ମହାମାରୀବେଳେ ୧୦% ବଢ଼ିଛି ଆତ୍ମହତ୍ୟା

ଅଧିକ ଦିନ ମଜୁରିଆ, ଆତ୍ମନିଯୁକ୍ତ ବ୍ୟକ୍ତି ଓ ଗୃହିଣୀ, ପାରିବାରିକ ସମସ୍ୟା, କ୍ରମାଗତ ଅସୁସ୍ଥତା ହିଁ କାରଣ

ନୂଆଦିଲ୍ଲୀ : କରୋନା ମହାମାରୀରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ଯେତିକି ଚିନ୍ତା ବଢ଼ାଇଛି ସେହି ପରିମାଣରେ ସମସ୍ୟା ସୃଷ୍ଟି କରିଛି ଏ ଜନିତ ଆତ୍ମହତ୍ୟା ବୃଦ୍ଧି। ଗତ ବର୍ଷକ ମଧ୍ୟରେ ଆତ୍ମହତ୍ୟା ପରିମାଣ ୧୦ପ୍ରତିଶତ ବୃଦ୍ଧି ପାଇଛି। ୨୦୨୦ରେ ଦେଶରେ ମୋଟ ୧ ଲକ୍ଷ ୫୩ ହଜାର ୫୨ଜଣ ଆତ୍ମହତ୍ୟା କରିଛନ୍ତି; ଯାହା ୨୦୧୯ ତୁଳନାରେ ୧୦ପ୍ରତିଶତ ଅଧିକ ବୋଲି ଜାତୀୟ ଅପରାଧ ରେକର୍ଡସ୍‌ ବ୍ୟୁରୋ (ଏନ୍‌ସିଆରବି) ପକ୍ଷରୁ ସୂଚନା ଦିଆଯାଇଛି। ମହାମାରୀ ଜନିତ ପାରିବାରିକ ଓ ସାମାଜିକ ସମସ୍ୟା, କ୍ରମାଗତ ଅସୁସ୍ଥତା ହିଁ ଏହାର କାରଣ ବୋଲି ଏନ୍‌ସିଆରବି ଦର୍ଶାଇଛି। ଆତ୍ମହତ୍ୟା କରିଥିବା ଲୋକଙ୍କ ମଧ୍ୟରେ ଦିନ ମଜୁରିଆ, ନିଯୁକ୍ତି ହରାଇଥିବା ବ୍ୟକ୍ତି ଓ ଗୃହିଣୀଙ୍କ ସଂଖ୍ୟା ଅଧିକ ରହିଛି। ରାଜଧାନୀ ଦିଲ୍ଲୀରେ ଏହି ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି। ଏଠାରେ ଆତ୍ମହତ୍ୟା ପରିମାଣ ୨୪ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଏହି ସଂଖ୍ୟା ଦେଶର ୫୩ ବୃହତ୍‌ ନଗରୀ ମଧ୍ୟରେ ସର୍ବାଧିକ। ୨୦୧୯ ଅପେକ୍ଷା ୨୦୧୯ରେ ୮.୭ ପ୍ରତିଶତ ବୃଦ୍ଧି ପାଇଥିଲା। ଏହା ପ୍ରତିବର୍ଷ କ୍ରମାଗତ ବୃଦ୍ଧି ପାଇବା ନେଇ ଏନ୍‌ସିଆରବି ଚିନ୍ତା ପ୍ରକଟ କରିଛି।
ଏନ୍‌ସିଆରବି ଦ୍ବାରା ଶୁକ୍ରବାର ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁସାରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ଲୋକଙ୍କ ମଧ୍ୟରେ ଅଛନ୍ତି ୧ ଲକ୍ଷ ୮୫ ହଜାର ୩୨ ପୁରୁଷ। ସେମାନଙ୍କ ମଧ୍ୟରେ ୩୩,୧୬୪ ଦିନ ମଜୁରିଆ, ୧୫,୯୯୦ ଆତ୍ମନିଯୁକ୍ତ ବ୍ୟକ୍ତି, ୧୨,୮୯୩ ବେକାର ଅଛନ୍ତି। ସେହିଭଳି ୪୪,୪୯୮ ମହିଳା ଜୀବନ ହାରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୨୨,୩୭୨ ଗୃହିଣୀ, ୫୫୫୯ ଛାତ୍ରୀ ଓ ୪୪୯୩ ଦିନ ମଜୁରିଆ। ମୋଟ ୨୨ କିନ୍ନର ମଧ୍ୟ ଏହି ରାସ୍ତା ଧରିଛନ୍ତି। ଦିଲ୍ଲୀରେ ମୋଟ ୩୦୨୫ ଜଣ ଆତ୍ମହତ୍ୟା କରିଥିବାବେଳେ ଦ୍ବିତୀୟ ସ୍ଥାନରେ ଥିବା ଚେନ୍ନଇରେ ୨୪୩୦, ଏହା ପଛକୁ ବେଙ୍ଗାଲୁରୁରେ ୨୧୯୬ ଓ ମୁମ୍ବଇରେ ୧୨୮୨ ଜୀବନ ହାରିଛନ୍ତି। ସମସ୍ତ ମହାନଗରୀରେ ପୂର୍ବ ବର୍ଷ ତୁଳନାରେ ଆତ୍ମହତ୍ୟା ବୃଦ୍ଧି ପାଇଛି। ଅପରପକ୍ଷରେ ୨୦୨୦ରେ ୧୦ହଜାର ୬୭୭ କୃଷକ ଆତ୍ମହତ୍ୟା କରିଛନ୍ତି। ଏହା ମୋଟ ପରିମାଣର ୭ ପ୍ରତିଶତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୫୩୩୫ ପୁରୁଷ ଓ ୨୪୪ ମହିଳା ଅଛନ୍ତି।
ସବୁଠୁ ଚିନ୍ତାଜନକ ହୋଇଛି, ଦେଶରେ ୨୦୨୦ରେ ୧୨୧ଟି ସମୂହ ପାରବାରିକ ଆତ୍ମହତ୍ୟା ଘଟଣା ଘଟିଛି। ଏଥିରେ ୨୭୨ ଜଣ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ୧୪୮ଜଣ ବିବାହିତ ଓ ୧୨୪ ଜଣ ଅବିବାହିତ ଅଛନ୍ତି। ତାମିଲନାଡୁରେ ସର୍ବାଧିକ ୨୨ଟି ପାରିବାରିକ ଗଣ ଆତ୍ମହତ୍ୟା ଘଟିଥିବାବେଳେ ଏହା ପଛକୁ ଆନ୍ଧ୍ର ପ୍ରଦେଶରେ ୧୯, ମଧ୍ୟ ପ୍ରଦେଶରେ ୧୮, ରାଜସ୍ଥାନରେ ୧୫ ଓ ଆସାମରେ ୧୦ଟି ଘଟଣା ଘଟିଛି। ତାମିଲନାଡୁରେ ୪୫, ଆନ୍ଧ୍ରରେ ୪୬, ମଧ୍ୟ ପ୍ରଦେଶରେ ୩୯, ରାଜସ୍ଥାନରେ ୩୬ ଓ ଆସାମରେ ୧୦ଜଣଙ୍କ ଅପମୃତ୍ୟୁ ଘଟିଛି। ପାରବାରିକ ସମସ୍ୟା କାରଣରୁ ୩୩.୬ ପ୍ରତିଶତ ଓ ଅସୁସ୍ଥତା କାରଣରୁ ୧୮ ପ୍ରତିଶତ ପ୍ରାଣ ହାରିଛନ୍ତି। ନିଶା ସେବନ ଯୋଗୁଁ ୬, ଦାମ୍ପତ୍ୟ କଳହରୁ ୫, ପ୍ରେମ ବ୍ୟାପାରରୁ ୪.୪ ଓ ଋଣ ଭାରରେ ୩.୪ ପ୍ରତିଶତ ଆତ୍ମହତ୍ୟା କରିଛନ୍ତି।

Comments are closed.