ଭାରତର ୨୦୧୧ ଦିନିକିଆ ବିଶ୍ବକପ୍‌ ବିଜୟକୁ ପୂରିଲା ୧୦ ବର୍ଷ

ନୂଆଦିଲ୍ଲୀ  : ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଭାରତୀୟ କ୍ରିକେଟ୍ ଦଳ ୨୦୧୧ରେ ଦିନିକିଆ ବିଶ୍ବକପ୍‌ ଚମ୍ପିଆନ୍‌ ହୋଇଥିଲା। ୨୦୧୧ ବିଶ୍ବକପ୍‌ ଫାଇନାଲ ଏପ୍ରିଲ୍‌ ୨ ତାରିଖରେ ଖେଳାଯାଇଥିଲା। ଫାଇନାଲ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ଦଳ ଚମ୍ପିଆନ୍‌ ହୋଇଥିଲା। ମୁମ୍ବଇର ୱାଙ୍ଖଡେ ଷ୍ଟାଡ଼ିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଧୋନି ଦର୍ଶନୀୟ ଛକା ମାରି ଭାରତୀୟ ଦଳକୁ ବିଜୟୀ କରାଇଥିଲେ।

ଆଜିକୁ ବିଶ୍ବକପ୍‌ ବିଜୟର ୧୦ ବର୍ଷ ପୂରଣ ହୋଇଛି। ଏହି ଅବସରରେ ବିସିସିଆଇ ତରଫରୁ ଏହାର ସ୍ମୃତିଚାରଣ କରାଯାଇଛି। ବସିସିସିଆଇ ତରଫରୁ ଟ୍ବିଟର୍‌ରେ ଏକ ବାର୍ତ୍ତା ଛଡ଼ା ଯାଇଛି। ଏହି ବାର୍ତ୍ତାରେ ବିସିସିଆଇ ତରଫରୁ ଦର୍ଶାଯାଇଛି ବିଶ୍ବକପ୍‌ ବିଜୟର ୧୦ ବର୍ଷ ପୂରଣ ହୋଇଛି ସତ, ହେଲେ ବର୍ତ୍ତମାନ ସୁଦ୍ଧା ଏହାର ସ୍ମୃତି ସମସ୍ତଙ୍କ ମନରେ ତାଜା ରହିଛି। ଧୋନି ଶ୍ରୀଲଙ୍କାର ବୋଲର ନୁଆନ୍‌ କୁଲଶେଖରଙ୍କ ବଲ୍‌ରେ ଛକା ମାରି ଭାରତକୁ ବିଶ୍ବକପ୍‌ ଚମ୍ପିଆନ୍‌ କରାଇଥିଲେ ଏବଂ ଦୀର୍ଘ ୨୮ ବର୍ଷ ପରେ ଭାରତ ବିଶ୍ବବିଜେତା ହୋଇଥିଲା।

ସେହିପରି ବିଶ୍ବକପ୍‌ ବିଜୟୀ ଦଳରେ ଥିବା ଅନେକ କ୍ରିକେଟର୍‌ ମଧ୍ୟ ନିଜର ବାର୍ତ୍ତା ଟ୍ବିଟର୍‌ରେ ଛାଡ଼ିଛନ୍ତି। ପୂର୍ବତନ ଭାରତୀୟ  ଓପନର୍‌ ଗୌତମ ଗମ୍ଭୀର ଟ୍ବିଟ୍‌ କରି ଦର୍ଶାଇଛନ୍ତି ୧୦ ବର୍ଷ ତଳେ ଆଜିର ଦିନରେ ୧୦୦ କୋଟି ଭାରତୀୟ ବିଶ୍ବକପ୍‌ ଜିତିଥିଲେ। ଏହା ଥିଲା ଏକ ସ୍ମରଣୀୟ ମୁହୂର୍ତ୍ତ। ଜୟ ହିନ୍ଦ୍‌।

ସେହିପରି ଅନ୍ୟତମ ଓପନର୍‌ ବୀରେନ୍ଦ୍ର ସେହ୍ବାଗ ଟ୍ବିଟ୍‌ କରି ୧୦ ବର୍ଷ ତଳେ ବିଶ୍ବକପ୍‌ ବିଜୟୀ ଦଳରେ ସାମିଲ ଥିବା ତାଙ୍କ ଜୀବନର ଅନ୍ୟତମ ସ୍ମରଣୀୟ ମୁହୂର୍ତ୍ତ। ଏହା ଚିରକାଳ ମନେ ରହିଛି। ସେହିପରି ୨୦୧୧ ବିଶ୍ବକପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଯୁବରାଜ ସିଂହ ଟ୍ବିଟ୍‌ କରି ଦର୍ଶାଇଛନ୍ତି ୧୦ ବର୍ଷ ତଳେ ଆଜିର ଦିନରେ ଭାରତୀୟ ଦଳ ଇତିହାସ ସୃଷ୍ଟି କରିଥିଲା। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ କ୍ୟାରିୟରର ଅନ୍ତିମ ବିଶ୍ବକପ୍‌ ଖେଳୁଥିବାରୁ ତାଙ୍କ ପାଇଁ ଏହି ବିଶ୍ବକପ୍‌ ଜିତିବାକୁ ସମସ୍ତେ ପ୍ରୟାସ କରିଥିଲେ ଯାହା ସଫଳ ହୋଇଥିଲା।

ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର୍‌ ଖାନ୍‌ ଦର୍ଶାଇଛନ୍ତି ସମୟ ଅତିବାହିତ ହୋଇଯାଇଛି ସତ ହେଲେ ସ୍ମୃତି ଚିରକାଳ ରହି ଯାଇଛି। ଭାରତୀୟ ସ୍ପିନର ହରଭଜନ୍‌ ସିଂହ ଦର୍ଶାଇଛନ୍ତି ପ୍ରଶଂସକଙ୍କ ସ୍ନେହ, ସଦିଚ୍ଛା, ସମର୍ଥନ ଯୋଗୁଁ ଭାରତୀୟ ଦଳ ଚମ୍ପିଆନ୍‌ ହେଲା। ୧୦ ବର୍ଷ ତଳର ଏହି ସ୍ମୃତି ବର୍ତ୍ତମାନ ପର୍ଯ୍ୟନ୍ତ ତାଜା ରହିଛି।

ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ୍‌ ସୁରେଶ ରୈନା ଟ୍ବିଟ୍‌ କରି ଦର୍ଶାଇଛନ୍ତି ୧୦ ବର୍ଷ ତଳେ ଭାରତୀୟ କ୍ରିକେଟ୍ ଦଳ ବିଶ୍ବକପ୍‌ ଜିତି ସମସ୍ତ ଭାରତୀୟଙ୍କ ସ୍ବପ୍ନ ପୂରଣ କରିଥିଲା। ବିଶ୍ବକପ୍‌ ବିଜୟର ସ୍ମୃତି ଚିରକାଳ ଅଭୁଲା ରହିବ। ଅଲରାଉଣ୍ଡର ୟୁସୁଫ ପଠାନ୍‌ ଦର୍ଶାଇଛନ୍ତି ୧୦ ବର୍ଷ ଅତିବାହିତ ହୋଇଯାଇଛି ସତ ହେଲେ ବିଶ୍ବକପ୍‌ ଜିିତିବାର ମୁହୂର୍ତ୍ତ ଅଭୁଲା ରହିଛି।

ଜୟ ଶାହା ଟ୍ବିଟ୍‌ କରି ଦର୍ଶାଇଛନ୍ତି ଭାରତୀୟ କ୍ରିକେଟ୍‌ ଦଳ ବିଶ୍ବକପ୍‌ ବିଜୟୀ ହେବା ୧୦ ବର୍ଷ ପୂରଣ ହୋଇଯାଇଥିବା ବିଶ୍ବାସ ହେଉ ନାହିଁ। ଏହା ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ଚିରକାଳ ରହିବ। ସେହିପରି ଆଇପିଏଲ୍‌ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ମଧ୍ୟ ବିଶ୍ବକପ୍‌ ବିଜୟର ସ୍ମୃତିଚାରଣ କରିବା ସହ ଏହା ଭାରତୀୟ କ୍ରିକେଟ୍‌ର ଏକ ସ୍ବର୍ଣ୍ଣିମ ଦିନ ଥିଲା ବୋଲି ଦର୍ଶାଇଛି।

Comments are closed.