ବିଷଣ୍ଣ ବିଶ୍ବ : ବିଶ୍ବାସର ଉଦାତ୍ତ ଘୋଷଣା

ସହସ୍ର ସହସ୍ର ବ୍ୟକ୍ତି ଘୋରତମ ଅଜ୍ଞାନରେ ନିମଜ୍ଜିତ ରହିଥିଲେ ମଧ୍ୟ ତାରତମ୍ୟ ସାମାନ୍ୟ ା ଗତକାଲି ଆମେ ଯାହାଙ୍କୁ ଦର୍ଶନ କଲୁଁ ସେ ଧରାପୃଷ୍ଠରେ ବିଦ୍ୟମାନ; ତାଙ୍କ ଉପସ୍ଥିତି ହିଁ ଏତିକି ସାବ୍ୟସ୍ତ କରିବାକୁ ଯଥେଷ୍ଟ ଯେ ଦିନ ଆସିବ ଯେବେ ଅନ୍ଧକାର ହେବ ଆଲୋକରେ ରୂପାନ୍ତରିତ ଏବଂ ଧରା ପୃଷ୍ଠେ ବାସ୍ତବରେ ପ୍ରବର୍ତ୍ତିତ ହେବ ତୁମ ରାଜୁତି, ’’- ୩୦ ମାର୍ଚ୍ଚ ୧୯୧୪ ତାରିଖରେ ଭଗବାନଙ୍କ ଉଦ୍ଦେଶ୍ୟରେ ତାଙ୍କ ଦିନଲିପିରେ ଏକଥା ଲେଖିଥିଲେ ସୁଦୂର ଫ୍ରାନ୍ସରୁ ପଣ୍ଡିଚେରୀ ଆସି ଶ୍ରୀ ଅରବିନ୍ଦଙ୍କୁ ଭେଟିଥିବା ମୀରା- ପରବର୍ତ୍ତୀ କାଳରେ ଶ୍ରୀମା’ ଭାବରେ ବିଶ୍ବ-ବିଦିତା ତଥା ବିଶ୍ବ-ବନ୍ଦିତା ।
ପଢ଼ି କିମ୍ବା ଲେଖି ଶିଖିବା ପୂର୍ବରୁ ହିଁ ଶିଶୁ ମୀରାଙ୍କ ଜୀବନରେ ଆରମ୍ଭ ହୋଇଥିଲା ଅଭାବନୀୟ ଅନୁସନ୍ଧିତ୍ସା: ଜୀବନର ପ୍ରହେଳିକା, ମାନବତାର ଭବିଷ୍ୟତ ଭଳି ପ୍ରଶ୍ନସବୁ ଉପରେ ସେ ରହୁଥିଲେ ଦୀର୍ଘକାଳ ଏକାଗ୍ର । ଚେତନାର ଆକାଶରେ ସେ ଧ୍ୟାନଦୃଷ୍ଟିରେ ଦେଖୁଥିଲେ ଏକାଧିକ ଜ୍ୟୋତିର୍ମୟ ରୂପ; ତହିଁରୁ​‌ ସେ ଜଣଙ୍କୁ ଜାଣୁଥିଲେ ଆପଣାର ଦିଗ୍‌ଦର୍ଶକ ବୋଲି ଏବଂ ତାଙ୍କୁ ନିରବରେ ନାମିତ କରିଥିଲେ ‘କୃଷ୍ଣ’- ଶବ୍ଦଟିର ଅର୍ଥ ବା ତାତ୍ପର୍ଯ୍ୟ ନ ଜାଣି ମଧ୍ୟ । ବୟସ ବୃଦ୍ଧି ସଙ୍ଗେସଙ୍ଗେ ସଚେତନ ଭାବରେ ସେ ସନ୍ଧାନ ଓ ସାଧନାର ବହୁ ପର୍ଯ୍ୟାୟ ଆଦରି ନେଲେ; ସେସବୁର ମର୍ମ ହୃଦୟଙ୍ଗମ କଲେ । ଆଲଜେରିଆ ଯାଇ ନିର୍ଗୁଢ଼ ବା ଅତିଭୌତିକ ବିଦ୍ୟା (Occulitism) ରେ ଅପ୍ରତିଦ୍ବନ୍ଦ୍ବୀ ବିଶେଷଜ୍ଞ ଦମ୍ପତି ମାକ୍ସ୍‌ ଓ ଆଲ୍‌ମା ଥିଓଁଙ୍କଠାରୁ ଶିକ୍ଷା ଗ୍ରହଣକରି ସେମାନଙ୍କୁ ଅତିକ୍ରମ କରିଗଲେ; କିନ୍ତୁ ପ୍ରଥମ ଦର୍ଶନ ମାତ୍ରେ ଶ୍ରୀ ଅରବିନ୍ଦଙ୍କ ଭିତରେ ତାଙ୍କ ଧ୍ୟାନଗୁରୁ କୃଷ୍ଣଙ୍କୁ ଉପଲବ୍ଧି କରି ସେ ହୃଦୟଙ୍ଗମ କଲେ ​‌େ​‌ଯ ତଦବଧି ସେ ହାସଲ କରିଥିବା ଯାବତୀୟ ସିଦ୍ଧି ଏହି ଦିବ୍ୟପୁରୁଷଙ୍କ ପୂର୍ଣ୍ଣଯୋଗରେ ସହାୟତା ନିମନ୍ତେ ଥିଲା ପ୍ରସ୍ତୁତି ମାତ୍ର; ତାଙ୍କ ଅନୁଭବରେ, ‘‘ପୃଥିବୀର ଅଧ୍ୟାତ୍ମିକ ପ୍ରଗତିର ଇତିହାସରେ ଶ୍ରୀ ଅରବିନ୍ଦଙ୍କ ଅବଦାନ ଏକ ନୂତନ ଶିକ୍ଷା ମାତ୍ର ନୁହେଁ, ଏପରିକି ଏକ ନୂତନ ସତ୍ୟର ଉଦ୍ଭାସନ ମାତ୍ର ନୁହେଁ, ତାହା ପରମୋତ୍ତମଙ୍କ ପ୍ରେରିତ ଏକ ପ୍ରତ୍ୟକ୍ଷ ଶକ୍ତିଶାଳୀ କ୍ରିୟା ା’’ (What Sri Aurobindo represent in the history of earth’s spiritual progress is not a teaching, not even a revelation; it is a mighty action straight from the Supreme)
ସେହି ‘ଶକ୍ତିଶାଳୀ କ୍ରିୟା’ ହେଲା ମାନବ ଚେନତାର ଗୁଣଗତ ବୈପ୍ଳବିକ ରୂପାନ୍ତର । ଅସୁମାରି ସହସ୍ରାବ୍ଦ ତଳେ ଏକଦା ପ୍ରକୃତି ଆରମ୍ଭ କରିଥିବା ସୁଦୀର୍ଘ କ୍ରମବିକାଶ ପଦ୍ଧତିରେ ଉଦ୍ଭୂତ ଆପାତ ଦୃଷ୍ଟିରେ ଏହ ଶେଷଜୀବ ମଣିଷ ବା ପୂର୍ବରୁ ଉଦ୍ଭୂତ ଯାବତୀୟ ପ୍ରାଣୀ ତୁଳନାରେ ବୃଦ୍ଧି,ବିବେକ ଓ ଜ୍ଞାନରେ ଅତୁଳନୀୟ । ପ୍ରକୃତି କହନ୍ତୁ ବା ପ୍ରକୃତିର ନିୟାମକ ଭଗବାନ କହନ୍ତୁ, ସେ ଶକ୍ତି ଆଶା କରେ ଯେ ଇତିହାସରୁ ଉପଲବ୍ଧ ଅମାପ ଅଭିଜ୍ଞତାରୁ ଆଜିର ମଣିଷ ଏତକ ଅନୁଭବ କରିବାକୁ ସକ୍ଷମ​‌ ଯେ ଏକ ଦିଗରେ ସତ୍ୟ, ନ୍ୟାୟ, କରୁଣା ଏବଂ ଅନ୍ୟ ଦିଗରେ ମିଥ୍ୟା, ଅନ୍ୟାୟ ଏବଂ ନିର୍ମମତା ଭିତରୁ ପ୍ରଥମ ଧାରା ହିଁ ଶ୍ରେୟସ୍କର । କେବଳ ନୀତି ଏବଂ ଆଦର୍ଶ ଦୃଷ୍ଟିରୁ ନୁହେଁ, ବାସ୍ତବ ସୁଖ, ଶାନ୍ତି ଓ ପ୍ରଗତିର ପୁଲକ ଭୋଗ କରିବା ନିମନ୍ତେ ଏ ମାର୍ଗର ବିକଳ୍ପ ନାହିଁ । ମଣିଷ ତା’ ନିଜସ୍ବ ବୋଧଶକ୍ତି ଯୋଗେ ଏତକ ବୁଝିବ ଏବଂ ତଦନୁସାରେ ଆପଣାକୁ ପରିଚାଳିତ କରିବ, ଏହା ହିଁ ବିବର୍ତ୍ତନୀ ଶକ୍ତିର ପ୍ରତ୍ୟାଶା । ନଚେତ୍‌ ତା’ ସୃଷ୍ଟ କାଉ, କୋଇଲି, ଛେଳି, କୁକୁଡ଼ା, ବିଲୁଆ, ବାଘ,ସିଂହ, ଭାଲୁ, ଗଧାଦି ସମ୍ବଳିତ ବିଚିତ୍ର ପ୍ରଦର୍ଶନୀରେ ସେ ଶକ୍ତି ତୃପ୍ତ ରହିଥାଆନ୍ତା କିମ୍ବା ସେ ଶକ୍ତି ଯଦି କେବଳ ମାତ୍ର ଆକାର ଟିକିଏ ଭିନ୍ନ କରି ଗରିଲା, ଓରାଂ ଉଟାଂ ଭଳି ଦ୍ବିପାଦ ତାଲିକା କିଞ୍ଚିତ୍‌ ଲମ୍ବାଇବା ସକାଶେ ମଣିଷ ଜାତି ସୃଜିଥାଆନ୍ତା, ତେବେ ‘‘ସାହିତ୍ୟ, ସଙ୍ଗୀତ କଳାବିହୀନ ସାକ୍ଷାତ ପଶୁ, ପୁଚ୍ଛ ବିଷାଣହୀନ’’ ଭାବରେ ହିଁ ଏ ପ୍ରାଣୀର ମୁଣ୍ଡି ମାରିଥାଆନ୍ତା ଏବଂ ତା’ ଚେତନାରେ ଜ୍ଞାନ ଆହରଣ ଶକ୍ତିର ସଞ୍ଚାର କରିନଥାଆନ୍ତା । ପୁଣି ମଣିଷକୁ ତା’ର ବିଶେଷତ୍ବ ସ୍ମରଣ କରାଇଦେବା ନିମନ୍ତେ ଯୁଗେଯୁଗେ ‘‘ଋଷି ପ୍ରାଣେ ଦେବାବତରଣ’’ ଘଟୁ ନ ଥାଆନ୍ତା ଅଥବା କଦବା କୃଷ୍ଣ, ବୁଦ୍ଧ ବା ଯିଶୁମାନେ ଅବତରିତ ହୋଇ କଲବଲ ହେଉନଥାଆନ୍ତେ।
ଅବଶେଷରେ ଆଜି ଏମନ୍ତ ଏକ ପରିସ୍ଥିତି ଉପୁଜିଛି, ଯେତେବେଳେ ଶ୍ରୀ ଅରବିନ୍ଦଙ୍କ ଭାଷାରେ ଆମେ ଏକ ବିବର୍ତ୍ତନଗତ ସଙ୍କଟରେ ଉପନୀତ ହୋଇଛୁ ା ମଣିଷ ତିଆରି କରିପକାଇଛି ଏକ ବିପୁଳ ଜଟିଳ ଯାନ୍ତ୍ରିକ ସଭ୍ୟତା ଯାହାକୁ ଆୟତ୍ତରେ ରଖିବା ଭଳି ଆନ୍ତଃଶକ୍ତି ତା’ର ନାହିଁ ; ତାକୁ ଆପଣାର ଦାସ କରିବାକୁ ଯାଇ ମଣିଷ ହିଁ ତା’ର କ୍ରୀତଦାସ ବନିଯାଇଛି ା ସଂକ୍ଷେପରେ, ଏହାର ପରିଣତି ଭାବରେ ଦେଖାଦେଇଛି ଦୁଇଟି ସମ୍ଭାବନା ା ହୁଏତ ବହୁ ପ୍ରାଗୈତିହାସିକ ପ୍ରାଣୀ ଭଳି ମଣିଷ ମଧ୍ୟ ଧରାପୃଷ୍ଠରୁ ବିଲୁପ୍ତ ହେବ, ନତୁବା ସେ କ୍ରମବିକାଶ ଧାରାରେ ଏକ ନୂତନ, ମହତ୍ତର ପର୍ଯ୍ୟାୟକୁ ଉନ୍ନୀତ ହେବ। ପ୍ରଥମ ସମ୍ଭାବନା ସପକ୍ଷରେ ଆମେ ନିକଟ ଅତୀତରେ ବହୁ ହେତୁ ସୃଷ୍ଟି କରିସାରିଛୁଁ : ଡ୍ରଗ୍‌, ହିଂସା- ପ୍ରମତ୍ତ, ସନ୍ତ୍ରାସ-ପୀଡ଼ିତ ମାନବଜାତି ଉପରେ ଝୁଲି ରହିଛି ବିଶ୍ବ-ବିଧ୍ବଂସୀ ପରମାଣୁ ବିସ୍ଫୋରକ ଏବଂ ବିକଳ ପର୍ଯ୍ୟାବରଣଗତ ପ୍ରଳୟକ୍ଷମ ଆତଙ୍କ ।
ସର୍ବୋପରି ଆମକୁ ବିମୂଢ଼ ବନାଇ ଦେଖାଦେଉଛି ଅପ୍ରତ୍ୟାଶିତ ନିତ୍ୟ ନୂତନ ସଂକ୍ରାମକ ବ୍ୟାଧିର ବିଭୀଷିକା ।
ଏହି ମୁହୂର୍ତ୍ତରେ ଆମକୁ ସନ୍ତ୍ରସ୍ତ କରି ରଖିଥିବା ମାରାତ୍ମକ ବ୍ୟାଧିର ପଟଭୂମିରେ ଶ୍ରୀମା’ଙ୍କର ଏକ ଅଭିଜ୍ଞତା ଏକାନ୍ତ ପ୍ରାସଙ୍ଗିକ । ୧୯୧୪ ମସିହାରେ ଶ୍ରୀମା’ଙ୍କର ପଣ୍ଡିଚେରୀ ଅବସ୍ଥାନ ସ୍ବଳ୍ପସ୍ଥାୟୀ ହେଲା- ଯେହେତୁ ଅଚିରେ ପ୍ରଥମ ମହାଯୁଦ୍ଧ ଆରମ୍ଭ ହୁଅନ୍ତେ କେତେକ ଆଇନଗତ କାରଣରୁ ତାଙ୍କୁ ଫ୍ରାନ୍ସ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିଲା । ମହାଯୁଦ୍ଧର ଶେଷବେଳକୁ ଶ୍ରୀମା