୫ ବର୍ଷରେ ହଜାରେ କୋଟି, ହଟିବ ଅପପୁଷ୍ଟି

ଭୁବନେଶ୍ୱର: କିଶୋରୀ, ବାଳିକା, ଗର୍ଭବତୀ ଓ ଶିଶୁଙ୍କ ପୁଷ୍ଟିହୀନତା ଓ ରକ୍ତହୀନତା ଦୂର କରିବା ସହ ଦୁର୍ବଳ ଶ୍ରେଣୀର ପିଲାଙ୍କ ପୁଷ୍ଟିଗତ ସ୍ଥିତିର ଉନ୍ନତି ଆଣିବା ନିମନ୍ତେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ‘ସୋପାନ’ କାର୍ୟ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଯୋଜନା ରାଜ୍ୟର ୨୨ଟି ଜିଲାର ୧୨୫ଟି ଦୁର୍ଗମ ଅପହଞ୍ଚ ବ୍ଲକ୍ର ପୁଷ୍ଟିଗତ ସ୍ଥିତିର ଉନ୍ନତି ଆଣିବା ଦିଗରେ ଯଥେଷ୍ଟ ଫଳପ୍ରଦ ହେବ। ଆଗାମୀ ୫ ବର୍ଷରେ ୧୦୦୦ କୋଟି ଟଙ୍କା ବିନିଯୋଗ କରିବାର ପ୍ରସ୍ତାବ ରହିଛି। ଯୋଜନା ମାଧ୍ୟମରେ ପୁଷ୍ଟିଗତସ୍ତରରେ ଅତ୍ୟନ୍ତ ନିମ୍ନସ୍ତରରେ ଥିବା ୧୨୫ଟି ବ୍ଲକ୍କୁ ପ୍ରାଧାନ୍ୟ ଦିଆଯିବା ସହ ହିତାଧିକାରୀଙ୍କ ପୁଷ୍ଟିହୀନତା ଦୂରୀକରଣ ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରାଯିବ।
୧୪ରୁ ୧୯ ବର୍ଷର କିଶୋରୀ ବାଳିକା ଯେଉଁମାନେ ଏ ପର୍ୟ୍ୟନ୍ତ ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି ଏବଂ ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଜନା ଓ ରକ୍ତହୀନତା ନିମନ୍ତେ ପରୀକ୍ଷା ଓ ଚିକିତ୍ସା ପାଇନାହାନ୍ତି ସେମାନଙ୍କ ନିମନ୍ତେ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ହାତକୁ ନିଆଯିବ। ଗର୍ଭବତୀ ମହିଳାଙ୍କୁ ଟେକ୍ ହୋମ୍ ରାସନ ବ୍ୟତୀତ ଅଙ୍ଗନବାଡ଼ି କେନ୍ଦ୍ରରେ ଆଉଥରେ ରନ୍ଧାଖାଦ୍ୟ ପରିବେଷଣ, ୩ ବର୍ଷ ପର୍ୟ୍ୟନ୍ତ ଶିଶୁଙ୍କ ପାଇଁ ଗୋଷ୍ଠୀ ଦ୍ୱାରା ପରିଚାଳିତ କ୍ରେଚ୍ରେ ଖାଦ୍ୟ, ସ୍ୱାସ୍ଥ୍ୟ ପରୀକ୍ଷା ଆଦି ଅଗ୍ରାଧିକାର ଭିତ୍ତିରେ କରାଯିବ ତଥା ଅତିଶୟ ପୁଷ୍ଟିହୀନ ‘ସାମ୍’ ଶିଶୁଙ୍କ ନିମନ୍ତେ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବ।
ଶିଶୁଙ୍କ ଶାରୀରିକ ଅଭିବୃଦ୍ଧିକୁ ନିୟମିତ ଅନୁଧ୍ୟାନ କରିବା ଉଦ୍ଦେଶ୍ୟରେ ବର୍ଷକୁ ଦୁଇଥର ୦-୬ ବର୍ଷର ପିଲାମାନଙ୍କ ଓଜନ ପରୀକ୍ଷା କରାଯିବ। ପୁଷ୍ଟି କ୍ଷେତ୍ରରେ ଅନଗ୍ରସର ପ୍ରକଳ୍ପରେ କିଶୋରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ଅତିରିକ୍ତ ଗରମ ରନ୍ଧାଖାଦ୍ୟ ଓ ୩ରୁ କମ୍ ବୟସର ଶିଶୁଙ୍କ ପାଇଁ କ୍ରେଚ୍, ଶୁଖିଲା ରାସନ ଓ ଗରମ ରନ୍ଧାଖାଦ୍ୟରେ ପୌଷ୍ଟିକ ତତ୍ତ୍ୱ ମିଶ୍ରଣ, ଓଜନ ଉତ୍ସବ ପାଳନ, ବାର୍ଷିକ ପୁଷ୍ଟି ସ୍ଥିତିର ସର୍ଭେ ଓ ୬ ବର୍ଷରୁ କମ୍ ବୟସର ଶିଶୁ, କିଶୋରୀ, ଗର୍ଭବତୀ, ପ୍ରସୂତି ମହିଳାଙ୍କ ପୁଷ୍ଟି ସାଧନକୁ ସୁନିଶ୍ଚିତ କରିବା ନିମନ୍ତେ ‘ସୋପାନ’ କାର୍ୟ୍ୟକ୍ରମ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିପାରିବ।