ସମଗ୍ର ମାନବ ଜଗତ ହିତରେ ‘ସମାଜ’

ଆଜି ଶତାୟୁ ‘ସମାଜ’ର ଶୁଭକାମନା କରି ଏହାକୁ ପ୍ରତିଷ୍ଠା କରିଥିବା ଏପରି ଜଣେ ମଣିଷକୁ ଆମେ ସ୍ମରଣ କରି ଧନ୍ୟ ମନେ କରୁଛେ, ଯିଏ ବ୍ୟକ୍ତିତ୍ୱକୁ ସାର୍ଥକ କରିବାର ପ୍ରେରଣା ଆମକୁ ଦେଇ ଯାଇଛନ୍ତି। ସେ ହେଉଛନ୍ତି ସେବାର ମୂର୍ତ୍ତିମନ୍ତ ପ୍ରତୀକ, ତ୍ୟାଗର ଜ୍ୱଳନ୍ତ ଦୀପଶିଖା, ସ୍ୱଦେଶପ୍ରେମୀ, ଦୂରଦର୍ଶୀ, ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱ, ଦରଦୀ ମଣିଷ, ସୃଜନଶୀଳ କବି, ନୀତିନିଷ୍ଠ ବିପ୍ଲବୀ, ପ୍ରତିବଦ୍ଧ ସାମ୍ବାଦିକ ଉତ୍କଳମଣି ଗୋପବନ୍ଧୁ ଦାସ।
ଏହି ପରିପ୍ରେକ୍ଷୀରେ ଏପରି ଆଦର୍ଶ ପୁରୁଷଙ୍କ ତତ୍କାଳୀନ ସମାଜର ଚିତ୍ର ଆଙ୍କିବାକୁ ଗଲେ ତାଙ୍କର ଶୈଶବ, କୈଶୋର, ଯୌବନ ତଥା ସାମାଜିକ ଜୀବନ ସମ୍ପର୍କରେ ସ୍ମରଣ କରିବାକୁ ପଡ଼ିବ। ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଭୂମିଷ୍ଠ ହୋଇଥିବା ଏହି ମହାନ୍ ପୁଣ୍ୟାତ୍ମା ଶୈଶବରୁ ମାତୃହରା ଥିଲେ। ଦଦେଇ ଦୀନବନ୍ଧୁ ଦାଶଙ୍କ ଦୈନିକ ଭାଗବତ ପାଠ ଗୋପବନ୍ଧୁଙ୍କୁ ୫ବର୍ଷରୁ ବୟସରୁ ପ୍ରଭାବିତ କରିଥିଲା। “କର୍ମ ମୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ” – ଭାଗବତର ଏହି ଉକ୍ତିକୁ ତର୍ଜମା କରିଥିବା କିଶୋର ଗୋପବନ୍ଧୁ ପରବର୍ତ୍ତୀ ଜୀବନରେ ‘ମାନବ ଜୀବନ ନୁହଁଇ କେବଳ ବର୍ଷ, ମାସ, ଦିନ ଦଣ୍ଡ…’ ରଚନା କରିଥିଲେ। ଗୋପବନ୍ଧୁଙ୍କ ଜୀବନର ଦ୍ୱିତୀୟ ପ୍ରେରଣା ଥିଲା ଗାଁ ଅବଧାନଙ୍କ ତୁଣ୍ଡରୁ ବାହାରି ଥିବା ‘ଏ ପିଲା ଦିନେ ଭଲ ମଣିଷ ହେବ’। ଏହା କର୍ମବୀର ଗୋପବନ୍ଧୁଙ୍କ ପରବର୍ତ୍ତୀ ଜୀବନରେ ପ୍ରମାଣିତ। ଜଣେ ଅସୁସ୍ଥ ଅବଧାନଙ୍କୁ ବଞ୍ଚାଇ ଗୋପବନ୍ଧୁ ପ୍ରମାଣିତ କରିଥିଲେ ନିଜର ନିର୍ଭୀକତା ଓ ସାହସିକତା। ମାତ୍ର ୮ବର୍ଷ ବୟସରେ ଭାର୍ଗବୀ ନଦୀ କୂଳରେ ଗୋଟିଏ ଆଖି ବନ୍ଦ କରି ଆକାଶ ଓ ଦିଗ୍‌ବଳୟକୁ ଦେଖୁଥିବା ସମୟରେ ଜଣେ ପଥଚାରୀ ତାଙ୍କୁ ଏହା ନ’କରିବାକୁ ପ୍ରବର୍ତ୍ତାଇଲେ। “ଏପରି କାହିଁକି କରୁଛ”? ଏ ପ୍ରଶ୍ନର ଗୋପବନ୍ଧୁଙ୍କ ଉତ୍ତର ଥିଲା ମର୍ମସ୍ପର୍ଶୀ ଓ ସାମାଜିକ ଅନୁଶୀଳନର ଏକ ତୀର୍ଯ୍ୟକ ଅନୁଧ୍ୟାନ। “ଗୋଟିଏ ଆଖିରେ ସଂସାରଟା କିପରି ଦେଖାଯାଉଛି ଦେଖୁଛି ” ବୋଲି କହିଥିଲେ ଗୋପବନ୍ଧୁ। ପରିବାର, ଛାତ୍ରାବସ୍ଥା ଓ ସମାଜରୁ ଆହରଣ କରିଥିବା ଅନୁଭୂତିକୁ ସାର୍ଥକ କରିବାକୁ ଗୋପବନ୍ଧୁ ଆରମ୍ଭ କରିଥିଲେ ସମାଜ ସେବା। ଏହାର ପ୍ରତ୍ୟକ୍ଷ ପ୍ରମାଣ ପାଉ, ଆମେ ତାଙ୍କ ହାତ ତିଆରି ଅନୁଷ୍ଠାନଗୁଡ଼ିକର ସଂଯୋଗୀକରଣରୁ।
୧୯୧୯ ଅକ୍ଟୋବର ୪ରେ ଜନ୍ମ ନେଲା ସାପ୍ତାହିକ ସମ୍ବାଦପତ୍ର ‘ସମାଜ’- ପରିବର୍ତ୍ତିତ ପୃଷ୍ଠଭୂମିରେ ଜନସମାଜର ଦାବି ଅନୁସାରେ ଏହା ହେଲା ଦୈନିକ। ‘ସମାଜ’ ନାମକରଣ ନେଇ କୌଣସି ବଳିଷ୍ଠ ପ୍ରାମାଣିକ କିମ୍ବଦନ୍ତୀ ନାହିଁ; ତେବେ ସମଗ୍ର ମାନବ ଜଗତ ପାଇଁ ଉତ୍ସର୍ଗ ସ୍ୱରୂପ ଏହି ନାମକରଣ କରାଯାଇଥିବା କୁହାଯାଏ- ‘ସ’ (ସମଗ୍ର), ‘ମା’ (ମାନବ), ‘ଜ’ (ଜଗତ)ର ସମାହାର ହେଉଛି ‘ସମାଜ’। ପରବର୍ତ୍ତୀ ସମୟରେ ପରିଚାଳନା ଦାୟିତ୍ୱ ନେଲେ ଲାଲା ଲଜପତ ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ “ଲୋକସେବକ ମଣ୍ଡଳ”। ଏହିଠାରେ ଏହି ନାମକରଣଗୁଡ଼ିକର ସଂଯୋଗୀକରଣ ପ୍ରମାଣ କରେ ଏକ ଲୋକାଭିମୁଖୀ ଆଭିମୁଖ୍ୟ। ସମାଜର ଉନ୍ନତି କଳ୍ପେ ‘ସମାଜ’ରେ ପ୍ରକାଶ ପାଇଲା ଲୋକସେବା ସଂପର୍କୀୟ ତଥ୍ୟ ଏବଂ ଏହାର ସୂତ୍ରଧର ହେଲେ ଗୋପବନ୍ଧୁ ଦାସ। ଏହି ନାମକରଣରେ ଥିବା ଶବ୍ଦଗୁଡ଼ିକୁ ଅର୍ଥ କଲେ ଗୋପ = ପୁରାଣର ଏକ ରାଜ୍ୟ = ଏବର ମଣିଷ ସମାଜ। ‘ବନ୍ଧୁ’ ଅର୍ଥ ସମସ୍ତଙ୍କୁ ଯେ ନିଜର କରି ସାହାଯ୍ୟ, ସହଯୋଗ ଓ ସେବା ଯୋଗାଇବାର ଅଭିଳାଷ ଅଛି। ଏହି ଦୁଇଟି ଯାହାଙ୍କଠାରେ ପ୍ରତୀୟମାନ ସେ ହେଲେ ‘ଗୋପବନ୍ଧୁ’। ଗୋପବନ୍ଧୁ ଜାତିରେ ବ୍ରାହ୍ମଣ ହୋଇଥିବାରୁ ତାଙ୍କର ସାଙ୍ଗିଆ ହେବା କଥା ‘ଦାଶ’; କିନ୍ତୁ ‘ସେବକ’ ଅର୍ଥ ନେଇ ସେ ଲେଖୁଥିଲେ ‘ଦାସ’। ଏହାଦ୍ବାରା ସେ ସମାଜ ଓ ଏହାର ପ୍ରତ୍ୟେକ ମଣିଷକୁ ଭଲ ପାଉଥିବା ପ୍ରାମଣ କଲେ।
ଏହିସବୁ ଦର୍ଶାଇବାର କାରଣ ଦୁଇଟି। ଆଜିର ବିପର୍ଯ୍ୟସ୍ତ ପରିବାରରେ ସୃଷ୍ଟ ବିଚଳିତ ମଣିଷ ସମାଜକୁ କରିଚାଲିଛି ଦୁର୍ଦଶାଗ୍ରସ୍ତ। ଏହିପରି ସଙ୍କଟମୟ ସ୍ଥିତିରେ ମଣିଷର ଏକମାତ୍ର ସାହା ଓ ଭରସା ହେଉଛି କର୍ମବୀର ଗୋପବନ୍ଧୁଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ସାର୍ଥକ କରିଥିବା ‘ସମାଜ’। ନିରପେକ୍ଷ ଓ ସର୍ଜନଶୀଳ ଏକ ପତ୍ରିକା ଭାବେ ଘରେଘରେ ପରିଚିତ ‘ସମାଜ’ ଅବହେଳିତ, ନିଷ୍ପେଷିତ, ପ୍ରାକୃତିକ ଦୁର୍ବିପାକରେ ହନ୍ତସନ୍ତ ଲୋକଙ୍କ ସାଥୀ ହୋଇଛି। କେବଳ ସେତିକି ନୁହେଁ, ଅତିଷ୍ଠ, ଅଭାବୀ, ରୋଗାକ୍ରାନ୍ତ, ପୀଡ଼ିତ, ଅବହେଳିତ, ଅସହାୟ ମହିଳାଙ୍କ ପାଇଁ ଭରସା ସାଜିଛି। ପଡ଼ା, ଗ୍ରାମ, ଅଞ୍ଚଳ, ସହରଗୁଡ଼ିକର ପ୍ରତିକାରମୁଖୀ ପଦକ୍ଷେପର ବାର୍ତ୍ତାବହ ଭାବେ ମାନ୍ୟତା ଲାଭ କରିଛି। ଜଣେ ନିଃସ୍ୱାର୍ଥପର ପ୍ରତିଷ୍ଠାତାଙ୍କ ଦୂରଦୃଷ୍ଟିରୁ ଜନ୍ମ ‘ସମାଜ’ ତାଙ୍କ ଅବର୍ତ୍ତମାନରେ ବି ସେବା କରିଚାଲିଛି। ଧର୍ମ, ବର୍ଗ, ଶ୍ରେଣୀ, ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଆପଣାର କରିଛି। ସେମାନଙ୍କ ବିପଦର ବନ୍ଧୁ ହୋଇଛି। ରକ୍ତଦାନ, ଅଙ୍ଗଦାନ, ବାତ୍ୟା ଓ ବନ୍ୟାକ୍ଲିଷ୍ଟଙ୍କ ନିମନ୍ତେ ଦାନ ଗ୍ରହଣ କରି ସାଧାରଣ ମଣିଷଙ୍କ ଶ୍ରଦ୍ଧାଭାଜନ ହୋଇଛି। ଏହି ମହାମାନବଙ୍କ ନୈତିକ ମୂଲ୍ୟବୋଧ ଓ ସାମାଜିକ ଏକତା ସ୍ପଷ୍ଟ ଭାବରେ ଦେଖିବାକୁ ମିଳେ ଆଜିର ‘ସମାଜ’ରେ।