ରହିଥାଆନ୍ତି ଜାପାନର ଟୋକିଓ ନଗରୀରେ । ସେତିକିବେଳେ (୧୯୧୯) ବ୍ୟାପିଗଲା ‘ସ୍ପେନିସ ଫ୍ଲୁ’ ନାମରେ କୁଖ୍ୟାତ ସଂକ୍ରାମକ ବ୍ୟାଧି । ଅଧିକାଂଶ କ୍ଷେତ୍ରରେ ତୃତୀୟ ଦିନ ହିଁ ଥିଲା ରୋଗୀର ଶେଷଦିନ । ବିଭିନ୍ନ ଦେଶରେ ପ୍ରାୟ ତିରିଶ ନିୟୁତ ଲୋକଙ୍କ ଜୀବନ ନେଇଥିଲା ସେ ଅଚାନକ ଆବିର୍ଭୂତ ସୈତାନ୍ । ସେତେବେଳେ ଆଜି ଭଳି ଗମନାଗମନ ବ୍ୟବସ୍ଥା, ବୈଦ୍ୟୁତିକ ଆଦାନପ୍ରଦାନ ଥିଲା ସ୍ବପ୍ନ । ଟୋକିଓ ନଗରୀର ଅଦୂରରେ ଥିଲା ଏକ କ୍ଷୁଦ୍ର ପଲ୍ଲୀ । ଦିନେ ନଗରୀରୁ ଜଣେ ଡାକ କର୍ମଚାରୀ କୌଣସି ପଲ୍ଲୀବାସୀ ନାମରେ ଆସିଥିବା ଚିଠିଟିଏ ପହଞ୍ଚାଇ ଦେବାକୁ ଯାଇ ସାମ୍ନା କଲା ଏହି ଭୟାବହ ବାସ୍ତବତା: ଶୁଭ୍ର ଗାଢ଼ ତୁଷାରର ଆବରଣ ତଳେ ଚିରନିଦ୍ରାରେ ଶାୟିତ ଥିଲେ ଫ୍ଲୁ-ଆକ୍ରାନ୍ତ ପଲ୍ଲୀଟିର ଆବାଳବୃଦ୍ଧବନିତା ।
ଦିନେ ଶ୍ରୀମାଙ୍କୁ କୌଣସି ବିଶେଷ କାରଣରୁ ନଗରୀର ବିପରୀତ ପ୍ରାନ୍ତକୁ ଯିବାକୁ ପଡ଼ିଲା । ଟ୍ରାମ କାର୍‌ ଭିତରେ ସବୁ ଯାତ୍ରୀ ମୁଖା ପିନ୍ଧି ନିରବରେ ବସିଥା’ନ୍ତି । ଶ୍ରୀମା’ଙ୍କ ମନରେ ପ୍ରଶ୍ନ ଉଠିଲା : କ’ଣ ହୋଇଥାଇପାରେ ଏ ବ୍ୟାଧିର ପ୍ରକୃତ ରହସ୍ୟ ? ସେ ନିଜ ବସାକୁ ପ୍ରତ୍ୟାବର୍ତ୍ତନ କଲାବେଳକୁ ଉତ୍ତରର ଭୂମିକା ରୂପେ ତାଙ୍କୁ କାବୁ କରି ନେଇଥିଲା ସେ ଦୂରନ୍ତ ସଂକ୍ରମଣା ଭୀଷଣ ଉତ୍ତାପ ଓ ଭୟାବହ ଯନ୍ତ୍ରଣା ସହି ଏକାକିନୀ ଅପେକ୍ଷା କରିଥାଆନ୍ତି ଶ୍ରୀମା’ । ଦ୍ବିତୀୟ ଦିନ ସେ ଦେଖିଲେ ଗୋଟିଏ ବିକଟ ମୂର୍ତ୍ତି ଢଳିଢଳି ତାଙ୍କ ଆଡ଼େ ଅଗ୍ରସର ହୋଇଆସୁଛି । ଦେହରେ ତା’ର ସୈନିକର ଛିନ୍ନ-ଭିନ୍ନ ପୋଷାକ। ମୁଣ୍ଡରୁ ଫାଳେ ଉଡ଼ିଯାଇଛି। ପର ମୁହୂର୍ତ୍ତରେ ସେହି ବିକଟ ଆଗନ୍ତୁକ ଝାମ୍ପିପଡ଼ିଲା ଶ୍ରୀମାଙ୍କ ବକ୍ଷ ଉପରେ ଏବଂ ସେହି ବୀଭତ୍ସ ଛିନ୍ନ ମୁହଁ ଦେଇ ତାଙ୍କ ପ୍ରାଣଶକ୍ତି ଶୋଷିବାକୁ ଲାଗିଲା । ସେତେବେଳେ ଶ୍ରୀମା’ ବୁଝିଲେ ତାଙ୍କ ସାଧାରଣ ସାମର୍ଥ୍ୟ ଯୋଗେ ମୃତ୍ୟୁକୁ ରୋକିବା ସମ୍ଭବ ନୁହେଁ, ସେ ନିଜର ଅତି​‌େ​‌ଭୗତିକ ଶକ୍ତି ପ୍ରୟୋଗ କଲେ । ନିମିଷକ ଭିତରେ ଓଲଟି ପଡ଼ି ଧରାଶାୟୀ ହେଲା ସେ ମୃତ୍ୟୁଦୂତ । ପରେପରେ ସେ ସ୍ଖଳିତ ପଦପାତରେ ବାହାରିଗଲା- ସମ୍ଭବତଃ ଚିରତରେ ସତ୍ତା ତା’ର ଲୁପ୍ତ ହେଲା । କାରଣ ତହିଁ ପରଦିନଠାରୁ ଆଉ କେହି ସେ ବ୍ୟାଧିରେ ଆକ୍ରାନ୍ତ ହେଲେ ନାହିଁ । (ଶ୍ରୀମା’ଙ୍କୁ ଉତ୍ତମ ରୂପେ ଜାଣିଥିବା କୌଣସି ବାନ୍ଧବୀ ମାଧ୍ୟମରେ ସେତେବେଳେ କଥାଟି ଜାପାନୀ ସମ୍ବାଦପତ୍ରମାନଙ୍କରେ ଚାଞ୍ଚଲ୍ୟ ସୃଜିଥିଲା। )
ଶ୍ରୀମା’ଙ୍କୁ ମିଳିଯାଇଥିଲା ତାଙ୍କ କୌତୂହଳର ଉତ୍ତର । ମହାଯୁଦ୍ଧରେ ଆକସ୍ମିକ ଭାବେ କମାଣ ମୁହଁରେ, ଟ୍ରେଞ୍ଚ ଭିତରେ, ବୋମା ମାଡ଼ରେ ପ୍ରାଣ ହାରିଥିଲେ ସହସ୍ର ତରୁଣ- ପୂର୍ବକ୍ଷଣ ପର୍ଯ୍ୟନ୍ତ ଯେଉଁମାନଙ୍କ ମାନସରେ ଭରିରହିଥିଲା କେତେ ସ୍ବପ୍ନ, କେତେ ଆଶା ଓ ପ୍ରତ୍ୟାଶା । କଳେବରଚ୍ୟୁତ ହତଚକିତ ପ୍ରାଣସତ୍ତାଟିମାନ ପ୍ରଥମେ ବୁଝିପାରୁନଥିଲେ ପରିସ୍ଥିତି ।  ବୁଝିବା ପରେ ବନିଯାଉଥିଲେ ପ୍ରତିହିଂସାପରାୟଣ; ପିଶାଚବତ୍‌ ଆକ୍ରମଣ ଦ୍ବାରା ସେମାନଙ୍କ ସହ ସାମିଲ କରି ନେଉଥିଲେ ଯେତେ ସଂଖ୍ୟକ ସମ୍ଭବ କଳେବରଧାରୀଙ୍କୁ । ଅର୍ଥାତ୍‌ ସେ ବ୍ୟାଧିର ପ୍ରକୃତ ଉତ୍ସ ମଣିଷର ହତାଶ ଓ ବିକ୍ଷୁବ୍ଧ,ହତବମ୍ବ ଓ ପ୍ରତିଶୋଧ-ପ୍ରମତ୍ତ ପ୍ରାଣସତ୍ତା, କୌଣସି ସ୍ଥୂଳ କାରଣ ନୁହେଁ। ଶ୍ରୀମା’ଙ୍କୁ ଆକ୍ରମଣ କରିଥିବା ସତ୍ତାଟି ସମ୍ଭବତଃ ଥିଲା ସେହି ଅପଶକ୍ତିର ଛାୟା- ପ୍ରମୂର୍ତ୍ତ ସାରବତ୍ତା ।
ଆଧ୍ୟାତ୍ମିକ ବା ଅତିଭୌତିକ ଜ୍ଞାନ କଥା ଥାଉ, ଆଜି ହାରାହାରି ମଣିଷର ମନସ୍ତାତ୍ତ୍ବିକ ଜ୍ଞାନ ମଧ୍ୟ ଯଥେଷ୍ଟ ବିକଶିତ- ପ୍ରାୟ ସାଧାରଣ ଜ୍ଞାନରେ ପରିଣତ। ନିଷ୍କପଟ ଭାବରେ ସେହି ଜ୍ଞାନ ପ୍ରୟୋଗ କରି ଆମେ ବିଭିନ୍ନ ପରିସ୍ଥିତି ଅନୁଶୀଳନ କଲେ ଦେଖିବା, ଆଜିର ବହୁ ସମସ୍ୟା, ବହୁ ବିଘ୍ନ, ବହୁ ସଂକଟର ସ୍ଥୂଳ ହେତୁ ନିର୍ଦ୍ଧାରିତ ହେଉଥିଲେ ମଧ୍ୟ ସ୍ଥୂଳ ଉପାୟ ପ୍ରୟୋଗ କରି ସେ ସବୁର ସମାଧାନରେ ଉପନୀତ ହେବା ସମ୍ଭବପର ହେଉନାହିଁ, ଯେହେତୁ ସେସବୁର ପ୍ରକୃତ ହେତୁ ସୂକ୍ଷ୍ମ । ସମ୍ବିଧାନ, ଆଇନକାନୁନ, ସମାଜ, ଶିକ୍ଷା, ରାଜନୀତି- କୌଣସି କ୍ଷେତ୍ରରେ ଆଦର୍ଶର ଅଭାବ ନାହିଁ; କିନ୍ତୁ ଆମ ଚେତନାରେ ପ୍ରଚ୍ଛନ୍ନ ରହିଛି ଏଭଳି ଏକ ପ୍ରଗାଢ଼ ଅହଂଶାଣିତ ପ୍ରାଗୈତିହାସିକ ସ୍ବାର୍ଥାନ୍ଧ ଉପାଦାନ- ଯାହା ଯେ କୌଣସି ଆଦର୍ଶର ପ୍ରୟୋଗ ବା ରୂପାୟନକୁ କରେ ଭ୍ରଷ୍ଟ ଓ ବିକୃତ। ନିଶ୍ଚେତନ ରୂପୀ ଏହି ଉପାଦାନର ରୂପାନ୍ତର ଶ୍ରୀ ଅରବିନ୍ଦଙ୍କ ଯୋଗର ଅନ୍ୟତମ ଆଭିମୁଖ୍ୟ । ଗରୀୟସୀ ଦିବ୍ୟଶକ୍ତି ଅତିମାନସର ଅବତରଣ ତଥା ସଞ୍ଚାରଣ ଦ୍ବାରା ହିଁ ତାହା ସମ୍ଭବପର ।
ବ୍ରିଟିଶ ଭାରତ ତ୍ୟାଗ କରି ୧୯୧୦ ଏପ୍ରିଲ ୪ ତାରିଖରେ ଶ୍ରୀ ଅରବିନ୍ଦ ପଣ୍ଡିଚେରୀରେ ପଦାର୍ପଣ କରି ରହିଥିଲେ ଅଳ୍ପ କେତେଜଣ ଯୁବକ ଅନୁଗତ ସମଭିବ୍ୟାହାରେ ା ୧୯୨୦ ଏପ୍ରିଲ ୨୪ ତାରିଖରେ ଶ୍ରୀମା’ ଚୂଡ଼ାନ୍ତ ଭାବେ ପଣ୍ଡିଚେରୀ ଚାଲିଆସିବା ଅନ୍ତେ ହିଁ ତାଙ୍କୁ ବେଷ୍ଟନ କରି ଗଢ଼ିଉଠିଲା ତାଙ୍କ ସନ୍ତାନ ସମାବେଶ। ୧୯୨୬ ଏପ୍ରିଲ ୨୪ ତାରିଖରେ ବିଧିବଦ୍ଧ ଭାବରେ ହେଲା ଆଶ୍ରମର ଜୀବନ ପ୍ରଭାତ ।  ସେହିଦିନରୁ ଶ୍ରୀ ଅରବିନ୍ଦ ସର୍ବସମକ୍ଷରୁ ଅପସରି ଯାଇ ରହିଲେ ଯୋଗନିମଗ୍ନ ।  ଦେଶ ବିଦେଶରୁ ଆକର୍ଷିତ ସେହି ପ୍ରଥମ ଯୁଗର ସାଧକମାନଙ୍କର ଯାବତୀୟ ସ୍ଥୂଳ ଆବଶ୍ୟକତା ପୂରଣ କରିବା ସଙ୍ଗେସଙ୍ଗେ ସେମାନଙ୍କର ନାନାବିଧ ସାଧନାଗତ ସମସ୍ୟାର ସମାଧାନ କରୁଥିଲେ ଶ୍ରୀମା । ଶିକ୍ଷା, ସଂସ୍କାର, ରୁଚି, ଧର୍ମ, ବୟସ, ଅହଂର ମାତ୍ରା ତଥା ବୁଦ୍ଧି ଜ୍ଞାନର ତାରତମ୍ୟ ନିର୍ବିଶେଷରେ ଶ୍ରୀମା’ଙ୍କ ଉଦାର କୋଳରେ ସଭିଏଁ ଥିଲେ ନିରାପଦ ଶିଶୁ ପ୍ରାୟେ; ଆରମ୍ଭ କରିଥିଲେ ଜୀବନର ଅଭିନବ ଅଧ୍ୟାୟ। ସେମାନଙ୍କ ଚେତନା ବୈବିତ୍ର୍ୟ ଥିଲା ବ୍ୟାପକ । ପ୍ରତ୍ୟେକକୁ ତା’ ନିଜସ୍ବ ଶକ୍ତି ଅନୁପାତରେ ମିଳୁଥିଲା ଅଧ୍ୟାତ୍ମିକ ସହାୟତା ।
ଯୋଗ ସାଧନାକୁ ସମାଜ ଓ ସଂସାରଠାରୁ ଭିନ୍ନ ବିଚାରିବା ଭାରତର ଆଦି ପରମ୍ପରା ନୁହେଁ; କିନ୍ତୁ ସମୟର ବିଚିତ୍ର ଗତିରେ ଖାଲି ଯୋଗ ନୁହେଁ, ତା’ର ଭିତ୍ତି ଯେଉଁ ଆଧ୍ୟାତ୍ମିକତା, ତା’କୁ ମଧ୍ୟ ସମାଜ ଓ ସଂସାରଠାରୁ ବିଚ୍ଛିନ୍ନ କରି ଦେଖାଗଲା । ଜନ୍ମ-ମୃତ୍ୟୁ ବୃତ୍ତରୁ ମୁକୁଳିଯାଇ ବ୍ୟକ୍ତିଗତ ନିର୍ବାଣ ନିମନ୍ତେ ସାଧନା ଜଣକର ଆଦର୍ଶ ହୋଇପାରେ; କିନ୍ତୁ ସଂସ୍କାର ମିଥ୍ୟା, ଏଭଳି