ତୃତୀୟ ଲହର ପାଇଁ ସରକାରଙ୍କ ପ୍ରସ୍ତୁତି, ୩ ପ୍ରମୁଖ ପଦରେ ଜଣେ ପ୍ରଫେସର

କଟକ: କରୋନାର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାର କଟକସ୍ଥିତ ସର୍ଦାର ବଲ୍ଲଭଭାଇ ପଟେଲ ସ୍ନାତକୋତ୍ତର ଶିଶୁରୋଗ ପ୍ରତିଷ୍ଠାନକୁ ନୋଡାଲ କେନ୍ଦ୍ରଭାବେ ମନୋନୀତ କରିଛନ୍ତି। ଏଥିସହିତ କଟକ ବଡ଼ ଡାକ୍ତରଖାନାରେ ମଧ୍ୟ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଶଯ୍ୟା ଓ ଆଇସିୟୁ ବ୍ୟବସ୍ଥା କରାଯାଇଛି। ଦୁଇ ଦୁଇଟି ସରକାରୀ ମେଡିକାଲରେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନିକଟରେ ବିଶେଷଜ୍ଞ ଡାକ୍ତର ନାହାନ୍ତି । ବିଶେଷଜ୍ଞ ନଥିବାରୁ ସରକାର ଏହି ଦୁଇଟି ସମ୍ବେଦନଶୀଳ ପଦରେ ଜଣେ ପ୍ରଫେସରଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। କରୋନା ମହାମାରୀ ସମୟରେ ଜଣେ ବିଶେଷଜ୍ଞ ଗୋଟିଏ ପଦରେ ଠିକଭାବେ କାର୍ଯ୍ୟ ସମ୍ପାଦନ କରିପାରୁନଥିବା ବେଳେ ସମ୍ପୃକ୍ତ ପ୍ରଫେସର କିପରି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭାଳିବେ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ଏକମାତ୍ର ଶିଶୁରୋଗ ଡାକ୍ତରଖାନାଭାବେ ଶିଶୁଭବନ ରହିଛି। ଏହାକୁ ବାଦ ଦେଲେ ରାଜ୍ୟରେ ଶିଶୁରୋଗୀଙ୍କ ଚିକିତ୍ସା ପାଇଁ ଅନ୍ୟ କୌଣସି ସ୍ୱତନ୍ତ୍ର ଡାକ୍ତରଖାନା ନାହିଁ। ବର୍ଦ୍ଧିତ ଶିଶୁରୋଗୀଙ୍କୁ ଦୃଷ୍ଟିରେ ରଖି ଶିଶୁଭବନରେ ୪୦୦ରୁ ଊର୍ଦ୍ଧ୍ବ ଶଯ୍ୟା ରହିଛି। ଶିଶୁରୋଗୀଙ୍କ ଚିକିତ୍ସା ସହିତ ଏଠାରେ ଶିଶୁ ବିଭାଗରେ ମଧ୍ୟ ସ୍ୱତନ୍ତ୍ର ପିଜି ପାଠ୍ୟକ୍ରମ ଅଛି। ଶିଶୁଭବନର ପ୍ରଶାସନିକ କାର୍ଯ୍ୟକୁ ଶୃଙ୍ଖଳିତଭାବେ ପରିଚାଳନା କରିବା ପାଇଁ ଜଣେ ଅଧୀକ୍ଷକ ରହିଛନ୍ତି। ପୂର୍ବରୁ ଶିଶୁଭବନ ଅଧୀକ୍ଷକଙ୍କୁ କେବଳ ଗୋଟିଏ ଦାୟିତ୍ୱ ନ୍ୟସ୍ତ କରାଯାଉଥିଲା। ବର୍ତ୍ତମାନ ଶିଶୁଭବନର ଅଧୀକ୍ଷକ ଥିବା ପ୍ରଫେସର ଡା. ଜ୍ଞାନରଞ୍ଜନ ବେହେରାଙ୍କୁ କଟକ ବଡ଼ ଡାକ୍ତରଖାନା ଶିଶୁ ବିଭାଗର ବିଭାଗୀୟ ମୁଖ୍ୟ ଓ ଏଆରଟି କେନ୍ଦ୍ରର ମୁଖ୍ୟଭାବେ ସରକାର ଅବସ୍ଥାପିତ କରିଛନ୍ତି। ଜଣେ ପ୍ରଫେସରଙ୍କ ଉପରେ ୩ଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଛନ୍ତି। ପୂର୍ବରୁ ଅଧୀକ୍ଷକ ରହୁଥିବା ପ୍ରଫେସର କେବଳ ଗୋଟିଏ ପଦରେ ହିଁ ଅବସ୍ଥାପିତ ହେଉଥିଲେ। ଜଣେ ପ୍ରଫେସର ଏକାଧିକ ପଦରେ ରହିଥିବାରୁ ଶିଶୁଭବନ ସହିତ କଟକ ବଡ଼ ଡାକ୍ତରଖାନା ଶିଶୁଭବନରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଠିକ ସମୟରେ ହୋଇପାରୁନଥିବା ଅଭିଯୋଗ ହୋଇଛି।

ପ୍ରଫେସର ବେହେରା ଅଧିକାଂଶ ସମୟ ଶିଶୁଭବନରେ ରହୁଛନ୍ତି। ଫଳରେ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ଜଣେ ଗୁରୁତର ଶିଶୁରୋଗୀର କୌଣସି ସହାୟତା ପାଇଁ ତାଙ୍କ ସମ୍ପର୍କୀୟଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। କେବଳ ଶିଶୁ ବିଭାଗ ନୁହେଁ, ଏଆରଟି କେନ୍ଦ୍ରରେ ମଧ୍ୟ ସମାନ ଅବସ୍ଥା ପରିଲକ୍ଷିତ ହେଉଛି। କରୋନା ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବାର ସମ୍ଭାବନା ଥିବାରୁ ସରକାର ଏବେଠାରୁ ପ୍ରସ୍ତୁତି ଚଳାଇଛନ୍ତି; କିନ୍ତୁ ଜଣେ ପ୍ରଫେସରଙ୍କ ହାତରେ ୩ଟି ଦାୟିତ୍ୱ ଦେଇ ସ୍ୱାସ୍ଥ୍ୟ ବିଭାଗ କିପରି ଢଙ୍ଗରେ ତୃତୀୟ ଲହର ମୁକାବିଲା ପ୍ରସ୍ତୁତି ଚଳାଇଛି, ଏଥିରୁ ସ୍ପଷ୍ଟ ବୁଝାପଡୁଛି। ତୃତୀୟ ଲହରର ଠିକ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏବେଠାରୁ ଶିଶୁଭବନ ଏବଂ କଟକ ବଡ଼ ଡାକ୍ତରଖାନା ଶିଶୁ ବିଭାଗ ପରିଚାଳନାରେ ଜଣେ ଜଣେ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Comments are closed.