ପାର୍କ ନିକଟରେ ବୁଲୁଛି ବାଘ ; ଅଘଟଣ ଏଡାଇବାକୁ ବନ୍ଦ କରାଗଲା ପାର୍କ

ଭୋପାଳ : ବାଘ ପାଇଁ ବନ୍ଦ ହୋଇଛି ପାର୍କ। ସାଧାରଣ ଲୋକଙ୍କୁ କିଛିଦିନ ପାଇଁ ଏହି କଟକଣା ମାନିବାକୁ ପଡିବ। ଘଟଣାକ୍ରମେ ଏକ ଚିତାବାଘର ଗତିବିଧି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣାପଡିଛି। ବାଘଟି ଶାହପୁରା ନିକଟରେ ଅବସ୍ଥିତ ସ୍ୱର୍ଣ୍ଣ ଜୟନ୍ତୀ ପାର୍କ ନିକଟରେ ବୁଲୁଥିବା ନେଇ ସୂଚନା ମିଳିଛି। ପ୍ରତିଦିନ ୩ ରୁ ୪ ହଜାର ଲୋକେ ଏହି ପାର୍କରେ ବୁଲନ୍ତି । ଚିତାବାଘର ଗତିବିଧିକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ ପାର୍କ ବନ୍ଦ ରହିଛି।
ଡିସେମ୍ବର ୧୦ ରେ, ଜୁଡିସିଆଲ୍ ଏକାଡେମୀରେ ଚିତାବାଘର ଗତିବିଧି ରେକର୍ଡ କରାଯାଇଥିଲା। ଟ୍ରାପ କ୍ୟାମେରା ମଧ୍ୟ ଏହା ନିଶ୍ଚିତ କରିଛି । ଏହା ପରେ ଏହି ଚିତାବାଘ ଶୁକ୍ରବାର ଦିନ ସ୍ୱର୍ଣ୍ଣ ଜୟନ୍ତୀ ପାର୍କ ନିକଟରେ ପହଞ୍ଚିଥିଲା ବୋଲି ଜଣାପଡିଥିଲା। ସିପିଏ ରେଞ୍ଜରଙ୍କ ଅନୁଯାୟୀ ଜଣେ ଶ୍ରମିକ ଶୁକ୍ରବାର ଦିନ କିଛି କାମରେ ଏହି ସ୍ଥାନରେ ଥିବା ନାଳ ନିକଟକୁ ଯାଇଥିଲେ। ସେ ଚିତାବାଘକୁ ଦେଖି ଜୋର ବାଘ , ବାଘ ବୋଲି ଚିତ୍କାର କରିଥିଲେ। ଡେପୁଟି ରେଞ୍ଜର ସେଠାକୁ ଯାଇ ଚିତାବାଘକୁ ଆସିଥିବା ନେଇ ନିଶ୍ଚିତ କରିଥିଲେ। ଏହାପରେ ସେଠାରେ ବାଘର ଫଟୋ ଉଠାଇବା ପୂର୍ବରୁ ଚିତାବାଘ ସେଠାରେ ଥିବା ବୁଦାରେ ମଧ୍ୟକୁ କେଉଁଆଡେ ଚାଲିଯାଇଥିଲା। ଏହାପରେ ବରିଷ୍ଠ ଅଧିକାରୀଙ୍କୁ ଏନେଇ ସୂଚନା ଦିଆଯାଇଛି।
ଶାହାପୁରାର ଯେଉଁ ଅଞ୍ଚଳରେ ଚିତାବାଘ ଦେଖାଯାଇଛି, ୨୦୧୯ ରେ ମଧ୍ୟ ସେଠାରେ ଚିତାବାଘ ଦେଖାଯାଇଥିଲା। ଏକ ଛେଳିକୁ ପାହାଡ ନିକଟରେ ବାନ୍ଧି ଚିତାବାଘ ଧରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଧରାପଡିନଥିଲା। ଭୋପାଳ ଫରେଷ୍ଟ ଡିଭିଜନର ଡିଏଫଓ କହିଛନ୍ତି ଆବଶ୍ୟକୀୟ ଟିମଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ଏହି ଟିମ୍ ପାର୍କ ଭିତରେ ମଧ୍ୟ ଅନୁସନ୍ଧାନ କରିବ। ଏହାପରେ ପିଞ୍ଜରା ଲଗାଯିବ।

Comments are closed.