ଜାଣନ୍ତୁ, ଭାରତରେ କେବେ ହୋଇଥିଲା ପ୍ରଥମ ବିମୁଦ୍ରାକରଣ ?

ନୂଆଦିଲ୍ଲୀ: ୨୦୧୬ ନଭେମ୍ବର ୮ରେ ମୋଦୀ ସରକାର ଦେଶରେ ବିମୁଦ୍ରାକରଣ କରି ଦେଶବାସୀଙ୍କୁ ଚକ୍କିତ କରିଥିଲେ। ମୋଦୀ ସରକାରଙ୍କ ଏହି ପଦକ୍ଷେପ ଅର୍ଥନୀତିକୁ ରସାତଳକୁ ଠେଲି ଦେଇଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଆସୁଛନ୍ତି। ତେବେ ଏହି ବିମୁଦ୍ରାକରଣ ନୂଆ ନ ଥିଲା। ପୂର୍ବରୁ ମଧ୍ୟ ବିମୁଦ୍ରାକରଣ ହୋଇଛି। ଇତିହାସରୁ ଜଣାଯାଏ ୧୦୦ ବର୍ଷ ତଳେ ଅର୍ଥାତ ୧୯୨୦ ମସିହାରେ ପରାଧୀନ ଭାରତରେ ପ୍ରଥମ ବିମୁଦ୍ରାକରଣ ହୋଇଥିଲା। ହାଇଦ୍ରାବାଦର ତତ୍କାଳୀନ ସରକାର ନିଜାମ ଏହି ବିମୁଦ୍ରାକରଣ କରିଥିଲେ, ଯାହାର ୧୦୦ ବର୍ଷ ପୂରଣ ହୋଇଛି।

ନିଜାମ ୧୯୧୮ ମସିହାରେ ୧୦ ଟଙ୍କିଆ ଏବଂ ୧୦୦ ଟଙ୍କିଆ କାଗଜ ନୋଟ୍‌ ଜାରି କରିଥିଲେ। ଏହାର ବର୍ଷକ ପରେ ୧ ଟଙ୍କିଆ ନୋଟ୍‌ ଜାରି କଲେ। ପ୍ରଥମ ବିଶ୍ଵଯୁଦ୍ଧ ପରେ ପରେ ରୁପା ଧାତୁ ମିଳିବାରେ ଅଭାବ ପରିଲକ୍ଷିତ ହେବାରୁ ନିଜାମ କାଗଜ ଟଙ୍କା ଛାପିଥିଲେ। କିନ୍ତୁ ସେତେବେଳେ ଲୋକେ ଏହାକୁ ଗ୍ରହଣ କଲେନାହିଁ। ୧ ଟଙ୍କିଆ ରୌପ୍ୟ ମୁଦ୍ରାର ସ୍ବତନ୍ତ୍ର ମୂଲ୍ୟ ରହିଥିଲା ବେଳେ କାଗଜ ନୋଟର କୌଣସି ଅନ୍ତର୍ନିହିତ ମୂଲ୍ୟ ନ ଥିଲା। ସେହିପରି ନୋଟର ରଙ୍ଗ କଳା ଥିଲା। ଏସବୁ କାରଣରୁ ଲୋକମାନେ ୧ ଟଙ୍କିଆ କାଗଜ ନୋଟ୍‌କୁ ନେଲେ ନାହିଁ। ଫଳ​‌ରେ ବାଧ୍ୟହୋଇ ନିଜାମ ୧ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରିନେଲେ। ଏହା ଥିଲା ପ୍ରଥମ ବିମୁଦ୍ରାକରଣ।

