟକ ଏବଂ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନବରଙ୍ଗପୁରର କମଳା ପୂଜାରୀଙ୍କୁ ଏହି ସମ୍ମାନ ମିଳିଥିଲା। ସୂଚନାଯୋଗ୍ୟ, ରାଧାମୋହନଙ୍କ ଦ୍ୱାରା ୧୯୮୯ ମସିହାରେ ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ରୋହିବାଙ୍କଠାରେ ‘ସମ୍ଭବ’ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା।

ଏହି ଅନୁଷ୍ଠାନରେ ୧୯୯୩ ମସିହାଠାରୁ ତାଙ୍କ କନ୍ୟା ସାବରମତୀ ପ୍ରତ୍ୟକ୍ଷ ଭାବେ ଜଡ଼ିତ ହୋଇ ଦେଶୀ ଧାନର ସଂରକ୍ଷଣ, ଜୈବିକ ପ୍ରଣାଳୀରେ ଚାଷ ଏବଂ ପରିବେଶ ସୁରକ୍ଷା ଉପରେ ଉଲ୍ଲେଖନୀୟ କାର୍ୟ୍ୟ କରିଆସୁଛନ୍ତି। ଏପରିକି ନାରୀମାନଙ୍କ ଅଧିକାର ସୁରକ୍ଷା ଉପରେ ମଧ୍ୟ ସେ କାର୍ୟ୍ୟକରି ଆସୁଛନ୍ତି। ସ୍ୱନାମଧନ୍ୟ ପରିବେଶବିତ୍ ତଥା ସାମାଜିକ କର୍ମୀ ସାବରମତୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୮ମାର୍ଚ୍ଚ ୯ତାରିଖରେ ମର୍ୟ୍ୟାଦାଜନକ ଜାତୀୟ ‘ନାରୀଶକ୍ତି’ ପୁରସ୍କାର ପ୍ରଦାନ କରିଥିଲେ। ତେବେ ଏହି ପଦ୍ମଶ୍ରୀ ପୁରସ୍କାରର ଶ୍ରେୟ ‘ସମ୍ଭବ’ ଅନୁଷ୍ଠାନରେ କାର୍ୟ୍ୟ କରୁଥିବା ସମସ୍ତ କର୍ମୀ ଏବଂ ସହଯୋଗ କରୁଥିବା ସମସ୍ତ ଶୁଭାକାଂକ୍ଷୀମାନଙ୍କର ବୋଲି ସେ ‘ସମାଜ’କୁ ସୂଚନା ଦେଇଛନ୍ତି। ବାପ ଓ ଝିଅଙ୍କୁ ଏଭଳି ଜାତୀୟ ପୁରସ୍କାର ମିଳୁଥିବା ଖବର ପ୍ରଚାର ହେବାପରେ ସମଗ୍ର ନୟାଗଡ଼ ଜିଲାରେ ସବୁ ମହଲରେ ଆନନ୍ଦ ପ୍ରକାଶ ପାଇଛି।

Comments are closed.