ସୋନୁ ମହାକୁଳ ହତ୍ୟା ଘଟଣା, ୧ ଗିରଫ

ଦେବଗଡ: ଚଳିତ ମାସ ୧୫ ତାରିଖ ଦିନ ବାରକୋଟ ଥାନା ଅନ୍ତର୍ଗତ ବାଇଧରନଗର ଗାମରେ ଘଟିଥିବା ସୋନୁ ମହାକୁଳ ହତ୍ୟା ମାମଲାର ପର୍ଦ୍ଦାଫାଶ କରିବାରେ ବାରକୋଟ ପୁଲିସ ସଫଳ ହୋଇଛି। ଏ ଘଟଣାରେ ଆଜି ପୁଲିସ ବାଇଧର ନଗର ବନ୍ଧସାହିର ସୁରେଶ ମୁଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମଦପିଇ ଗାଳିଗୁଲଜ କରିବାରୁ ସୋନୁକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ସୁରେଶ ପୁଲିସ ସମ୍ମୁଖରେ ସ୍ୱୀକାର କରିଛି।
ସୂଚନା ଯୋଗ୍ୟ ଯେ,ବାରକୋଟ ଥାନା ଅନ୍ତର୍ଗତ ମାଦଳିଆ ଗ୍ରାମର ପାଣୁ ମହାକୁଳଙ୍କ ପୁଅ ସୋନୁ ମହାକୁଳ ପ୍ରାୟ ଏକମାସ ପୂର୍ବେ ଦେପତଳା ଗ୍ରାମରେ ରହୁଥିବା ତାଙ୍କ ଭାଇ ଅର୍ଜୁନ ମହାକୁଳଙ୍କ ଘରକୁ ଆସି ସେଠାରେ ରହୁଥିଲେ। ଗତ ୧୫ ତାରିଖ ସକାଳେ ସେ ଅର୍ଜୁନ ମହାକୁଳ, ଖେଡୁ ମହାକୁଳ ଓ ପାଣୁ ନାୟକଙ୍କ ସହ ଗୋରୁ ଓ ଛେଳି ଚରାଉଥିବା ବେଳେ ସୋନୁ ଓ ଖେଡୁ ମଦ କିଣିବା ପାଇଁ ନିକଟସ୍ଥ ବାଇଧରନଗର ଗ୍ରାମର ରେମଲା ସାହିକୁ ଯାଇଥିଲେ। କିଛି ସମୟ ପରେ ଖେଡୁ ଫେରି ଆସିଥିବା ବେଳେ ସୋନୁ ଆସି ନଥିବା ଅର୍ଜୁନଙ୍କୁ ସୂଚନା ଦେଇଥିଲେ। ୧୬ ତାରିଖ ଦିନ ସୋନୁଙ୍କର କ୍ଷତ ବିକ୍ଷତ ମୃତଦେହ ବାଇଧରନଗର ରେମଲା ସାହି ମୁଣ୍ଡରେ ଏକ ଚାଷଜମିରେ ପଡିଥିବା ଗ୍ରାମବାସୀ ଦେଖି ଏ ସମ୍ପର୍କରେ ଅର୍ଜୁନଙ୍କୁ ଜଣାଇଥିଲେ। ସୂଚନା ପାଇ ଅର୍ଜୁନ ମାଦଳିଆ ଗ୍ରାମକୁ ଯାଇ ସୋନୁଙ୍କ ଭାଇ ଗୋକୁଳଙ୍କୁ ଏକଥା ଜଣାଇବାରୁ ସେମାନେ ଘଟଣା ସ୍ଥଳକୁ ଆସି ସୋନୁଙ୍କର କ୍ଷତବିକ୍ଷତ ମୃତଦେହ ଦେଖିବା ପରେ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରିବାସହ ସେହିଦିନ ବାରକୋଟ ଥାନାକୁ ଆସି ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ ଆଧାରରେ ବାରକୋଟ ଥାନା ପୁଲିସ ଏକ ହତ୍ୟା ମାମଲା ଋଜୁ କରିବା ସହ ୧୭ ତାରିଖ ସକାଳେ ବାରକୋଟ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର ଘଟଣା ସ୍ଥଳକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏଥିସହ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଅଧିକ ତଦନ୍ତ ନିମନ୍ତେ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡର ସହାୟତା ନେଇଥିଲେ। ଏଘଟଣାରେ ସନ୍ଦେହ କରି ବାରକୋଟ ଥାନା ପୁଲିସ ବାଇଧରନଗର ଗ୍ରାମର ୪ ଜଣଙ୍କୁ ଥାନାକୁ ଆଣି ପଚରା ଉଚରା କରୁଥିବା ବେଳେ ସୁରେଶ ମୁଣ୍ଡା ନାମକ ଜଣେ ଯୁବକ ସୋନୁ ଅତ୍ୟଧିକ ମଦ୍ୟପାନ କରି ଗାଳି ଗୁଲଜ କରିବାରୁ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିଲା।