ସପ୍ତାହାନ୍ତ ସଟଡାଉନରେ ଘଣ୍ଟାଏ କୋହଳ

ଭୁବନେଶ୍ବର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଛି ସପ୍ତାହାନ୍ତ ସଟ୍‌ଡାଉନ୍‌। ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌। ତେବେ ଉଭୟ ଦିନ ସକାଳେ ଘଣ୍ଟାଏ ଲେଖାଏଁ କୋହଳ ମିଳିବ ବୋଲି ଶୁକ୍ରବାର ସୂଚନା ମିଳିଛି। ମର୍ଣ୍ଣିଂ ୱାକ୍‌ ଓ ସାଇକ୍ଲିଂ ପାଇଁ ସକାଳ ୫ଟାରୁ ୬ଟା ସଟଡାଉନ କଟକଣା ଲାଗୁ ହେବନାହିଁ। ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା।

କମିଶନର କହିଛନ୍ତି, ଶନିବାର ସକାଳୁ ହିଁ ସପ୍ତାହାନ୍ତ ସଟଡାଉନ ଆରମ୍ଭ ହେବ। ଶୁକ୍ରବାରର ନାଇଟ କର୍ଫ୍ୟୁ ଶନିବାର ସକାଳୁ ସରିଲେ ସଟଡାଉନ ଆରମ୍ଭ ହେବ। ସଟଡାଉନ ଅବଧି ସୋମବାର ସକାଳ ପର୍ଯ୍ୟନ୍ତ ଚାଲୁ ରହିବ। ଏହାସହିତ ପଶ୍ଚିମବଙ୍ଗରୁ ଫେରୁଥିବା ବା ଯାଇ ଆସୁଥିବା ଲୋକଙ୍କ ପାଇଁ କ୍ବାରେଣ୍ଟାଇନ ବାଧ୍ୟତାମୂଳକ। ସେମାନଙ୍କ ମଧ୍ୟରୁ ନେଗେଟିଭ୍‌ ରିପୋର୍ଟ ଥିବା ଓ ୨ ଡୋଜ୍‌ ଟିକା ନେଇଥିବା ବ୍ୟକ୍ତି ହୋମ୍‌ କ୍ବାରେଣ୍ଟାଇନରେ ରହିବେ। ନେଗେଟିଭ୍‌ ରିପୋର୍ଟ ନ ଥିଲେ ବା ଟିକା ଦେଇ ନ ଥିଲେ ଇନଷ୍ଟିଚ୍ୟୁସନାଲ କ୍ବାରେଣ୍ଟାଇନରେ ରହିବେ। ହୋମ୍‌ କ୍ବାରେଣ୍ଟାଇନରେ ରହୁଥିବା ବ୍ୟକ୍ତି ନିୟମ ଭଙ୍ଗ କଲେ ଇନଷ୍ଟିଚ୍ୟୁସନାଲ କ୍ବାରେଣ୍ଟାଇନରେ ରହିବେ ବୋଲି ଆଜି ସ୍ପଷ୍ଟ କରିଛନ୍ତି ଏସ୍‌ଆର୍‌ସି।

Comments are closed.