୩ ମେଡିକାଲ କଲେଜରେ ବଢ଼ିଲା ୧୦୦ ସିଟ୍‌

ଭୁବନେଶ୍ବର : ରାଜ୍ୟରେ ଥିବା ତିନିଟି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦୦ ସିଟ୍‌ ବୃଦ୍ଧି କରାଯାଇଛି। ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ (ଏମସିଆଇ) ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ଆର୍ଥିକ ‌କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାରୁ ମେଡିକାଲ କଲେଜ ଓ ହସ୍ପିଟାଲରେ ସିଟ୍‌ ବଢ଼ାଯାଇଛି। ଦେଶରେ ଥିବା ମେଡିକାଲ କଲେଜ ଓ ହସ୍ପିଟାଲଗୁଡିକରେ ସିଟ୍‌ ବୃଦ୍ଧିକୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ମଞ୍ଜୁର କରିବା ପରେ ଏମ୍‌ସିଆଇ ପକ୍ଷରୁ ସିଟ୍‌ ବୃଦ୍ଧି କରାଯାଇଛି।

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ବାରିପଦା ପାଇଁ ୨୫ ଏମ୍‌ବିବିଏସ୍‌ ସିଟ୍‌ ବଢାଯାଇ ଥିବାବେଳେ ସହିଦଲକ୍ଷ୍ମଣ ନାୟକ
ମେଡିକାଲ କଲେଜ ଓ ହସ୍ପିଟାଲ କୋରାପୁଟରେ ୨୫ ଓ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ୍‌ ରିସର୍ଚ୍ଚ ବୁର୍ଲାରେ ୫୦ ଏମ୍‌ବିବିଏସ୍‌ ସିଟ୍‌ ବଢିଛି । ଶିକ୍ଷାବର୍ଷ ୨୦୧୯-୨୦ରୁ ଏହା ଲାଗୁ ହେବ। ପୂର୍ବରୁ ବାରିପଦା ମେଡିକାଲ କଲେଜରେ ୧୦୦ ଏମ୍‌ବିବିଏସ୍‌ ସିଟ୍‌ ଥିବାବେଳେ ଏହି ବୃଦ୍ଧି ଯୋଗୁଁ ଚଳିତ ବର୍ଷ ୧୨୫ ସିଟ୍‌ରେ ଡାକ୍ତରୀ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ନାମଲେଖାଇବେ। କୋରାପୁଟ ମେଡିକାଲ କଲେଜରେ ୧୦୦ ସିଟ୍‌ ଥିଲା। ଏବେ ୧୨୫କୁ ବୃଦ୍ଧି ପାଇଛି। ବୁର୍ଲା ମେଡିକାଲ କଲେଜରେ ୧୫୦ ସିଟ୍‌ ଥିଲାବେଳେ ବୃଦ୍ଧି ଯୋଗୁଁ ୨୦୦ ସିଟ୍‌ରେ ଛାତ୍ରଛାତ୍ରୀ ନାମଲେଖାଇବେ।

ରାଜ୍ୟ ସରକାରଙ୍କ ପକ୍ଷରୁ ବଲାଙ୍ଗୀର ସନ୍ଥକବି ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଫକିରମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ୨୫ ଏମ୍‌ବିବିଏସ୍‌ ସିଟ୍‌ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇ ଥିଲା; କିନ୍ତୁ ଏନେଇ ଏମ୍‌ସିଆଇ ଅନୁମତି ମିଳି ନଥିବା ଜଣାପଡିଛି।
୩ ମେଡିକାଲ କଲେଜ

Comments are closed.