୮ବର୍ଷରେ ମଲେଣି ୬୦୦, ବିଦ୍ୟୁତ୍‍ ସ୍ପର୍ଶରେ ୧୭୫

0

ଭୁବନେଶ୍ୱର: ଢେଙ୍କାନାଳଜିଲାର କମଳାଙ୍ଗଠାରେ ଶୁକ୍ରବାର ବିଳମ୍ବିତ ରାତିରେ ବିଦ୍ୟୁତ୍‍ ତାର ସଂସ୍ପର୍ଶରେ ଆସି ୭ଟି ହାତୀଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ଆଉ କେତେକ ହାତୀ ଆହତ ମଧ୍ୟ ହୋଇଛନ୍ତି। ହାତୀ ମୃତ୍ୟୁ ଘଟଣାରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଶକ୍ତି ବିଭାଗକୁ ଦୋଷ ଠେଲୁଥିବାବେଳେ ଶକ୍ତି ବିଭାଗ ମଧ୍ୟ ଅନୁରୂପ ଭାବେ ଜଙ୍ଗଲ ବିଭାଗର ଅବହେଳା ପାଇଁ ଏଭଳି ଘଟିଲା ବୋଲି କହୁଛନ୍ତି।
ଅନ୍ୟପକ୍ଷରେ ଗଜଲକ୍ଷ୍ମୀ ପୂଜା ଅବସରରେ ୭ଟି ଗଜରାଜଙ୍କ ମୃତ୍ୟୁକୁ ନେଇ ବୁଦ୍ଧିଜୀବୀ ଓ ପରିବେଶବିତ୍‍ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପରିବେଶବିତ୍‍ଙ୍କ ସୂଚନା ଅନୁଯାୟୀ ଗତ ୮ବର୍ଷ ମଧ୍ୟରେ ପ୍ରାୟ
୬୦୦ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ସେଥିମଧ୍ୟରୁ କେବଳ ୧୭୫ଟି ହାତୀ ବିଦ୍ୟୁତ୍‍ ସଂସ୍ପର୍ଶରେ ମରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ହାତୀମାନଙ୍କ ସୁରକ୍ଷା ପାଇଁ ବିପୁଳ ପରିମାଣ ଅର୍ଥ ଜଙ୍ଗଲ ବିଭାଗକୁ ଯୋଗାଇ ଦିଆଯାଉଛି। ହାତୀ କରିଡ଼ରକୁ ଠିକଣା କରି ହାତୀମାନଙ୍କୁ ସୁରକ୍ଷା ଦେବା ଜଙ୍ଗଲ ବିଭାଗର ପ୍ରଥମ କର୍ତ୍ତବ୍ୟ। ସେହିପରି ଶକ୍ତି ଓ ରେଳବାଇ ବିଭାଗ ମଧ୍ୟ ଅନୁରୂପ ଭାବେ ସେମାନଙ୍କ ଦାୟିତ୍ୱ ନିର୍ବାହ କରିବା କଥା। ହେଲେ ଏସବୁ ଦିଗପ୍ରତି ଧ୍ୟାନ ଦିଆଯାଉ ନଥିବାରୁ ବନ୍ୟଜନ୍ତୁ ତଥା ହାତୀମାନଙ୍କୁ ଏଭଳି ଦୁର୍ଦଶାର ସମ୍ମୁଖୀନ ହେବାକୁ ପଡୁଛି। ଠିକାଦାର ପ୍ରୀତି ହେଉ କିମ୍ବା ଦୁଇ ବିଭାଗର ଅପାରଗତା ପାଇଁ ହାତୀ ବଂଶ ଧ୍ୱଂସ ପାଇଯିବ ବୋଲି ପରିବେଶବିତ୍‍ମାନେ ଯୁକ୍ତି ବାଢ଼ୁଛନ୍ତି। ସୂଚନାଯୋଗ୍ୟ ଯେ ଶୁକ୍ରବାର ବିଳମ୍ବିତ ରାତିରେ କମଳାଙ୍ଗ ଗତିପଥ ଦେଇ ନିକଟସ୍ଥ ଅଞ୍ଚଳର ଫସଲ ଖାଇବାପାଇଁ ୧୩ଟି ହାତୀ ପାର ହେଉଥିବାବେଳେ ସେଥିମଧ୍ୟରୁ ୭ଟି ହାତୀ ସଂମ୍ପୂର୍ଣ୍ଣ ଭାବେ ୧୧ କେଭି ବିଦ୍ୟୁତ୍‍ ସଂସ୍ପର୍ଶରେ ଆସିଥିଲେ। ଯାହାଫଳରେ ଏକ ସଙ୍ଗରେ ୫ଟି ମାଈ, ଗୋଟିଏ ଦନ୍ତା ଓ ଗୋଟିଏ ଛୁଆ ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ହାତୀ ଆହତ ହୋଇଛନ୍ତି। ଏହାକୁ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଶକ୍ତି ବିଭାଗର ଅପରିଣାମଦର୍ଶୀ କାର୍ଯ୍ୟକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଉକ୍ତ ଅଞ୍ଚଳରେ ୧୧କେଭି ବିଦ୍ୟୁତ୍‍ ତାର ନିର୍ଦିଷ୍ଟ ଉଚ୍ଚତା ତଥା ୫.