ମୁକୁଳିଲେ ୧୦ ଭାରତୀୟ ଯବାନ, ଚୀନକୁ ଦାୟୀ କଲା ଆମେରିକା

ନୂଆଦିଲ୍ଲୀ: ଗଲୱାନ୍‌ ସଂଘର୍ଷ ପରେ ଚୀନ୍‌ ଅକ୍ତିଆରରେ କୌଣସି ଭାରତୀୟ ଯବାନ ନାହାନ୍ତି ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯିବାର ୨୪ଘଣ୍ଟା ନ ପୂରୁଣୁ ଚୀନ୍‌ ଶୁକ୍ରବାର ୪ ସେନାଧିକାରୀ ଓ ୬ ଯବାନଙ୍କ ସହ ୧୦ଜଣଙ୍କୁ ମୁକ୍ତ କରିଛି। ସେମାନଙ୍କ ମଧ୍ୟରେ ଦୁଇଟି ୟୁନିଟ୍‌ର ଦୁଇ ମେଜର ପାହ୍ୟାର ଅଧିକାରୀ ଓ ଦୁଇ କ୍ୟାପ୍‌ଟେନ୍‌ ତଥା ୬ ଯବାନ ଅଛନ୍ତି। ସଂଘର୍ଷ ପରଠାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଚାଲିଥିବା ମେଜର ଜେନେରାଲସ୍ତରୀୟ ଅଲୋଚନାରୁ ଏହି ସୁଫଳ ମିଳିଛି। ସୂଚନାନୁଯାୟୀ, ଏମାନଙ୍କ ମୁକ୍ତି ନେଇ ଏହି ଆଲୋଚନାବେଳେ ରାଜିନାମା ହୋଇଛି। ଏହି ଅଧିକାରୀ ଓ ଯବାନମାନେ ଗୁରୁବାର ରାତିରେ ଭାରତୀୟ ଶିବିରକୁ ଫେରିଛନ୍ତି। ଏହି ଘଟଣା ପରେ ଆଉ କୌଣସି ଭାରତୀୟ ଯବାନଙ୍କୁ ଅଟକ ରଖି ନାହିଁ ବୋଲି ଚୀନ୍‌ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍‌ କହିଛନ୍ତି।

ଗତ ୧୫ତାରିଖ ରାତିର ସଂଘର୍ଷ ପାଇଁ ସେ ଭାରତକୁ ପୁନର୍ବାର ଦାୟୀ କରିବା ସହ ବିବାଦର ସମାଧାନ ପାଇଁ ଆଲୋଚନା ଚାଲିଥିବା କହିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ କ୍ରମାଗତ ତିନି ଦିନ ଧରି ଆଲୋଚନା ଶୁକ୍ରବାର ସ୍ଥଗିତ ରହିଛି। ଏହା ସତ୍ତ୍ବେ ଚୀନ୍‌ ୧୦ ଯବାନଙ୍କୁ ଫେରାଇବା ପରେ  ବିବାଦୀୟ ସ୍ଥାନରୁ ସେନା ହଟାଇବା ନେଇ ଆଶା ସଞ୍ଚାର ହୋଇଛି। ଆଗକୁ ଆଲୋଚନା ଜାରି ରହିବ ବୋଲି ସୂଚନା ମିଳିଛି। ଗଲୱାନ ଉପତ୍ୟକାରେ ପରିସ୍ଥିତି ଅପେକ୍ଷାକୃତ ଶାନ୍ତ ରହିଥିବା ସେ କହିଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଗୁରୁବାର କହିଥିଲେ ଯେ ସଂଘର୍ଷ ପରେ ସମସ୍ତ ଭାରତୀୟ ଯବାନଙ୍କୁ ଗଣତି କରାଯାଇଛି। କୌଣସି ସୈନିକ ନିଖୋଜ ନାହାନ୍ତି କିମ୍ବା ଚୀନ୍‌ କାହାକୁ ଅଟକ ରଖି ନାହିଁ।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସୂଚନାନୁଯାୟୀ, ଭାରତୀୟ ବାୟୁସେନା ମୁଖ୍ୟ ଆର.କେ.ଏସ୍‌ ଭଦୌରିଆ ଶୁକ୍ରବାର ଲେହଠାରେ ପହଞ୍ଚି ସୀମାନ୍ତ ସ୍ଥିତି ଓ ବାୟୁସେନାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ସେ ଶ୍ରୀନଗର ବିମାନ ଘାଟି ମଧ୍ୟ ଅନୁଧ୍ୟାନ କରିଛନ୍ତି। ବୁଧବାର ସେ ସିଡିଏସ୍‌ ବିପିନ ରାୱତ, ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍‌.ଏମ୍‌ ନରବଣେଙ୍କ ସହିତ ଲଦାଖ ସ୍ଥିତି ସମ୍ପର୍କରେ ଆଲୋଚନା ପରେ ଦୁଇ ଦିନିଆ ଗସ୍ତରେ ଯାଇଥିବା ପ୍ରକାଶ। ଭଦୌରିଆଙ୍କ ଗସ୍ତକୁ ଅପେକ୍ଷାକୃତ ଗୋପନୀୟ ରଖାଯାଇଥିବାରୁ ଏ ସମ୍ପର୍କରେ ବିଶେଷ କିଛି ସୂଚନା ମିଳି ନାହିଁ। ତେବେ ବାଲାକୋଟ ଆକ୍ରମଣରେ ସାମିଲ ହୋଇଥିବା ମିରେଜ୍‌-୨୦୦୦ ଯୁଦ୍ଧବିମାନ ସହ ସୁଖୋଇ-୩୦, ଆପାଚେ ହେଲିକପ୍ଟରକୁ ଲେହ ବିମାନଘାଟିରେ ପ୍ରସ୍ତୁତ ରଖାଯାଇଥିବା ଲକ୍ଷ୍ୟ କରାଯାଇଛି।

ଗଲୱାନ ସଂଘର୍ଷ ନେଇ ଆମେରିକା ଚୀନ୍‌କୁ ଦାୟୀ କରିଛି। ଏହି ସଂଘର୍ଷ ମାଧ୍ୟମରେ ଚୀନ୍‌ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଛି ବୋଲି କହିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରଣାଳୟର ପୂର୍ବ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ବ୍ୟାପାର ବିଭାଗ ସହକାରୀ ସଚିବ ଡେଭିଡ ଷ୍ଟିଲୱେଲ। ବହୁ ସଂଖ୍ୟକ ସେନା ପଠାଇ ଚୀନ୍‌ ଗଲୱାନ୍‌ରେ ଯେଉଁ ବିବାଦ ଆରମ୍ଭ କରିଥିଲା ଭାରତ ତାହାର ଉପଯୁକ୍ତ ଜବାବ ଦେଇଛି ଏବଂ ଚୀନ୍‌ର ​ଥୋମଣିରେ ବଡ଼ ପ୍ରହାର ଲାଗିଛି ବୋଲି ସେ କହିଛନ୍ତି। ଭାରତ-ଚୀନ୍‌ ମଧ୍ୟରେ ଘଟୁଥିବା ପ୍ରତ୍ୟେକ ଘଟଣା ପ୍ରତି ଆମେରିକା ନଜର ରଖିଥିବା ସେ କହିଛନ୍ତି।

Comments are closed.