ଟ୍ରାକ୍ଟର-ସ୍କର୍ପିଓ ମୁହାଁମୁହିଁ ଧକ୍କା, ଚାଲିଗଲା ୧୧ ଜୀବନ

ପାଟନା: ବିହାରର ମୁଜଫରପୁର ଜିଲାର କାଣ୍ଟି ଥାନା ଅଞ୍ଚଳରେ ଶନିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୧୧ ଜଣଙ୍କୁ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଏକ ସ୍କର୍ପିଓରେ ୧୪ ଜଣ ଶ୍ରମିକ ଉତ୍ତରପ୍ରଦେଶରୁ ଆସୁଥିଲେ। ୨୮ ନମ୍ବର ଜାତୀୟ ରାଜପଥର ସରମପୁର ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ସହିତ ସ୍କର୍ପିଓଟି ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ ସ୍କର୍ପିଓର ଉପରିଭାଗ ଛିନ୍ନଛତ୍ର ହୋଇ ଉଡ଼ିଯାଇଥିଲା। ଖବର ପାଇ କାଣ୍ଟି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ି ଭିତରୁ ଆହତ ଏବଂ ମୃତକଙ୍କୁ ବାହାର କରିଥିଲେ। ଘଟଣା ପରେ ସେଠାରେ ପ୍ରବଳ ଭିଡ଼ ଲାଗିଥିଲା। ବର୍ତ୍ତମାନ ସୁଦ୍ଧା ମୃତକମାନଙ୍କ ପରିଚୟ ମିଳିପାରି ନାହିଁ।

Comments are closed.