୧୦ ଟଙ୍କାର ନିର୍ମାଲ୍ୟ ୪୯୯ରେ ବିକ୍ରି : ଆମାଜନ୍‌ ବିରୋଧରେ ଥାନାରେ ଏତଲା

ମନ୍ଦିର ପ୍ରଶାସନ ଦେଇନି ଅନୁମତି : ପ୍ରଶାସକ

ପୁରୀ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ‘ନିର୍ମାଲ୍ୟ’ ଅନ୍‌ଲାଇନରେ ବିକ୍ରି କରୁଛି ଆମାଜନ୍‌। ଯେଉଁ ନିର୍ମାଲ୍ୟ ପୁଡିଆ ପୁରୀରେ ୧୦ଟଙ୍କାରେ ବିକ୍ରି ହେଉଛି ଆମାଜନ୍‌ ତାହାକୁ ୪୯୯ଟଙ୍କାରେ ବିକୁଛି। ୱେବସାଇଟ୍‌ରେ ତାହା ପୁରୀ ଶ୍ରୀଜଗନ୍ନାଥଙ୍କ ନିର୍ମାଲ୍ୟ ମହାପ୍ରସାଦ ବୋଲି ଉଲ୍ଲେଖ କରାଯାଇଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସେବକ ଓ ଭକ୍ତଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କେତେକ ସଂସ୍ଥା ଏବଂ ବ୍ୟକ୍ତି ଅନଧିକାର ଭାବେ ଅନ୍‌ଲାଇନ ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ବିକ୍ରି କରୁଥିବା ଜଣାପଡିଛି। ଆମାଜନ୍‌ ବିରୋଧରେ ଶମ୍ଭୁନାଥ ଖୁଣ୍ଟିଆ ନାମକ ଜଣେ ସେବକ ରବିବାର ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ବିକ୍ରି ପାଇଁ ଆମାଜନ୍‌ର କୌଣସି ଅଧିକାର ନଥିବା ସେ ଉଲ୍ଲେଖ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମୋଦନ ଏବଂ ଆଦେଶରେ ଅନ୍‌ଲାଇନରେ ନିର୍ମାଲ୍ୟ ବିକ୍ରି କରାଯିବା ଅତ୍ୟନ୍ତ କ୍ଷୋଭ ଏବଂ ପରିତାପର ବିଷୟ ବୋଲି ସେ ଉଲ୍ଲେଖ କରିଛନ୍ତି। ଯେଉଁ ନିର୍ମାଲ୍ୟକୁ ମଣିଷ ପ୍ରାଣବାୟୁ ଉଡିବା ପୂର୍ବରୁ ପାଟିରେ ଦେଲେ ଆତ୍ମାର ସଦ୍‌ଗତି ହୋଇଥାଏ ତାହାକୁ ଏକ ଘରୋଇ କମ୍ପାନୀ ଦେଶ ବିଦେଶରେ ବିକ୍ରୟ କରିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ତେଣୁ ଆମାଜନ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।
ଏଭଳି ସାଙ୍ଘାତିକ ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରିଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ। ଶ୍ରୀଜଗନ୍ନାଥଙ୍କ ନିର୍ମାଲ୍ୟ ବିକ୍ରି ପାଇଁ ଆମାଜନ୍‌କୁ ଅନୁମତି ଦିଆଯାଇ ନଥିବା ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ କହିଛନ୍ତି। ଏ ସମ୍ପର୍କରେ ଆଇନଗତ ତର୍ଜମା ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ସ୍ବତ୍ବଲିପି ଅନୁଯାୟୀ ଶ୍ରୀମନ୍ଦିର ସିଂହଦ୍ବାର ଅରୁଣସ୍ତମ୍ଭ ନିକଟରେ ସୁଆର ସେବକଙ୍କର ନିର୍ମାଲ୍ୟ ବିକ୍ରି ଅଧିକାର ରହିଛି। ଅନ୍ୟ ଏକ ସଂସ୍ଥାର ଅନ୍‌ଲାଇନ ମହାପ୍ରସାଦ ବିକ୍ରି ବିରୋଧରେ ଏହାପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପୁଲିସ ନିକଟରେ ଅଭିଯୋଗ କରିଥିଲା। ଏଥିଯୋଗୁଁ ଭୁବନେଶ୍ବର ବମିଖାଲ ଅଞ୍ଚଳର ଏକ ସଂସ୍ଥା ଦ୍ବାରା ଅନ୍‌ଲାଇନ ମହାପ୍ରସାଦ ବିକ୍ରି ବନ୍ଦ ହୋଇଥିଲା। ଆମାଜନ୍‌ ସଂସ୍ଥା ଅନ୍‌ଲାଇନ ଯୋଗେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ‘ନିର୍ମାଲ୍ୟ’ ବିକ୍ରି କରୁଥିବା ଅଭିଯୋଗ ପ୍ରଶାସନର ଦୃଷ୍ଟିକୁ ଆସିଛି। ଶ୍ରୀମନ୍ଦିର ପ୍ରଶାସନ ଖୁବ୍‌ଶୀଘ୍ର ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରଶାସକ (ନୀତି) ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

Comments are closed.