ପୁଣ୍ୟାତ୍ମା ଗୋପବନ୍ଧୁ ମହାତ୍ମା ଗାନ୍ଧୀଙ୍କ ବିଶ୍ୱସ୍ତ ଏବଂ ଉତ୍କଳ ଗୌରବ ମଧୁବାବୁଙ୍କ ସହଯୋଗୀ ଥିଲେ। କୌଣସି ବ୍ୟକ୍ତିବିଶେଷ, କ୍ଷମତାଧାରୀ ଓ ରାଜନେତାଙ୍କ ଦ୍ୱାରା ପ୍ରଭାବିତ ହୋଇ ‘ସମାଜ’ ନିରପେକ୍ଷତାରୁ ଦୂରେଇ ଯାଇନି କିମ୍ବା ଏହାର ମୌଳିକତା ହରାଇ ନାହିଁ। ‘ସମାଜ’ ଏକ ଖବରକାଗଜ ନୁହେଁ, ଏହା ଏକ ସାମାଜିକ, ସାତ୍ତ୍ୱିକ, ଶୈକ୍ଷିକ, ସାଂସ୍କୃତିକ ତଥା ତାତ୍ତ୍ବିକ ଅନୁଷ୍ଠାନ। ‘ସମାଜ’ କ୍ରମେ ନିଜକୁ ଏକ ଖବରକାଗଜରୁ ଏକ ସାମାଜିକ ଅନୁଷ୍ଠାନରେ ପରିବର୍ତ୍ତିତ କରିସାରିଛି। ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏହା ସମାଜସଂସ୍କାର ତଥା ଦେଶ ଗଠନ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି। ଏହି ଗଠନମୂଳକ କାର୍ଯ୍ୟ ପାଇଁ ୨୦୦୭ ମସିହାରେ ‘ସମାଜ’କୁ ‘ଆଇ.ଏଲ୍.ଏନ୍.ଏ’ ସର୍ବୋତ୍କୃଷ୍ଟ ଜାତୀୟବାଦୀ ଖବରକାଗଜ ଭାବରେ ସମ୍ମାନିତ କରାଯାଇଛି। ଏହା ବ୍ୟତୀତ ‘ସମାଜ’ର ରିଲିଫ୍ କମିଟି ମଧ୍ୟ ଖୁବ୍ ଉଚ୍ଚକୋଟୀର ସମାଜ ସେବା କାର୍ଯ୍ୟ କରିଆସିଛି। ବ୍ୟକ୍ତିକୈନ୍ଦ୍ରିକ ହୋଇ ନିଜର ସତ୍ତା ହରାଇବା ତଥା ଆତ୍ମମର୍ଯ୍ୟାଦାକୁ ବଳିଦେଇ ସମାଜରୁ ‘ସମାଜ’ ଆଦୌ ଦୂରେଇ ଯାଇନି। ଅଶ୍ଳୀଳ ବିଜ୍ଞାପନ, ସିନେମା, ଆଜିର ଅରୁଚିକର ଛବି, ଅସାମାଜିକ ଓ ଅଗ୍ରହଣୀୟ ସମ୍ବାଦ ଛାପି ଅର୍ଥ ପିପାସୁ ନ’ହେବା ‘ସମାଜ’ର ଏକ ସ୍ୱତନ୍ତ୍ର ପରିଚୟ। ଏହି ବିଶାଳ ଅନୁଷ୍ଠାନ ଆଜି ଶତାବ୍ଦୀ ବର୍ଷର ଯାତ୍ରାରମ୍ଭ କଲାବେଳେ ସ୍ୱତଃ କୋଟିକୋଟି ଓଡ଼ିଆଙ୍କ ପ୍ରାଣରେ ଏକ ସ୍ୱତନ୍ତ୍ର ସ୍ପନ୍ଦନ ଓ ଶିହରଣ ସୃଷ୍ଟି ହେଉଛି। ଅଧିକନ୍ତୁ, ଏହା ଆମ ସମଗ୍ର ଭାରତବର୍ଷର ସମ୍ବାଦପତ୍ର କ୍ଷେତ୍ରରେ ଅନନ୍ୟ ଗୌରବର ସ୍ୱାକ୍ଷର ବହନ କରୁଛି।
