ଶୁଭାଗମନର ଶହେ ବର୍ଷ

ଉତ୍କଳମଣିଙ୍କ ଆମନ୍ତ୍ରଣରେ ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଆଗମନ ଭାରତ ଇତିହାସର ଏକ ସ୍ବର୍ଣ୍ଣିମ ଅଧ୍ୟାୟ

୧୯୨୧ ମସିହା ମାର୍ଚ୍ଚ ମାସ ୨୩ ତାରିଖ, ଅର୍ଥାତ୍‌ ଶହେବର୍ଷ ତ​‌େ​‌ଳ ଠିକ୍‌ ଆଜିର ଦିନରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓଡ଼ିଶାରେ ପଦାର୍ପଣ କରିଥିଲେ। ଏହା ଓଡ଼ିଶା ଓ ଭାରତର ଗୌରବୋଳ ସଂଗ୍ରାମୀ ଇତିହାସରେ ଏକ ମାଇଲ୍‌ ଖୁଣ୍ଟ ହୋଇ ଚିରଦିନ ପାଇଁ ରହିଗଲା; କାରଣ ଗାନ୍ଧିଜୀ ଏହା ପରେ ଓଡ଼ିଶାର ଯେଉଁ ଜାଗାକୁ ବି ଯାଇଥିଲେ, ସେଇଠି ଅପୂର୍ବ ବାତାବରଣ ସୃଷ୍ଟି ହୋଇଥିଲା ଏବଂ ଜନମାନସରେ ତା’ର ବହୁଳ ଓ ସୁଦୂରପ୍ରସାରୀ ପ୍ରଭାବ ପକାଇଥିଲା। ଦୂରଦ୍ରଷ୍ଟା ଉତ୍କଳମଣି ଗୋପବନ୍ଧୁ ଦାସ ଏପରି ହେବ ବୋଲି ପୂର୍ବରୁ ଜାଣିପାରି ମହାତ୍ମାଙ୍କୁ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଥିଲେ। ୧୯୨୦ ସେପ୍ଟେମ୍ବରରେ କଲିକତାରେ ଅନୁଷ୍ଠିତ ନିଖିଳ ଭାରତ କଂଗ୍ରେସର ବିଶେଷ ଅଧିବେଶନରେ ଯୋଗଦେବାକୁ ଯାଇଥିବା ଅବସରରେ ଉଭୟଙ୍କ ଭିତରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା।
୨୩ ମାର୍ଚ୍ଚ ୧୯୨୧ରେ ଗାନ୍ଧିଜୀଙ୍କ ଆଗମନ ଦିବସରେ ସରକାର କଟକ ସହରରେ ୧୪୪ ଧାରା ଜାରି କରିଥାନ୍ତି; ତେଣୁ ଗାନ୍ଧିଜୀଙ୍କ ସମ୍ବର୍ଦ୍ଧନା ସଭାସ୍ଥଳ କରାଯିବା ନେଇ ଭାଳେଣି ପଡ଼ିଲା। ପ୍ରତ୍ୟୁତ୍ପନ୍ନମତି ପଣ୍ଡିତ ଗୋପବନ୍ଧୁ ସାଙ୍ଗେସାଙ୍ଗେ ହାତୀଗଡ଼ା ଘାଟ କାଠଯୋଡ଼ି ବାଲି ଉପରେ ସାଧାରଣ ସଭା ହେବ ବୋଲି ସ୍ଥିର କଲେ। ସେଠାରେ ହଜାରହଜାର ଲୋକଙ୍କ ଉପସ୍ଥିତିରେ ତାଙ୍କ ସଭାପତିତ୍ବରେ ଗାନ୍ଧିଜୀଙ୍କୁ ସମ୍ବର୍ଦ୍ଧନା ଦିଆଗଲା। ବିରାଟ ସଭାକୁ ସମ୍ବୋଧନ କରି ଗୋପବନ୍ଧୁ ଯାହା କହିଥିଲେ, ତାହା ସ୍ମରଣୀୟ। ସେ କହିଥିଲେ, ‘‘ଭାଇମାନେ, ଯେଉଁ ମହାତ୍ମା ଗାନ୍ଧୀଙ୍କୁ ଆପଣମାନେ ଦେଖିବେ ବୋଲି ଏତେ ଦିନ ବ୍ୟାକୁଳ ହେଉଥିଲେ, ଆଜି