ସାଂଘାତିକ ବ୍ୟତିକ୍ରମ, ନବମ ଟିସି ନେଇଥିବା ଛାତ୍ର ଦଶମ ପାସ

ରାୟଗଡ଼ା: ନବମ ଶ୍ରେଣୀର ଟିସି ନେଇଥିବା ଛାତ୍ର ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଘଟଣା ବିଳମ୍ବରେ ପଦାକୁ ଆସିବା ପରେ ଶିକ୍ଷା ବିଭାଗରେ ଲୁଚି ରହିଥିବା ଦୁର୍ବଳତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମହାମାରୀ କରୋନା ଛାତ୍ରଛାତ୍ରୀଙ୍କ ପାଠପଢାରେ ଡୋରି ବାନ୍ଧି ଦେଇଥିବାବେଳେ କିଛି ପିଲାଙ୍କ ପାଇଁ ଏହା ଆଶୀର୍ବାଦ ସଦୃଶ ହୋଇଛି। ଗତ ଦିନରେ ପ୍ରକାଶିତ ମାଟ୍ରିକ ପରୀକ୍ଷା ଫଳ ଅନେକ ମେଧାବୀଙ୍କୁ ନିରାଶ କରିଥିଲେ ହେଁ ଏହି ବ୍ୟବସ୍ଥାରେ ସାଂଘାତିକ ବ୍ୟତିକ୍ରମ ଏବେ ପଦାକୁ ଆସିଛିା ପ୍ରକାଶିତ ଦଶମ ପରୀକ୍ଷା ଫଳ ଅନେକ ମେଧାବୀଙ୍କୁ ନିରାଶ କରିଥିବାବେଳେ ଅନେକ ଛାତ୍ରଛାତ୍ରୀ ପରୀକ୍ଷା ଫଳକୁ ନେଇ ଉତ୍ସାହିତ ହୋଇଛନ୍ତି। ଆଉ ଯେଉଁଠି ବ୍ୟତିକ୍ରମ ଦେଖାଦେଇଛି ସେହି ସ୍ଥାନରେ ବିଦ୍ୟାଳୟ କର୍ତ୍ତପକ୍ଷ ମଧ୍ୟ ପ୍ରତିକାର ପାଇଁ କୌଣସି ବାଟ ଖୋଲିନାହାନ୍ତି।

ବିଡ଼ମ୍ବନାର କଥା ନବମ ଶ୍ରେଣୀରେ ଟିସି (ବଦଳି ପ୍ରମାଣପତ୍ର) ନେଇଥିବା ଛାତ୍ର ମଧ୍ୟ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମିତି ଗୁରୁତର ବ୍ୟତିକ୍ରମ ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ବିଦ୍ୟାଳୟ ଛାଡିଥିବା ଛାତ୍ର ଏବେ ମହାବିଦ୍ୟାଳୟରେ ନାମ ଲେଖାଇବାକୁ ଯାଉଛନ୍ତି। ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ପିଣ୍ଟୁ ମାଝି ଚଳିତ ବର୍ଷ ଜାନୁଆରୀ ମାସ ୧୮ତାରିଖ ଦିନ ଅନ୍ୟତ୍ର ପାଠ ପଢିବା ପାଇଁ ବିଦ୍ୟାଳୟରୁ ଟିସି ନେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଲୋଚନ ଖରା ପିଣ୍ଟୁ ମାଝିଙ୍କୁ ଟିସି ପାଇଁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ତେବେ ଟିସି ନେବା ପରେ ଚଳିତ ମାଟ୍ରିକ୍ ପରୀକ୍ଷାରେ ପିଣ୍ଟୁ ୨୭୨ ନମ୍ବର ରଖି ‘ଡି’ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି। ଏପରି ବ୍ୟତିକ୍ରମ ଟିକିରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ବିଦ୍ୟାଳୟରେ ମୋଟ ୨୧୭ଜଣ ଦଶମ ଶ୍ରେଣୀ ପିଲାଙ୍କ ମାର୍କ ଟେବୁଲେସନ୍ ହୋଇ ମାର୍ଚ୍ଚ ମାସରେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲା। ଟିସି ନେଇଥିବା ପିଣ୍ଟୁ ମାଝିଙ୍କ ନାମକୁ ମଧ୍ୟ ଅନଲାଇନ୍ ମାଧ୍ୟମରେ ୨୧୭ଛାତ୍ରଛାତ୍ରୀଙ୍କ ତାଲିକାରେ ଭର୍ତ୍ତି କରାଯାଇଥିଲା। ଫଳରେ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଉଦ୍ଦେଶ୍ୟମୂଳକ ଭାବେ ଛାତ୍ର ପିଣ୍ଟୁଙ୍କୁ ତାଲିକାଭୁକ୍ତ କଲେ ନାଁ ଭୁଲବଶତଃ ତାଙ୍କ ନାମ ରହିଯାଇଥିଲା ତାହା ତଦନ୍ତ ସାପେକ୍ଷ, କିନ୍ତୁ ଏପରି ଗୁରୁତର ବ୍ୟତିକ୍ରମକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ର ପିଣ୍ଟୁ ମାଝି ଉତ୍ତୀର୍ଣ୍ଣ ହୋଇଥିବା ସୂଚନା ଥାଇ ମଧ୍ୟ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜିଲା ଶିକ୍ଷାଧିକାରୀ କିମ୍ବା ମାଧ୍ୟମିକ ଶିକ୍ଷା ପରିଷଦକୁ ଅବଗତ କରି ନ ଥିଲେ। ଭାତ ହାଣ୍ଡିରୁ ଏହି ଗୋଟିଏ ଚାଉଳ ନୁହେଁ ବିଦ୍ୟାଳୟରେ ଅନେକ ବ୍ୟତିକ୍ରମ ହୋଇଥିବା ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି ।

ଏ ନେଇ ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନ ଥିବା ବେଳେ ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲୋଚନ ଖରା ଏହି ଘଟଣାକୁ ନେଇ କୌଣସି ସନ୍ତୋଷଜନକ ଉତ୍ତର ରଖି ନ ଥିବା ବେଳେ ଅନଲାଇନ୍ ମାଧ୍ୟମରେ ମାର୍କ ପ୍ରେରଣ କରିବା ସମୟରେ ଏପରି ବ୍ୟତିକ୍ରମ ହୋଇଥାଇପାରେ ବୋଲି ସୂଚନା ଦେଇଥିଲେ। ତେବେ ଏପରି ଘଟଣା ଉପରେ ମାଧ୍ୟମିକ ଶିକ୍ଷା ପରିଷଦ କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Comments are closed.