୩ମିଟର ଉଚ୍ଚତାଠାରୁ କମ୍‍ ଦୂରରେ ରହିଥିଲା। ଯାହାଦ୍ୱାରା ହାତୀମାନେ ବିଦ୍ୟୁତ୍‍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। ଏହାବାଦ୍‍ ବିଭାଗ ପକ୍ଷରୁ ବାରମ୍ବାର ଏସମ୍ପର୍କରେ ଶକ୍ତି ବିଭାଗକୁ ଅବଗତ କରାଯାଇଛି। ହେଲେ ତାର ବଦଳା ନଯିବା ଏବଂ କେବୁଲିଂ ନକରିବା ଯୋଗୁଁ ହାତୀମାନଙ୍କୁ ଏଭଳି ଦୁର୍ଦଶାର ସମ୍ମୁଖୀନ ହେବାକୁ ପଡିଲା ବୋଲି ଶ୍ରୀ ରାଉତରାୟ କହିଛନ୍ତି।
ପିସିସିଏଫ୍‍ ସନ୍ଦୀପ ତ୍ରିପାଠୀ କହିଛନ୍ତି ଯେ ଗତ ମାର୍ଚ୍ଚରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ସେଥିରେ ନିଷ୍ପତ୍ତି ନିଆଯାଇଥିଲା ଯେ ଯେଉଁ କେତେକ ସ୍ଥାନରେ ପୁରୁଣା ଟ୍ରାନସ୍‍ଫର୍ମର ରହିଛି ତାକୁ ବଦଳା ଯିବା ସହିତ ନୂତନ ବିଦ୍ୟୁତ୍‍ ତାର ସଂଯୋଗ ହେବ। ପର୍ଯ୍ୟାୟକ୍ରମେ ଏହାକୁ ସଂପୂର୍ଣ୍ଣ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ସମ୍ପର୍କରେ ଶକ୍ତିବିଭାଗକୁ ଅବଗତ କରାଯାଇଥିଲା। ଏନେଇ ଢ଼େଙ୍କାନାଳ ବନଖର୍ଡ ଅଧିକାରୀ ମଧ୍ୟ ଯେଉଁ ଗତିପଥ ଦେଇ ହାତୀମାନେ ଯାତାୟାତ କରୁଛନ୍ତି ତା’ର ଏକ ନକ୍ସା ପ୍ରସ୍ତୁତ କରିଥିଲେ। ପ୍ରାୟ ୧୩୬କିମି ଗତିପଥରେ ଯେଉଁ ଏଲ୍‍ଟି ଲାଇନ୍‍ ତଳକୁ ଓହଳି ପଡିଛି ତାହା ତୁରନ୍ତ ବଦଳାଇବାକୁ କୁହାଯାଇଥିଲା। ଏହାବାଦ୍‍ ୨୦୧୭ ନଭେମ୍ବରରେ ମଧ୍ୟ ସେସୁ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଯାଇଥିବାବେଳେ ନିୟମିତ ଜିପିଏସ୍‍ ମାଧ୍ୟମରେ ହାତୀଙ୍କ ଯାତାୟାତ ନେଇ ରିପୋର୍ଟ ପ୍ରଦାନ କରାଯାଉଛି। ମାତ୍ର ଶକ୍ତି ବିଭାଗ ପକ୍ଷରୁ ଠୋସ୍‍ ପଦକ୍ଷେପ ଗ୍ରହଣ କରାନ ଯିବାରୁ ୭ଟି ହାତୀଙ୍କ ମୃତ୍ୟୁ ହୋଇଛି।
ଅନ୍ୟପକ୍ଷରେ ଜଙ୍ଗଲ ଓ ପରିବେଶ ବିଭାଗର ଏହି ଆରୋପକୁ ଖଣ୍ଡନ କରିଛି ଶକ୍ତି ବିଭାଗ। ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି ଯେ ତଦନ୍ତ ରିପୋର୍ଟ ଆସିବା କ୍ଷଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଶକ୍ତି ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ସେଠାରେ ୨୦୧୧-୧୨ରୁ ରେଳବାଇର ପୋଲ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ସେଠାରେ ୧୧କେଭି ବିଦ୍ୟୁତ୍‍ ସଂଯୋଗ ରାହି ଇନ୍‍ଫ୍ରାଷ୍ଟକ୍‍ଚରକୁ ଦିଆଯାଇଛି। ଉକ୍ତ କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏହାବାଦ୍‍ ଯେଉଁ ଅଞ୍ଚଳରେ ହାତୀଙ୍କ ମୃତ୍ୟୁ ହୋଇଚି ତାହା ସବୁଦିନିଆ ହାତୀଙ୍କ ଚଲାପଥ ନୁହେଁ। ହାତୀମାନେ ଧାନଫସଲ ଖାଇବାପାଇଁ ଜଙ୍ଗଲରୁ ସହର ମୁହାଁ ହୋଇଛନ୍ତି। କମଳାଙ୍ଗ ଦେଇ ହାତୀମାନେ ଯାଉଥିବାବେଳେ ଉକ୍ତ ବିଦ୍ୟୁତ୍‍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। ସବୁଠାରୁ ବଡ଼କଥା ହେଲା ଗତକାଲି ସନ୍ଧ୍ୟାରେ ହାତୀପଲ୍ଲ କମଳାଙ୍ଗ ଦେଇ ଯାଉଥିବାବେଳେ ସେଥିରୁ ପ୍ରଥମେ ଗୋଟିଏ ହାତୀ ବିଦ୍ୟୁତ୍‍ ସଂସ୍ପର୍ଶରେ ଆସିଥିଲା। ଏନେଇ ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ତତ୍‍କ୍ଷଣାତ୍‍ ସେସୁ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା କଥା, ମାତ୍ର ତାହା କରାଯାଇ ନାହିଁ। ଯାହାଫଳରେ ଅନ୍ୟ ୬ଟି ହାତୀ ମୃତ୍ୟୁବରଣ କଲେ। ତେବେ ଉକ୍ତ ଘଟଣାରେ ସଂପୃକ୍ତ ଠିକାଦାର କେତେ ମାତ୍ରାରେ ଦାୟୀ ତାହାକୁ ତଦନ୍ତ କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ମୁଖ୍ୟ ସୁରକ୍ଷା ଅଧିକାରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ନେଇ ଏକ ତିନିଜଣିଆ କମିଟି ଗଠନ ହୋଇଛି। ଉକ୍ତ କମିଟି ରିପୋର୍ଟ ପ୍ରଦାନ କଲେ ଘଟଣା ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି।
ବନ୍ୟପ୍ରାଣୀ ବିଶେଷଜ୍ଞ ସତ୍ୟ ନାରାୟଣ ଦାସ କହିଛନ୍ତି, ଏପରି ଅଘଟଣ ଘଟିଲେ ସରକାରୀ ବିଭାଗ ପରସ୍ପରକୁ ଦୋଷ ଦେଇ ଖସି ଯିବା ଉଦ୍ୟମ କରନ୍ତି, ଯାହା ଆଦୌ ଗ୍ରହଣୀୟ ନୁହେଁ। ବିଦ୍ୟୁତ ବିଭାଗର ଅବହେଳା ସବୁବେଳେ ଦେଖା ଯାଇଥାଏ। ସେହିପରି କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ହାତୀ ପ୍ରବେଶ କରିବା ପରେ ମୁଖ୍ୟ ଦାୟିତ୍ୱ ହେଉଛି ସମ୍ପୃକ୍ତ ରେଞ୍ଜ ଅଧିକାରୀଙ୍କର। ହାତୀ ପଲ ଆସିବା ମାତ୍ରେ ରେଞ୍ଜ ଅଧିକାରୀ ଅବିଳମ୍ବେ ବିଦ୍ୟୁତ୍‍ ବିଭାଗ ଓ ରେଳବାଇକୁ ଅବଗତ କରାଇବେ। ଏଥିସହ ସ୍ଥାନୀୟ ଲୋକଙ୍କୁ ସୂଚନା ଦେବେ। ହାତୀ ପଲଙ୍କୁ ସୁରକ୍ଷିତ ଅଞ୍ଚଳକୁ ଘଉଡ଼ାଇବା