ଏକ ସମ୍ବାଦପତ୍ରର ସବୁଠାରୁ ବଡ଼ ସମ୍ପଦ ହେଲେ ଏହାର ପାଠକପାଠିକା। ‘ସମାଜ’ ଖବରକାଗଜ ସାଧାରଣ ପାଠକୀୟତାଠାରୁ ଯଥେଷ୍ଟ ଊର୍ଦ୍ଧ୍ବରେ। ପାଠକପାଠିକା ହେଲେ ‘ସମାଜ’ ପରିବାରର ସଦସ୍ୟ। ସେଥିପାଇଁ ଏହି ଖବରକାଗଜର ବିଶ୍ୱସନୀୟତାର ପଟାନ୍ତର ଅତି ବିରଳ। ଆଜି ୯୯ବର୍ଷ ପଛକୁ ଚାହିଁଲା ବେଳକୁ ଏକ ପ୍ରଶ୍ନ ସ୍ୱାଭାବିକ ଭାବରେ ମନକୁ ଆସୁଛି – ‘ପଣ୍ଡିତ ଗୋପବନ୍ଧୁ ଦାସ ଯଦି ‘ସମାଜ’ ପ୍ରତିଷ୍ଠା କରି ନ’ଥାନ୍ତେ ତା’ହେଲେ ଓଡ଼ିଶାର କେତେ ବଡ଼ କ୍ଷତି ହୋଇଥାନ୍ତା !’ ଆମ ପ୍ରଦେଶ ଭାରତବର୍ଷ ଅଥବା ଦେଶ ଦୁନିଆର ଖବର ପରିବେଷଣ କ୍ଷେତ୍ରରେ ଏହାର ଅଗ୍ରଣୀ ଭୂମିକା ଅନସ୍ୱୀକାର୍ଯ୍ୟ। କେବଳ ସେତକ ହୋଇଥିଲେ ‘ସମାଜ’ ବିଭିନ୍ନ ଘଟଣାବଳୀର ମୂକସାକ୍ଷୀ ମାତ୍ର ହୋଇ ରହିଥାନ୍ତା; କିନ୍ତୁ ସ୍ୱାଧୀନତା ସଂଗ୍ରାମ ହେଉ ଅଥବା ବିଶ୍ୱଯୁଦ୍ଧ ହେଉ, ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଗଠନ ଅଥବା ଗଡ଼ଜାତ ଆନ୍ଦୋଳନ କିମ୍ବା ନୂତନ ଓଡ଼ିଶାର ନବଜାଗରଣର ସମାଜ ଏକ ସ୍ବତନ୍ତ୍ର ଭୂମିକା ଗ୍ରହଣ କରି ଆସିଛି। ଏଭଳି ସଫଳତା କ୍ୱଚିତ୍ କୌଣସି ସମ୍ବାଦପତ୍ର ଭାଗ୍ୟରେ ଘଟିଥାଏ। ଆମର ଜାତୀୟ ଜୀବନକୁ ପରିପୁଷ୍ଟ କରିଥିବା ‘ସମାଜ’ର ଭୂମିକାକୁ ଭିନ୍ନ ଏକ ଦୃଷ୍ଟିରେ ଦେଖାଯାଇପାରିବ। ଏହା ଗତ ୯୯ବର୍ଷ ମଧ୍ୟରେ କୋଟିକୋଟି ଓଡ଼ିଆଙ୍କୁ ଗଢ଼ି ତୋଳିଛି। ପାଠପଢ଼ା ସମୟରୁ ସେମାନଙ୍କୁ ଉଚିତ୍ ମାର୍ଗ ଦେଖାଇଛି। ନିଜ ମାତୃଭାଷା ଶିଖାଇଛି। ପୁରୁଣା ପୃଷ୍ଠା ଅବଲୋକନ କଲାବେଳେ ଦେଖାଯାଏ ଅନେକ ବ୍ୟକ୍ତିବିଶେଷଙ୍କ ଜୀବନକୁ ‘ସମାଜ’ ପ୍ରଭାବିତ କରିଛି। ଶେଷ ପର୍ଯ୍ୟନ୍ତ ସେମାନଙ୍କ କାହାଣୀ ଖବରକାଗଜରେ ପ୍ରକାଶ ପାଇଛି। ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେଉଥିବା ବହୁ ବ୍ୟକ୍ତିଙ୍କ କାନମୋଡ଼ି ମାର୍ଗଦର୍ଶନ କରିଛି। ଓଡ଼ିଆମାନଙ୍କ ପାଇଁ ଏକ ବଡ଼ ଉପଲବ୍ଧି ହେଲା ‘ସମାଜ’ କେବଳ ବଡ଼ ମଣିଷ ନୁହେଁ, କୋଟି ସଂଖ୍ୟାରେ ଭଲ ମଣିଷ ମଧ୍ୟ ଗଢ଼ିଛି। କାରଣ ଏହା ନୀତି, ଆଦର୍ଶରୁ ବିଚ୍ୟୁତ ହୋଇ ନାହିଁ। ସତ୍ୟ, ସେବା ଓ ସ୍ୱାଭିମାନ ଏହି ଖବରକାଗଜର ମୂଳ ଲକ୍ଷ୍ୟ ହୋଇଛି। ଏହା ମାଧ୍ୟମରେ ବହୁ ଲୋକ ସନ୍ମାର୍ଗରେ ପ୍ରେରିତ ହୋଇଛନ୍ତି।
ଅକ୍ଟୋବର ୧୯୧୯, ‘ସମାଜ’ ଖବରକାଗଜର ପ୍ରଥମ ସମ୍ପାଦକୀୟରେ ଏହି ମହତ୍ ପ୍ରକାଶନର ଉଦ୍ଦେଶ୍ୟ ଅତି ସ୍ପଷ୍ଟ କରାଯାଇଥିଲା। ସେତେବେଳେ ଓଡ଼ିଶା ଘୋର ଦୁର୍ଦିନର କାଳରାତ୍ରି କବଳିତ ଥିଲା। ସେହି ଅମା ଅନ୍ଧକାର ମଧ୍ୟରୁ ‘ସମାଜ’ ଆଲୋକବର୍ତ୍ତିକା ହୋଇ ଉଭା ହେଲା। କୋଟିକୋଟି ଓଡ଼ିଆ ସେତେବେଳେ ଅନାହାର, ବ୍ୟାଧି, ଅତ୍ୟାଚାରରେ ନିଷ୍ପେଷିତ ହୋଇ ରହିଥିଲେ, ସେତେବେଳେ କାହାରି ପାଟି ଫିଟୁ ନଥିଲା। ତେଣୁ ସମ୍ପାଦକୀୟରେ ଲେଖାଥିଲା – ‘ସମାଜର ତଳଆଡ଼ୁ ‘ସମାଜ’ର କାର୍ଯ୍ୟ।’ ଦୀନଜନଙ୍କ ସେବାରେ ଆଜି ମଧ୍ୟ ଏହି ଅନୁଷ୍ଠାନ ଉତ୍ସର୍ଗୀକୃତ। ସେଥିରେ ପୁନଶ୍ଚ ଉଲ୍ଲେଖ ଅଛି; ‘ଯେତେବେଳେ ଦୁଃଖ ଖୁବ୍ ବେଶି, ତାହା ହିଁ କାର୍ଯ୍ୟ ନିମନ୍ତେ ପ୍ରକୃଷ୍ଟ ସମୟ।’
ଇତିମଧ୍ୟରେ ଗଣମାଧ୍ୟମ ଜଗତରେ ଅନେକ ଉତ୍ତରଣ ଘଟିଛି। ବହୁ ଖବରକାଗଜ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଭାରତ ଭଳି ସର୍ବବୃହତ୍ ଗଣତନ୍ତ୍ରରେ ଏହା ଏକ ଶୁଭ ଲକ୍ଷଣ। ଏହା ମଧ୍ୟରେ ‘ସମାଜ’ ଭଳି ଖବରକାଗଜ ସ୍ଥାନ ଅତି ସ୍ୱତନ୍ତ୍ର। ଯେତେବେଳେ ବାକ୍ ସ୍ୱାଧୀନତା ବିପନ୍ନ ହୋଇଛି ଏହି ଖବରକାଗଜ ଲୋକଙ୍କ ସ୍ୱର ପାଲଟିଛି। ଲୋକସେବକ ମଣ୍ଡଳ ଆନୁକୂଲ୍ୟରେ ପରିଚାଳିତ ଏହି ଖବରକାଗଜ କୌଣସି ବ୍ୟକ୍ତିଗତ ମାଲିକାନା ଅଥବା ବ୍ୟବସାୟିକ ପ୍ରତିଷ୍ଠା ଦ୍ୱାରା ପ୍ରକାଶିତ ନୁହେଁ। ବସ୍ତୁତଃ ଓଡ଼ିଶାବାସୀ ହିଁ ଏହି ଅନୁଷ୍ଠାନର ପ୍ରକୃତ ମାଲିକ। ଆଜି ଶତାୟୁ ହେବା ବେଳକୁ ପ୍ରତି ଓଡ଼ିଆଙ୍କୁ ଆମେ ବିନମ୍ର ନିବେଦନ କରୁଛୁ – ୨୦୧୯ରେ ଶତାବ୍ଦୀ ବର୍ଷ ପୂର୍ତ୍ତି ସହିତ ଏକ ନୂତନ ଶତାବ୍ଦୀର ଯାତ୍ରା ଆରମ୍ଭ କରିବ ଏହି ଅନୁଷ୍ଠାନ। ଆଗାମୀ ପିଢ଼ିକୁ ଏଥିପାଇଁ ପ୍ରସ୍ତୁତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ। ଆଜି ଛାତ୍ରଛାତ୍ରୀମାନଙ୍କ ଆଗରେ ଏହାର ଉଦାହରଣ ରଖିବାକୁ ପଡ଼ିବ ଯେ ଏକ ଅନୁଷ୍ଠାନ କିଭଳି ଶତାବ୍ଦୀର ଗୌରବାବହ ଯାତ୍ରା ସମ୍ପୂର୍ଣ୍ଣ କରିଛି। କ୍ରିକେଟ ମୈଦାନରେ ଦୁଇ ଶତକ, ତ୍ରିଶତକ ହାସଲ କରିବା ଅପେକ୍ଷା ଏ ଜାତି ‘ସମାଜ’ ମାଧ୍ୟମରେ କେଉଁ ପ୍ରକାର ଏକ ବଡ଼ ଧରଣର ଶତକ ହାସଲ କରିଛି ସେହି ଗାଥା ସେମାନେ ଜାଣିବା ଉଚିତ୍। ଆଶା କରୁ, ଆମେ ସମସ୍ତେ ଏ କ୍ଷେତ୍ରରେ ବ୍ରତୀ ହେବା। ଆମ ଜେଜେ ବାପା, ବାପା, ଆମକୁ ରିଲେ ଦୌଡ଼ର ‘ସମାଜ’ ବ୍ୟାଟେନ୍‌ଟିକୁ ଆମ ହାତକୁ ବଢ଼ାଇଛନ୍ତି। ଆମେ ଆମ ଉତ୍ତରପିଢ଼ି ହାତରେ ଏହି ବ୍ୟାଟେନ ଦେଇପାରିଲେ ଆଗାମୀ ଶତାବ୍ଦୀର ଯାତ୍ରା ଆଗକୁ ଆଗକୁ ବଢ଼ିପାରିବ।
“ସମାଜ” କ୍ରମେ ନିଜର ସାମାଜିକ କାର୍ଯ୍ୟ ଓ ସମ୍ମାନ ଦୃଷ୍ଟିରୁ ଗୋଟିଏ ଶିଶୁ ଖବର କାଗଜରୁ ଏକ ପ୍ରତିଷ୍ଠିତ ସ୍ୱନାମଧନ୍ୟ ସାମାଜିକ ଅନୁଷ୍ଠାନ ଭାବେ ଆଗେଇ ଚାଲିଛି – ଏହାହିଁ ଉତ୍କର୍ଷର ଏକ ବଳିଷ୍ଠ ପ୍ରମାଣ। ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ସମଗ୍ର ଜୀବନଧାରାକୁ ଅନୁଶୀଳନ କଲେ ଜଣାଯାଏ ଯେ ସେ ଥିଲେ ମୂଲ୍ୟବୋଧର ନିଷ୍କଳଙ୍କ ମଣିଷ। ଏଣୁ ‘ସମାଜ’ ମଧ୍ୟ ଏ ଧାରାରୁ ବିଚ୍ୟୁତ ହେବା ସମ୍ଭାବନା ନାହିଁ।
