ଆଇନଜୀବୀଙ୍କୁ ଆକ୍ରମଣ ଘଟଣାରେ ୧ ଗିରଫ

ଏସପିଙ୍କୁ ଭେଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା ଓକିଲ ସଂଘ

ବୌଦ୍ଧ: ବୌଦ୍ଧର ପେଟ୍ରୋଲପମ୍ପ ମାଲିକ ତଥା ଆଇନଜୀବୀ ନଟବର ଅଗ୍ରୱାଲାଙ୍କୁ ଗତ ୧୮ ତାରିଖ ଦିନ ଅଜଣା ଦୁର୍ବୃତ୍ତମାନେ ଦାଦା ବଟି ମାଗିବାସହ ତାଙ୍କର ଗମ୍ଭାରୀପଦରସ୍ଥିତ ପେଟ୍ରୋଲପମ୍ପ ସମ୍ମୁଖରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଦିନକ ପରେ ଶ୍ରୀ ଅଗ୍ରୱାଲାଙ୍କ ଚେତା ଫେରିବାପରେ ୧୯ ତାରିଖ ଦିନ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୋଲିସ ରଫିକ ଖାଁଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ଏବେ ମଧ୍ୟ ଫେରାର ଥିବା ଜଣାପଡିଛି। କିନ୍ତୁ ଏପଟେ ଆଇନଜୀବୀ ଜଣକ ଗୁରୁତର ହେବା ସହ ଚିିକିତ୍ସା ପାଇଁ ଭୁବନେଶ୍ୱରର ଏକ ବେସରକାରୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମୁଣ୍ଡରେ ଗଭୀର କ୍ଷତ ଯୋଗୁଁ ତାଙ୍କର ମସ୍ତିଷ୍କରେ ଅସ୍ତ୍ରପୋଚାର କରାଯିବ ବୋଲି ଜଣାପଡିବାପରେ ଘଟଣାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ଜିଲା ଓକିଲ ସଂଘ ପକ୍ଷରୁ ସଭାପତି ତାରେଣି କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଶୁକ୍ରବାର ଦିନ ଜିଲା ଆରକ୍ଷୀ ଅଧିକ୍ଷକ ଭି. ରଘୁନାଥ ରାଓଙ୍କୁ ଭେଟି ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଥିବା ଜଣାପଯାଇଛି। ଯଦି ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ନକରେ ଆଗାମୀ ଦିନରେ ଓକିଲ ସଂଘ ପକ୍ଷରୁ ବୌଦ୍ଧ ବନ୍ଦ ଡାକରା ଦିଆଯିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି। ଏ ସଂପର୍କରେ ବୌଦ୍ଧ ଥାନା ଅଧିକାରୀ ତପସ୍ୱିନୀ କହଁରଙ୍କୁ ପଚାରିବାରେ ଏହି ମାମଲାରେ ଜଣେ ଅଭିଯୁକ୍ତ ରଫିକ ଖାଁଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବାବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରକାଶ କରିଥିଲେ।

Comments are closed.