ତତ୍ତ୍ବ ଯେ ପରମ ସ୍ରଷ୍ଟାଙ୍କୁ ପରମ ମିଥ୍ୟାଚାରୀ ଭାବରେ ହିଁ ଉପସ୍ଥାପନ କରେ, ଏ କଥା ବିସ୍ମରି ଦେଲେ ମଧ୍ୟଯୁଗର ବହୁ ଗୁରୁ ଓ ପ୍ରବକ୍ତା ା ସଂସ୍କାର ମିଥ୍ୟା ହୋଇପାରେନା-ଯଦ୍ୟପି ନିଃସନ୍ଦେହରେ ଏହା ଅମାପ ମିଥ୍ୟା ମୂଲ୍ୟବୋଧ ଦ୍ବାରା ଆବରିତ । ଏ ସମ୍ପର୍କରେ ସଚେତ ରହି ପ୍ରତି କର୍ମରେ ପରମ ସ୍ରଷ୍ଟାଙ୍କୁ ସ୍ମରଣ କରି କର୍ମ ତାଙ୍କୁ ହିଁ ଅର୍ପଣ କରିବା- ସେହି ଭାବ-ସଂଯୋଗ ଦ୍ବାରା ସ୍ବତଃସ୍ଫୂର୍ତ୍ତ ରୀତିରେ ସମଗ୍ର ଜୀବନକୁ ଯୋଗ ଭାବରେ ଦେଖିବା-ଏହା ଶ୍ରୀଅରବିନ୍ଦଙ୍କ ପୂର୍ଣ୍ଣାଙ୍ଗ ଯୋଗର ଅନ୍ୟତମ ମାର୍ଗ । ଆଶ୍ରମରେ ଶ୍ରୀମା’ ଏହି କର୍ମଧାରା ପ୍ରବର୍ତ୍ତନ କଲେ; ଏହିଶିକ୍ଷା ପ୍ରବର୍ତ୍ତନ କଲେ ୧୯୪୩ରେ ଉଦ୍‌ଘାଟିତ ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ରରେ । ଶ୍ରୀ ଅରବିନ୍ଦଙ୍କ ଯୋଗଦୃଷ୍ଟିର ଅନ୍ତର୍ଭୁକ୍ତ ସମଗ୍ର ମାନବ ଜାତି; ବିବର୍ତ୍ତନର ପରବର୍ତ୍ତୀ ପଦକ୍ଷେପ ବିଶ୍ବ ମାନବତା ପାଇଁ ଉଦ୍ଦିଷ୍ଟ। ଏହି ସତ୍ୟର ବାସ୍ତବ ପରୀକ୍ଷାଗାର ରୂୂପେ ୧୯୬୮ ମସିହାରେ ସେ ପ୍ରତିଷ୍ଠା କଲେ ଅରୋଭିଲ୍‌।
ଶ୍ରୀଅରବିନ୍ଦ ଏବଂ ଶ୍ରୀମା’ଙ୍କର ପରାବଲୋକନ (Vision) ପୃଥିବୀର ସନ୍ଧାନୀ ମହଲରେ ଅଧିକରୁ ଅଧିକ ଆଗ୍ରହ, ପ୍ରତ୍ୟୟ ଏବଂ ଆଶାର ସଞ୍ଚାର କରୁଛି ଏବଂ ଅନେକ ସୁଧୀ ଓ ମନୀଷୀଙ୍କ ଚିନ୍ତାଧାରାକୁ ନୂତନ ଆଭିମୁଖ୍ୟ ପ୍ରଦାନ କରୁଛି ସତ୍ୟ; କିନ୍ତୁ ଅଧିକାଂଶ କ୍ଷେତ୍ରରେ ଅଦ୍ୟାବଧି ସେ ଆକର୍ଷଣ କୌତୂହଳ, ବୁଦ୍ଧିଗତ ବିଶ୍ବାସ, ଶିକ୍ଷାର୍ଥୀର ଗବେଷଣା ଏବଂ ଅନୁଷ୍ଠାନ ଓ ସଂଗଠନରେ ସୀମିତ ରହୁଛି। ଯେତେ ସଂଖ୍ୟକ ଲୋକ ଆଜି ଏହି ସତ୍ୟର ଆଲୋକରେ ମାନବତାର ଦିବ୍ୟ ଭବିଷ୍ୟତରେ ଆସ୍ଥା ଆହରଣ କରିପାରିଛନ୍ତି, ସେ ସଂଖ୍ୟାର କିୟଦଂଶ ଯଦି ନିଜନିଜ ଚେତନାକୁ ସେ ଦିଗରେ ପ୍ରସ୍ତୁତ କରିବା ନିମନ୍ତେ ନିର୍ଦେଶିତ ପଥରେ ଅଗ୍ରସର ହେଉଥାଆନ୍ତେ, ତେବେ ଅବଶ୍ୟ ଅତିମାନସ ଶକ୍ତି ତା’ର ବିଭୂତି ସାବ୍ୟସ୍ତ କରିବାରେ ସକ୍ଷମ ହୋଇଆଆନ୍ତା ।  ସେ ଶକ୍ତିର ପରୋକ୍ଷ ପ୍ରଭାବ କ୍ରମାଗତ ଭାବେ ମିଥ୍ୟାର ଇମାରସତସବୁକୁ ଭୂଲୁଠିତ କରିଦେବ ଏବଂ ସମ୍ଭବତଃ ତାହା ହେବାକୁ ଆରମ୍ଭ କରିଛି; କିନ୍ତୁ ତା’ର କିଞ୍ଚିତ ପ୍ରତ୍ୟକ୍ଷ ପ୍ରଭାବ ମଧ୍ୟ ଅର୍ଦ୍ଧସତ୍ୟ-ଭିତ୍ତିକ ଆମ ସାମୂହିକ ଜୀବନ ସହ୍ୟ କରିବାକୁ ସକ୍ଷମ ହେବ ନାହିଁ ।  ଅତଏବ ପ୍ରତୀକ୍ଷାରେ ରହିଛି ସେ ଶକ୍ତି ।