ସେ ଆପଣମାନଙ୍କ ସମ୍ମୁଖରେ ବିଦ୍ୟମାନ। ସେ ଭାରତର ଘରେଘରେ, ଗ୍ରାମେଗ୍ରାମେ ଆବାଳବୃଦ୍ଧବନିତାଙ୍କ ନିକଟରେ ପରିଚିତ। ଅତଏବ ତାଙ୍କର ପରିଚୟ ଦେଇ ସଭାର ବିଧିରକ୍ଷା କରିବା ମୋ ପକ୍ଷରେ ବିଡ଼ମ୍ବନା ମାତ୍ର। +++ ଆଜି ମହାତ୍ମା ଗାନ୍ଧୀଙ୍କ ଶୁଭାଗମନ ଉତ୍କଳ ଇତିହାସରେ ଏକ ନୂତନ ଚିରସ୍ମରଣୀୟ ଘଟଣା।’’ ଗାନ୍ଧିଜୀଙ୍କ ଆଗମନର ଶହେବର୍ଷ ପାଳନ ଅବସରରେ ପ୍ରଶାସନ ପକ୍ଷରୁ ଏହି ଐତିହାସିକ ସଭାର ଏକ ସ୍ମାରକ ନିର୍ମାଣ କରାଯାଇଛି, ଯାହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ।
ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଗସ୍ତରେ ପ୍ରାୟ ଅଧିକାଂଶ ସମୟରେ ଗୋପବନ୍ଧୁ ତାଙ୍କର ସହଯାତ୍ରୀ ଭାବେ ରହିଥିଲେ। ପ୍ରତ୍ୟେକ ସଭାରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ୨୩ ତାରିଖ କାଠଯୋଡ଼ି ବାଲି ସାଧାରଣ ସଭା ପରେ ୨୪ରେ କଟକର କଦମରସୁଲ, ତିନିକୋଣିଆ ବଗିଚା ଏକାଡେମୀ ସ୍କୁଲ ହତା ଆଦି ଅନେକ ସ୍ଥାନରେ ସଭା ହୋଇଥିଲା। ୨୫ ତାରିଖରେ ରେଳଗାଡ଼ି ଯୋଗେ ଗାନ୍ଧିଜୀ ଓ ଗୋପବନ୍ଧୁ ଭଦ୍ରକରେ ପହଞ୍ଚିଥିଲେ। ଗାନ୍ଧିଜୀ ସେଠାରେ ହିନ୍ଦୁ-ମୁସଲମାନ ସାଂପ୍ରଦାୟିକ ସଦ୍ଭାବ ସମ୍ପର୍କରେ ଏକ ଐତିହାସିକ ଭାଷଣ ଦେଇଥିଲେ। ସେହିଦିନ ରାତିରେ ଉଭୟ ସାକ୍ଷିଗୋପାଳ ଆସିଲେ, ଯେଉଁଠାରେ ଗୋପବନ୍ଧୁଙ୍କ ଭାରତବିଖ୍ୟାତ ବନବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା। ସତ୍ୟବାଦୀରେ ଅନୁଷ୍ଠିତ ହୋଇଥିଲା ଏକ ବିରାଟ ସାଧାରଣ ସଭା, ଯେଉଁଠି ଗାନ୍ଧିଜୀ ଦରିଦ୍ର ଗ୍ରାମବାସୀଙ୍କ ଅବସ୍ଥା ଦେଖି ଦୁଃଖୀ ହୋଇପଡ଼ିଥିଲେ। ଏହା ତାଙ୍କ ମନ ଭିତରେ ଏଭଳି ପ୍ରଭାବ ପକାଇଥିଲା ଯେ ସେ ପୁରୀ ଶରଧାବାଲିରେ ଅନୁଷ୍ଠିତ ସଭାରେ ନିଜର ପରିଚ୍ଛଦ ତ୍ୟାଗ ପାଇଁ ସଂକଳ୍ପ କରିଥିବା ଘୋଷଣା କଲେ। ସେହିଦିନଠାରୁ ଗାନ୍ଧିଜୀ ଆଣ୍ଠୁ ତଳକୁ ପଡ଼ିବା ଭଳି ପୋଷାକ ଆଉ ପିନ୍ଧିଲେ ନାହିଁ। ସେହି ସମୟରୁ ହିଁ ଗାନ୍ଧିଜୀ ଓଡ଼ିଶାର ସମସ୍ୟାଗୁଡ଼ିକୁ ବୁଝିବାକୁ ଚେଷ୍ଟା କରିଥିଲେ। ଓଡ଼ିଶାର ଦୁଃଖକଷ୍ଟ, ସଙ୍କଟ, ସମସ୍ୟା ଆଦିକୁ ଦେଖାଇଦେଇ ତାଙ୍କର ଓଡ଼ିଶା ପ୍ରୀତିକୁ ବଢ଼ାଇବାରେ ଗୋପବନ୍ଧୁଙ୍କ ଭୂମିକା ଯେ ସର୍ବାଧିକ, ସେଥିରେ ସନ୍ଦେହ ନାହିଁ। ଗୋପବନ୍ଧୁଙ୍କ ନିଷ୍କପଟ ଭାବମୂର୍ତ୍ତି ଏବଂ ଅସାଧାରଣ ଜନସେବାରେ ସେ ମୁଗ୍ଧ ହୋଇ ତାଙ୍କ ସଂପାଦିତ ଇଂରେଜୀ ସାପ୍ତାହିକ ପତ୍ରିକା ‘ୟଙ୍ଗ୍‌ ଇଣ୍ଡିଆ’ର ୧୩ ଏପ୍ରିଲ ୧୯୨୧ ସଂଖ୍ୟାରେ ତାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ଏଥିରେ ସେ ସତ୍ୟବାଦୀ ବନବିଦ୍ୟାଳୟ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ। ବାସ୍ତବରେ ଗୋପବନ୍ଧୁଙ୍କ ସହ ସେଠାରେ ଆଲୋଚନା ଫଳରେ ହିଁ ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନରେ ଜାତୀୟ ଶିକ୍ଷାର ଗୁରୁତ୍ବ ଉପଲବ୍ଧି କରିଥିଲେ ଏବଂ ତାଙ୍କରି ନିର୍ଦେଶରେ ଜାତୀୟ କଂଗ୍ରେସ ଗୋପବନ୍ଧୁଙ୍କର ଜାତୀୟ ଶିକ୍ଷାନୀତିକୁ ଗ୍ରହଣ କରିବା ସହ ଭାରତର ବିଭିନ୍ନ ସ୍ଥାନରେ ଜାତୀୟ ବିଦ୍ୟାଳୟମାନ ପ୍ରତିଷ୍ଠା କରାଯାଇଥିଲା। ମାର୍ଚ୍ଚ ୨୯ରେ ଗାନ୍ଧିଜୀ ବ୍ରହ୍ମପୁର ଯାଇଥିଲେ ଏବଂ ସେତେବେଳେ ମଧ୍ୟ ତାଙ୍କ ସହ ଥିଲେ ଗୋପବନ୍ଧୁ।
ବିଗତ ଶହେ ବର୍ଷ ଭିତରେ ପୃଥିବୀ ବହୁତ ବଦଳିସାରିଛି। ମନୁଷ୍ୟର ଚିନ୍ତାଚେତନାରେ ମଧ୍ୟ ଅନେକ ପରିବର୍ତ୍ତନ ଘଟିଛି। କେତେକ କ୍ଷେତ୍ରରେ ଆଶାଠୁ ଅଧିକ ଉନ୍ନତି ହୋଇଛି; କିନ୍ତୁ ସବୁଠି ଅସଲ ମୂଲ୍ୟବୋଧ ଟିକକ କମିକମି ଚାଲିଛି। ଏହା ହିଁ ସବୁଠୁ ବଡ଼ ବିଡ଼ମ୍ବନା। ବାହ୍ୟାଡମ୍ବର ଓ ଦେଖାଇ ହେବାର ପ୍ରବୃତ୍ତି ଛାଡ଼ି ସମାଜରେ ଏବେ ମଧ୍ୟ ରହିଥିବା ଅବହେଳିତ, ନିଷ୍ପେଷିତ, ବଞ୍ଚିତ ମନୁଷ୍ୟମାନଙ୍କ ଦୁଃଖଦୁର୍ଦଶାରେ ସହଭାଗୀ ଓ ସମ୍ବେଦନଶୀଳ ହେବା ପ୍ରତ୍ୟେକ ଗାନ୍ଧୀ-ଗୋପବନ୍ଧୁପ୍ରେମୀଙ୍କର ଲକ୍ଷ୍ୟ ହେବା ଉଚିତ। ଏହି ଅବସରରେ ଆମେ ଏହାର ପୁନଃମନନ କରିବା।

Comments are closed.