ଡିଅର ପାର୍କରେ ନୂଆ କୁଣିଆଁ, ୧୦ ଅଜଗର ଛୁଆ

ସମ୍ବଲପୁର: ସମ୍ବଲପୁର ସ୍ଥିତ ଡିଅର ପାର୍କରେ ବିଶ୍ୱ ସର୍ପ ଦିବସ ଅବସରରେ ଗୁରୁବାର ପ୍ରଥମ ଥର ପାଇଁ ଅଣ୍ଡାରୁ ୧୦ଟି ଅଜଗର ଛୁଆ ଜନ୍ମ ନେଇଛନ୍ତି। ହୀରାକୁଦ ବନ୍ୟ ପ୍ରାଣୀ ଡିଭିଜନର ଡିଏଫଓ ପ୍ରତାପ କେ’ଙ୍କ ସୂଚନାନୁଯାୟୀ, କିଛି ଦିନ ତଳେ ଡିଅର ପାର୍କରେ ଥିବା ଏକ ମାଈ ଅଜଗର ସର୍ପ ୨୦ଟି ଅଣ୍ଡା ଦେଇଥିଲେ। ତେବେ ସେଥି ମଧ୍ୟରୁ ୧୦ଟି ଅଣ୍ଡା ନଷ୍ଟ ହୋଇଯାଇଥିବା ବେଳେ ସଂଯୋଗବଶତଃ ‘ବିଶ୍ୱ ସର୍ପ ଦିବସ’ ଅବସରରେ ବାକି ୧୦ଟି ଅଣ୍ଡାରୁ ଛୁଆ ଜନ୍ମ ନେଇଛନ୍ତି। ଏହା ପୂର୍ବରୁ ବହୁବାର ଅଣ୍ଡିରା ଓ ମାଈ ଅଜଗରଙ୍କ ମିଳନ ପରେ ମାଈ ଅଜଗର ଦେଉଥିବା ସମସ୍ତ ଅଣ୍ଡା ଗୁଡିକ ନଷ୍ଟ ହୋଇଯାଉଥିଲା। ଏଥି ପାଇଁ ବନ ବିଭାଗ ତରଫରୁ ଚଳିତ ଥର ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇ ସମସ୍ତ ପ୍ରକାରର ସୁବ୍ୟବସ୍ଥା କରାଯାଇ ଯତ୍ନ ନିଆଯାଉଥିଲା।

ବନ ବିଭାଗର ପରିଶ୍ରମ ଚଳିତ ଥର ଫଳବତୀ ହୋଇ ୧୦ଟି ଅଜଗର ଛୁଆ ଜନ୍ମ ନେଇଛନ୍ତି। ସମସ୍ତ ଅଜଗର ଛୁଆଗୁଡିକ ସୁସ୍ଥ ଥିବା ବେଳେ ସେମାନଙ୍କ ଉପରେ ତୀକ୍ଷଣ ନଜର ରଖାଯାଇ ସେମାନଙ୍କର ଯତ୍ନ ନିଆଯାଉଛି। ଏହା ସହିତ ଡିଅର ପାର୍କରେ ଥିବା ଅଜଗର ରହିବା ପାଇଁ ଗୋଟିଏ କାଚ କ୍ୟାବିନରେ ସମସ୍ତ ଅଜଗରଙ୍କୁ ରଖିବା ସମ୍ଭବ ନ ଥିବାରୁ ନୂତନ ସ୍ଥାନର ବ୍ୟବସ୍ଥା ପାଇଁ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଡିଅର ପାର୍କ ଇତିହାସରେ ପ୍ରଥମ ଥର ପାଇଁ ଏଠାରେ ଅଜଗର ଛୁଆ ଜନ୍ମ ନେଇଥିବାରୁ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଖୁସି ବ୍ୟକ୍ତ କରିଛନ୍ତି।

Comments are closed.