୧୯୭୨ ଅଗଷ୍ଟ ୧୫ ତାରିଖରେ ଶ୍ରୀ ଅରବିନ୍ଦଙ୍କ ଜନ୍ମ ଶତବାର୍ଷିକୀ ପାଳନରେ ଦିଗ୍‌ଦର୍ଶନ ଦେଇସାରି ପରବର୍ତ୍ତୀ ବର୍ଷ ନଭେମ୍ବର ୧୭ ତାରିଖରେ ଶ୍ରୀମା’ ସ୍ଥୂଳ ତନୁ ତ୍ୟାଗ କଲେ; କିନ୍ତୁ ସେମାନଙ୍କ ଆବାହିତ ମହାଶକ୍ତିର ପ୍ରତିଷ୍ଠା ବିବର୍ତ୍ତନର ନିୟମ ଅନୁସାରେ ଅନିବାର୍ଯ୍ୟ। ମାନବତାର ଶୁଭେଚ୍ଛୁବର୍ଗ ଆଜି ଶ୍ରୀମା’ଙ୍କର ନିମୋକ୍ତ ଚେତାବନୀ ଉପରେ ଧ୍ୟାନ- ନିବଦ୍ଧ କରିବା ହେବ ତାଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି :
‘‘ଚେତନାର ପରିବର୍ତ୍ତନ ଉପରେ ହିଁ ନିର୍ଭର କରେ ଧରିତ୍ରୀର ଭବିଷ୍ୟତ। ଭବିଷ୍ୟତ ସକାଶେ ଏକମାତ୍ର ଆଶା ମଣିଷର ଚେତନାର ପରିବର୍ତ୍ତନରେ ନିହିତ ଏବଂ ସେ ପରିବର୍ତ୍ତନ ସାଧିତ ହେବା ଅନିବାର୍ଯ୍ୟ; କିନ୍ତୁ ମଣିଷମାନଙ୍କ ଉପରେ ଛାଡ଼ିଦିଆଯାଇଛି ଏହି ସିଦ୍ଧାନ୍ତର ଭାର-ସେମାନେ ଏହି ପରିବର୍ତ୍ତନରେ ସହଯୋଗ କରିବେ ନା ବିପର୍ଯ୍ୟୟକାରୀ ପରିସ୍ଥିତି ସବୁର ଶକ୍ତି ପ୍ରୟୋଗ ଯୋଗେ ତାହା ସେମାନଙ୍କ ଉପରେ ବାଧ୍ୟାରୋପ କରାଯିବ ା ଅତଏବ, ଚେଇଁ ଉଠ ଏବଂ ସହଯୋଗ କର !’’ (‘The future of the earth depends on a change of consciousness. The only hope for the future is in a change of man’s consciousness and the change is bound to come. But it is left to men to decide if they will collaborate for this change or it will have to be enforced upon them by the power of crushing circumstances. So, wake up and collaborate! )

ମନୋଜ ଦାସ

ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ର
ପୁଡ଼ୁଚେରୀ

Comments are closed.