Image Courtesy: TOI

ସିନିୟର ବ୍ୟାଙ୍କର ଅମରବୀର ସିଂହ କୁହନ୍ତି, ବ୍ରିଟିଶ ସରକାର ହାଇଦ୍ରାବାଦକୁ ନିଜସ୍ବ ଟଙ୍କା ଛାପିବାର ଅଧିକାର ଦେଇଥିଲେ। କିନ୍ତୁ ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ବିଭିନ୍ନ ଧାତୁର ଅଭାବ ଦେଖାଦେଇଥିଲା। ବିଶେଷ କରି ରୌପ୍ୟ ଧାତୁ ମିଳି ନ ଥିଲା। ତେଣୁ ଲୋକଙ୍କ ଚାହିଦା ଅନୁସାରେ ୧ ଟଙ୍କିଆ କଏନ ତିଆରି ହୋଇପାରି ନ ଥିଲା। ତେଣୁ ଏହାର ମୁକାବିଲା ପାଇଁ ବ୍ରିଟିଶ ସରକାର ନିଜାମଙ୍କୁ କାଗଜ ନୋଟ୍‌ ଛାପିବାକୁ ପରାମର୍ଶ ଦେଇଥିଲା। ନିଜାମ ୧୯୧୯ରେ ୧ ଟଙ୍କିଆ ଏବଂ ୫ ଟଙ୍କିଆ ନୋଟ୍‌ ଛପାଇଥିଲେ। ପରେ ୧୯୨୬ରେ ୧୦୦୦ ଟଙ୍କିଆ ନୋଟ୍‌ ଛପାଇଥିଲେ। ୧୮୬୧ରେ ବ୍ରିଟିଶ ସରକାର ପ୍ରଥମେ କାଗଜ ନୋଟ୍‌ ଜାରି କରିଥିଲା। ଏହା ପରେ ନିଜସ୍ବ ବ୍ୟାଙ୍କନୋଟ୍‌ ଛାପୁଥିବା ଘରୋଇ ବ୍ୟାଙ୍କଗୁଡ଼ିକୁ ନୋଟ୍‌ ପ୍ରତ୍ୟାହାର କରିନେବାକୁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ ଆଇନଗତ ପଦକ୍ଷେପ ଜରିଆରେ ପ୍ରଥମେ ହାଇଦ୍ରାବାଦ ସରକାର ୧ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରିଥିଲେ। ତେଣୁ ସରକାରୀ ଭାବେ ଏହାକୁ ପ୍ରଥମ ବିମୁଦ୍ରାକରଣ ବୋଲି କୁହାଯାଏ।

ବିମୁଦ୍ରାକରଣ ଯୋଗୁ ୧ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର ହେବା ପରେ ତାହାକୁ ରୟାଲ ଟ୍ରେଜେରିରେ ରଖାଯାଇଥିଲା। ପରେ ୧୦୩୯ରେ ସେଗୁଡ଼ିକୁ ନଷ୍ଟ କରିଦିଆଯାଇଥିଲା। ସରକାର ୨ କୋଟି ନୋଟ୍‌ ଛପାଇଥିଲେ। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ୨୦ ଲକ୍ଷ ୯୨ ହଜାର ନୋଟ୍‌ ନଷ୍ଟ କରିଦିଆଯାଇଥିଲା। ଏହାବ୍ୟତୀତ ଜାରି ହୋଇ ନ ଥିବା ୧ କୋଟି ୭୮ ଲକ୍ଷ ୯୮ ହଜାର ୬୪୨ ଖଣ୍ଡ ନୋଟକୁ ମଧ୍ୟ ନଷ୍ଟ କରାଯାଇଥିଲା ବୋଲି ଅମରବୀର କହିଛନ୍ତି। ତେବେ ୨୪୫ ଖଣ୍ଡ ନୋଟ୍‌କୁ ନିଜାମଙ୍କ ସେଣ୍ଟ୍ରାଲ ଟ୍ରେଜେରିରେ ସଂରକ୍ଷିତ କରି ରଖାଯାଇଥିବା ସେ କହିଛନ୍ତି।

ଇନ୍‌ପୁଟ୍‌: ଟିଓଆଇ

Comments are closed.