ଟିକା ନେବାକୁ ଚାହୁଁନାହାନ୍ତି ୧୧.୫ କୋଟି ଲୋକ : ଶିଶୁଙ୍କୁ ଟିକା ଓ ତୃତୀୟ ପାନ ସମ୍ପର୍କରେ ଖୁବ୍‌ଶୀଘ୍ର ନିଷ୍ପତ୍ତି

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହ୍ରାସ ଓ ଆଶଙ୍କିତ ତୃତୀୟ ଲହର ଟଳିଯିବା ପରେ ଏବେ ଲୋକେ ଟିକା ନେବାକୁ ଅନାଗ୍ରହ ପ୍ରକାଶ କରୁଛନ୍ତି। ସର୍ଭେ ଅନୁଯାୟୀ ଦେଶର ୧୧.୫କୋଟି ଲୋକ ଏବେ କରୋନା ଟିକା ନେବାକୁ ଆଗ୍ରହୀ ନୁହନ୍ତି। ଅକ୍ଟୋବର ପ୍ରାରମ୍ଭରରେ ଏହି ଲୋକଙ୍କ ସଂଖ୍ୟା ୭.୦୪ କୋଟି ଥିବାବେଳେ ନଭେମ୍ବର ବେଳକୁ ଏହି ସଂଖ୍ୟା ୧୧.୫କୋଟିରେ ପହଞ୍ଚିଛି। ଦେଶର ୩୦୯ ଜିଲାରେ ହୋଇଥିବା ସର୍ଭେ ଅନୁଯାୟୀ ୨୩ ପ୍ରତିଶତ ଲୋକ ଟିକା ନେବାକୁ ଆଗ୍ରହୀ ନୁହନ୍ତି। ଏପରିକି ସେମାନେ ଟିକା ନ ନେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ଅନ୍ୟପଟେ ସୋମବାର ସମଗ୍ର ଦେଶରେ ୮,୪୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୪୯ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୫,୧୮,୯୦୧ରେ ପହଞ୍ଚିଥିବାବେଳେ‌ ମୋଟ ମୃତ୍ୟୁସଂଖ୍ୟା ୪,୬୫,୯୧୧ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ୧୨,୫୧୦ ଆକ୍ରାନ୍ତ ସୁସ୍ଥ ହେବା ସହ ମୋଟ ୩,୩୯,୩୪,୫୪୭ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଏବେ ୧,୧୮,୪୪୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେହିପରି ଦେଶର ଶିଶୁଙ୍କ କରୋନା ଟିକା ଦେବା ଓ ଦୁଇପାନ ଟିକା ନେଇସାରିଥିବା ଲୋକଙ୍କୁ ଅତିରିକ୍ତ ବୁଷ୍ଟର ପାନ ବା ତୃତୀୟ ପାନ ଟିକା ଦିଆଯିବା ସମ୍ପର୍କରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଟିକାକରଣ ସମ୍ପର୍କିତ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (ଏନଟିଏଜିଆଇ) ବୈଠକରେ ଏହି ଦୁଇ ପ୍ରସଙ୍ଗରେ ଆଲୋଚନା କରାଯିବ। ସୂଚନା ଅନୁଯାୟୀ ଗୁରୁତର ରୋଗରେ ଆକ୍ରାନ୍ତ ଶିଶୁଙ୍କୁ ଜାନୁଆରୀ ମାସରୁ ଟିକା ଦିଆଯିବ। ସେହିପରି ମାର୍ଚ୍ଚ ପରଠାରୁ ଅନ୍ୟ ସମସ୍ତ ଶିଶୁଙ୍କୁ ଟିକା ଦେବା ନେଇ ବିଚାର କରାଯିବ।

Comments are closed.