ମାତ୍ର ୧ % ନିର୍ମାଣ ବର୍ଜ୍ୟବସ୍ତୁର ହେଉଛି ପୁନଃ ପ୍ରକ୍ରିୟାକରଣ ଓ ବ୍ୟବହାର

ସେଣ୍ଟରଫର ସାଇନ୍ସ ଏଣ୍ଡ ଏନଭୟରମେଣ୍ଟ ଅନଲାଇନ୍ ରାଉଣ୍ଡ ଟେବୁଲ୍ ୱେବନେର

ନୂଆଦିଲ୍ଲୀ: ଦେଶରେ ପ୍ରତିବର୍ଷ ୧୫୦ ନିୟୁତ ନିର୍ମାଣ ଜନିତ ବର୍ଜ୍ୟବସ୍ତୁ ବାହାରୁଥିବା ବେଳେ ଦୈନିକ ମାତ୍ର ୬ ହଜାର ୫ ଶହ ଟନ ବର୍ଜ୍ୟବସ୍ତୁର ପୁନଃ ପ୍ରକ୍ରିୟାକରଣ ହେଉଥିବା ଜଣାପଡିଛି। ବିଲଡିଂ ମେଟେରିଆଲ ପ୍ରମୋସନ କାଉନ୍ସିଲ (BMPTC) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଭାରତରେ ମୋଟ ନିର୍ମାଣ ବର୍ଜ୍ୟବସ୍ତୁର ମାତ୍ର ୧ ପ୍ରତିଶତ ପୁନଃ ପ୍ରକ୍ରିୟାକରଣ ଓ ବ୍ୟବହାରକ୍ଷମ ହୋଇପାରୁଛି। ସବୁଠୁ ବଡ଼ କଥା ହେଉଛି, ଦେଶରେ ବାହାରୁଥିବା ସମୁଦାୟ ବର୍ଜ୍ୟବସ୍ତୁର ଅନୌପଚାରିକ ହିସାବ ସରକାରୀ ଆକଳନଠାରୁ ତିନିରୁ ପାଞ୍ଚ ଗୁଣ ଅଧିକ ଦର୍ଶାଉଛି।

ସେଣ୍ଟର ଫର ସାଇନ୍ସ ଏଣ୍ଡ ଏନଭୟରମେଣ୍ଟ (ସିଏସ୍ଇ)  ପକ୍ଷରୁ ଏକ ଜାତୀୟ ଅନଲାଇନ ରାଉଣ୍ଡ ଟେବୁଲରେ ପ୍ରକାଶିତ ନୂତନ ବିଶ୍ଳେଷଣରେ ଦେଶରେ କିଭଳି ନିର୍ମାଣ ବର୍ଜ୍ୟବସ୍ତୁର ପରିଚାଳନା ହେଉଛି ସେ ସମ୍ବନ୍ଧରେ କିଛି ଅପ୍ରୀତିକର ସତ୍ୟତା ପ୍ରକାଶ ପାଇଛି। ଏଥିରେ ସିଏସଇ ମହାନିର୍ଦ୍ଦେଶକ ସୁନୀତା ନାରାୟଣ କହିଛନ୍ତି ଯେ ୨୦୧୭ ସୁଦ୍ଧା ନିର୍ମାଣ ବର୍ଜ୍ୟବସ୍ତୁର ପୁନରୁଦ୍ଧାର ପାଇଁ ୫୩ଟି ସହରରେ ପୁନଃ ପ୍ରକ୍ରିୟାକରଣ ସୁବିଧା ଉପଲବ୍ଧ ହେବ ବୋଲି ଆଶା କରାଯାଉଥିଲା କିନ୍ତୁ ୨୦୨୦ ସୁଦ୍ଧା କେବଳ ୧୩ଟି ସହରରେ ଏହା ସମ୍ଭବ ହୋଇପାରିଛି। ଯେତେବେଳେ ଦେଶରେ ଖଣିଜ ପଦାର୍ଥ, ପଥର, ବାଲି, ଲୁହାପଥର, ଆଲୁମିନିୟମ, ଏବଂ କାଠ ସମେତ ପ୍ରାଥମିକ ନିର୍ମାଣ ସାମଗ୍ରୀର ଚାହିଦା ଆଶାତୀତ ହାରରେ ବୃଦ୍ଧି ପାଉଥିବା ବେଳେ ଏହା ଗ୍ରହଣୀୟ ନୁହେଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ନିର୍ମାଣ ବର୍ଜ୍ୟବସ୍ତୁର ଏକ ବୃହତ ଅଂଶ ପୁନଃ ପ୍ରକ୍ରିୟାକରଣ କରାଯାଇ ପୁନଃ ବ୍ୟବହାରକ୍ଷ୍ମ କରାଯାଇପାରିବ ଏବଂ ପ୍ରାକୃତିକ ଭାବରେ ନିର୍ମାଣ କ୍ଷେତ୍ର ପାଇଁ ଉପଯୋଗ ହୋଇ ପାରିବ। ବୈଠକରେ ଉଦବୋଧନ ଦେଇ ସ୍ଥାୟୀ ସହରୀକରଣ କାର୍ଯ୍ୟକ୍ରମର ମୁଖ୍ୟ ଅନୁମିତ ରାୟ ଚୌଧୁରୀ କହିଛନ୍ତି ଯେ ନିର୍ମାଣ ବର୍ଜ୍ୟବସ୍ତୁ ବିଶେଷ ଭାବରେ ସହରରେ ଜଳପ୍ରବାହ, ସବୁଜ ଅଞ୍ଚଳ ଏବଂ ସର୍ବସାଧାରଣ ସ୍ଥାନକୁ ପ୍ରଦୂଷିତ କରୁଛି। ବର୍ଜ୍ୟବସ୍ତୁରୁ ବିଷାକ୍ତ ଧୂଳି କଣିକା ବାୟୁ ପ୍ରଦୂଷିତ କରୁଛି ଏବଂ ସହରାଞ୍ଚଳରେ ଚାଲିଥିବା ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଅଧୀନରେ ୨୦୧୪ ସୁଦ୍ଧା ଏହି ପ୍ରଦୂଷଣ ହାର ୨୦ରୁ ୩୦ ପ୍ରତିଶତକୁ ହ୍ରାସ କରିବାକୁ ପଡିବ।

Comments are closed.