ପ୍ରଥମ ଟେଷ୍ଟରେ ଶ୍ରେୟସଙ୍କ ଶତକ; ଷୋଡଶ ଭାରତୀୟ ଭାବେ ମିଳିଲା ସଫଳତା

କାନପୁର: ଏଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ ଭାରତୀୟ ଖେଳାଳି ଶ୍ରେୟସ ଆୟର ଶତକ ହାସଲ କରିଛନ୍ତି । ଏହା ତାଙ୍କ କ୍ୟାରିୟର ପ୍ରଥମ ଟେଷ୍ଟ ହୋଇଥିବାବେଳେ ସେ ଶତକ ହାସଲ କରିବା ସହିତ ଏହିଭଳି ସଫଳତା ପାଇଥିବା ଷୋଡଶ ଭାରତୀୟ ଖେଳାଳି ହୋଇଛନ୍ତି । ଏଥିସହିତ ଘରୋଇ ମାଟିରେ ଏହି ସଫଳତା ପାଇବାରେ ସେ ଦଶମ ଖେଳାଳି ହୋଇଛନ୍ତି । ଗ୍ରୀନପାର୍କ ଷ୍ଟାଡିୟମରେ ଚାଲିଥିବା ଏହି ଟେଷ୍ଟର ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଶ୍ରେୟସ ୭୫ ରନ୍‍ କରି ଅପରାଜିତ ଥିଲେ । ଦ୍ୱିତୀୟ ଦିନ ଖେଳ ଆରମ୍ଭ ହେବାପରେ ସେ ଖୁବଶୀଘ୍ର ଅବଶିଷ୍ଟ ୨୫ ରନ୍‍ ସଂଗ୍ରହ କରିବା ସହିତ ଶତକ ହାସଲ ଏବଂ ନିଜ ପାଇଁ ରେକର୍ଡ ସୃଷ୍ଟି କରିଥିଲେ । ତାଙ୍କ ପୂର୍ବରୁ ପୃଥ୍ୱୀ ଶ’ଙ୍କୁ ଏହି ସଫଳତା ମିଳିଥିଲା ଏବଂ ଦେଶର ସର୍ବକନିଷ୍ଠ ଖେଳାଳି ଭାବରେ ସେ ଏହି ସଫଳତା ଲାଭ କରିଥିଲେ । ପୂର୍ବରୁ ଭାରତର ଯେଉଁ ବିଶିଷ୍ଟ ଖେଳାଳିମାନେ ସେମାନଙ୍କର ପ୍ରଥମ ଟେଷ୍ଟ ପଦାର୍ପଣରେ ଶତକ ହାସଲ କରିଛନ୍ତି ସେମାନଙ୍କ ମଧ୍ୟରେ ମହମ୍ମଦ ଆଝାରୁଦ୍ଦିନ, ସୌରଭ ଗାଙ୍ଗୁଲି, ବିରେନ୍ଦ୍ର ସେହ୍ୱାଗ, ରୋହିତ ଶର୍ମା ଏବଂ ଶିଖର ଧାବନ ଆଦି ଅନ୍ୟତମ । ୨୬ ବର୍ଷ ବୟସ୍କ ଆୟର ୨୦୧୭ରେ ଏକ ଦିବସୀୟ ଆନ୍ତର୍ଜାତୀୟ ଏବଂ ଟି୨୦ ମ୍ୟାଚ ଖେଳିବା ଆରମ୍ଭ କରିଥିଲେ । ତେବେ ଟେଷ୍ଟ ମ୍ୟାଚ ଖେଳିବାକୁ ତାଙ୍କୁ ଦୀର୍ଘ ଅପେକ୍ଷା କରିବାକୁ ପଡିଥିଲା ।

Comments are closed.