ଉତ୍ତରାଖଣ୍ଡ ହିମସ୍ଖଳନ: ୧୦ ମୃତଦେହ ଉଦ୍ଧାର, ୧୫୦ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା

ଉତ୍ତରାଖଣ୍ଡର ଚମୋଲୀ ଜିଲା ଅନ୍ତର୍ଗତ ରେଣୀ ଗାଁରେ ରବିବାର ହିମସ୍ଖଳନ ଯୋଗୁ ଘଟିଥିବା ବନ୍ୟାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସନ୍ଧ୍ୟା ସୁଦ୍ଧା ୧୦ ଜଣଙ୍କ ମୃତଦେହକୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ପ୍ରାୟ ୧୫୦ରୁ ଅଧିକ ଶ୍ରମିକ ପ୍ରାଣ ହରାଇଥିବା ନେଇ ରାଜ୍ୟ  ମୁଖ୍ୟ ଶାସନ ସଚିବ ଆଶଙ୍କା ପ୍ରକାଶ କରିଛନ୍ତି।

ହିମସ୍ଖଳନ ଯୋଗୁ ଗଙ୍ଗା ନଦୀରେ ବନ୍ୟା ସୃଷ୍ଟି ହୋଇଛି। ଏହାଦ୍ବାରା ଚମୋଲୀରୁ ହରିଦ୍ବାର ପର୍ଯ୍ୟନ୍ତ ବନ୍ୟାର ବିପଦ ସୃଷ୍ଟି ହୋଇଛି। ଘଟଣା ପରେ ଏନଡିଆରଏଫ, ବାୟୁସେନା, ଆଇଟିବିପି ଏବଂ ଏସଡିଆରଏଫ ଯବାନମାନେ ପହଞ୍ଚି ପ୍ରଶାସନ ସହିତ ମିଶି ଉଦ୍ଧାର କାର୍ଯ୍ୟକୁ ତ୍ବରିତ୍ବ କରିଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଅଧ୍ୟକ୍ଷ ଜେ. ପି. ନଡ୍ଡା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସହିତ ଆଲୋଚନା କରିଛନ୍ତି। ରାଜ୍ୟ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବା ନେଇ କେନ୍ଦ୍ର ପକ୍ଷରୁ ଆଶ୍ବାସନା ଦିଆଯାଇଛି।


ଅନ୍ୟପଟେ ମୁଖ୍ୟମନ୍ତ୍ରୀ ରାୱତ ଲୋକଙ୍କୁ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଶେୟାର ନ କରିବା ସହିତ ଧର୍ଯ୍ୟ ରଖିବାକୁ ଅନୁରୋଧ କରିଛନ୍ତି। ସହାୟତା ପାଇଁ ସରକାରଙ୍କ ପକ୍ଷରୁ ଏକ ମୋବାଇଲ ନମ୍ବର ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ନିଜେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଦୁର୍ଭାଗ୍ୟଜନକ ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି।

Comments are closed.