୧୯୨୧ ମସିହା ମାର୍ଚ୍ଚ ମାସରେ ଇଂରେଜ ସରକାର ବିରୁଦ୍ଧରେ ଅସହଯୋଗର ବାର୍ତ୍ତା ପ୍ରଚାର କରିବାକୁ କଟକ ଆସି କାଠଯୋଡ଼ି ନଦୀ ପଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଏହି ଆନ୍ଦୋଳନ ସଭାର ଲୋକସମାଗମ ଓ ପରିଚାଳନାରେ ଗୋପବନ୍ଧୁଙ୍କ ତ୍ୟାଗ, କର୍ମନିଷ୍ଠା, ସାଂଗଠନିକ ଦକ୍ଷତା ଓ ସ୍ୱଦେଶ ପ୍ରୀତି ମହାତ୍ମା ଗାନ୍ଧୀଙ୍କୁ ଖୁବ୍ ମୁଗ୍ଧ କରିଥିଲା। ଏବେ ସଂଯୋଗବଶତଃ ମହାତ୍ମା ଗାନ୍ଧୀଙ୍କ ୧୫୦ମ ଜୟନ୍ତୀ ୨୦୧୯ ଅକ୍ଟୋବର ୨ତାରିଖ ପରେ ତାଙ୍କର ପ୍ରିୟ ଶିଷ୍ୟ ମହାମାନବ ଗୋପବନ୍ଧୁଙ୍କ ଆଦର୍ଶ ମାନସପୁତ୍ର ‘ସମାଜ’ ମଧ୍ୟ ପାଳନ କରୁଛି ତାର ଜନ୍ମ ଶତବାର୍ଷିକୀ । କି ଅପୂର୍ବ ସମନ୍ୱୟ!
ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଦିଗ୍‌ଦର୍ଶନକୁ ପାଥେୟ କରି, ଲୋକସେବକ ମଣ୍ଡଳର ନିଷ୍ଠାପରତା, ସ୍ୱଚ୍ଛତା, ଦୃଢ଼ ପରିଚାଳନାର ଦକ୍ଷତାକୁ ସମ୍ବଳ କରି, କାର୍ଯ୍ୟରତ କଷ୍ଟସହିଷ୍ଣୁ କର୍ମଚାରୀଙ୍କ ଅବଦାନକୁ ସାଥୀରେ ନେଇ ସମ୍ବାଦ ପ୍ରତିନିଧି ଓ ପ୍ରସାରକମାନଙ୍କର ବିଭିନ୍ନ ଦୁରବସ୍ଥା ସତ୍ତ୍ବେ ‘ସମାଜ’ର ଜୟଯାତ୍ରା ଜାରି ରହିଛି। ନିର୍ବିବାଦୀୟ ସହଯୋଗିତା ଓ ପାଠକଙ୍କ ସହଭାଗିତାକୁ ଆଧାର କରି ଦ୍ରୁତ ପ୍ରଗତି ପଥରେ ଆଗେଇ ଯାଉଥିବା ଏବଂ ଦୁଃସ୍ଥ ସମାଜର ଆସ୍ଥାଭାଜନ ହେଉଥିବା “ସମାଜ” ଆମ ସମସ୍ତଙ୍କୁ ଆଶ୍ୱସ୍ତ ଓ ସମ୍ମାନିତ କରିଛି। ମଣିଷ ସମାଜ ଥିବା ପର୍ଯ୍ୟନ୍ତ ‘ସମାଜ’ ଦର୍ପଣ ପରି କାମ କରିଚାଲିବ। ଶତାୟୁ “ସମାଜ” ଆରମ୍ଭ କରିବାକୁ ଯାଉଛି ଏକ ନୂତନ ଶତାବ୍ଦୀ। ଆଶା ଓ ବିଶ୍ୱାସ – ଏହା ନିରଙ୍କୁଶ ଓ ସଫଳ ହେଉ।

ସୁଶାନ୍ତ କୁମାର ମହାନ୍ତି

ବାର୍ତ୍ତା ସମ୍ପାଦକ,
ଗୋପବନ୍ଧୁ ଭବନ, କଟକ

Comments
Loading...