ନିହାତି ଜରୁରୀ। ଏଥିପାଇଁ ରେଞ୍ଜ ଅଧିକାରୀଙ୍କୁ ଗାଡ଼ି ସହ ଅନ୍ୟ ସରଞ୍ଜାମ ଯୋଗାଇ ଦିଆଯାଇଛି। କିନ୍ତୁ ଅଧିକାଂଶ ରେଞ୍ଜ ଅଧିକାରୀ ନିଜ ଦାୟିତ୍ୱ ଠିକ୍‍ ଭାବେ ନିର୍ବାହ ନକରି ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇବା ପାଇଁ ହାତୀମାନଙ୍କୁ ଅନ୍ୟ ରେଞ୍ଜକୁ ତଡ଼ି ଦେଉଛନ୍ତି। କାରଣ ସାମାନ୍ୟ ଅବହେଳା ହେଲେ ପ୍ରଥମେ ରେଞ୍ଜ ଅଧିକାରୀ ବଳି ପଡିଥାନ୍ତି। ତେଣୁ ପ୍ରତ୍ୟେକ ବିଭାଗ ଦୋଷ ଠେଲାଠେଲି ନକରି ଠିକଣା ଦାୟିତ୍ୱ ନିର୍ବାହ କରିବା ଆବଶ୍ୟକ, ନଚେତ୍‍ ହାତୀ ବଂଶ ପ୍ରତି ଆହ୍ୱାନ ସୃଷ୍ଟି ହେବ ବୋଲି ସେ କହିଛନ୍ତି।

ବିଧାନସଭାରେ ଫାଙ୍କୁଥିଲେ ମନ୍ତ୍ରୀ; ଏ​‌ବେ ଉଦ୍‌ବେଗ

ପ୍ରତି ବର୍ଷ ବିଦ୍ୟୁତ୍‍ ଆଘାତରେ ହାତୀ ମୃତ୍ୟୁ ସଂଖ୍ୟା ବଢ଼ୁଥିବା କଥା ସତ୍ୟ କି ବୋଲି ଗତ ବିଧାନସଭାରେ ବିଧାୟକ କୈଳାସଚନ୍ଦ୍ର କୁଲେସିକା ଏକ ପ୍ରଶ୍ନ କରିଥିଲେ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହାର ଉତ୍ତରରେ କହିଥିଲେ ଯେ ପ୍ରତିବର୍ଷ ବିଦ୍ୟୁତ୍‍ ଆଘାତରେ ହାତୀ ମୃତ୍ୟୁ ସଂଖ୍ୟା ବଢ଼ୁଥିବା କଥା ସତ୍ୟ ନୁହେଁ।
ମନ୍ତ୍ରୀ କହିଥିଲେ ଯେ ହାତୀ କେତେକ କ୍ଷେତ୍ରରେ ସିଧାସଳଖ ବିଦ୍ୟୁତ ତାର ସଂସ୍ପର୍ଶରେ ଓ କୃଷି କ୍ଷେତ୍ରରେ ଚାଷୀଙ୍କ ଦ୍ୱାରା ବିଦ୍ୟୁତ୍‍ ତାର ଘେରା ସଂସ୍ପର୍ଶରେ ଆସୁଥିବାରୁ ପ୍ରାଣ ହରାଉଛନ୍ତି। ଏଥିପାଇଁ ସତର୍କତା ଅବଲମ୍ବନ କରାଯାଉଛି। ହାତୀ ଚଳପ୍ରଚଳ ରାସ୍ତାରେ ବିଦ୍ୟୁତ୍‍ ତାରକୁ ଭୂମିଠାରୁ ୫.୫ମିଟର ଉଚ୍ଚତାରେ ରଖିବା, ଖୁଣ୍ଟରେ ଭୂମିଠାରୁ ୪ଫୁଟ ଓ ୭ଫୁଟ ଉଚ୍ଚତାରେ ସଙ୍କୁ(ସ୍ପାଇକ) ଲଗାଇବା ସହିତ ହାତୀ ଚଳପ୍ରଚଳ ରାସ୍ତାରେ ବିଦ୍ୟୁତ୍‍ ପ୍ରତିରୋଧକ ଲଗାଯାଇଛି। ଅନୁଗୋଳ, ବାରିପଦା, ସମ୍ବଲପୁର, ରାଉରକେଲା ଓ ଭବାନିପାଟଣା ମଣ୍ଡଳ ଅଧୀନରେ ଥିବା ୧୭ଟି ବନଖଣ୍ଡରେ ପ୍ରାୟ ୧୫୧୯କିଲୋମିଟର ଅଞ୍ଚଳରେ ବିଦ୍ୟୁତ ତାର ପ୍ରତିରୋଧକ ବ୍ୟବସ୍ଥା ସହିତ, ଚଳପ୍ରଚଳ ସମୟରେ ବିଦ୍ୟୁତ୍‍ କାଟ ଆଦି ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ।
ମନ୍ତ୍ରୀ ବିଧାନସଭାରେ ରଖିଥିବା ତଥ୍ୟ ଅନୁସାରେ ଯଦି ଠିକଣା ଭାବରେ ପଦକ୍ଷେପ ଗ୍ରହଣ କରାଯାଇଥାନ୍ତା ତେବେ ଆଜି ବିଦ୍ୟୁତ୍‍ ସଂସ୍ପର୍ଶରେ ଆସି ୭ଟି ହାତୀଙ୍କ ପ୍ରାଣ ଯାଇ ନଥାନ୍ତା। ୨୦୧୭ ମସିହା ହାତୀ ଗଣନା ତଥ୍ୟ ଆଧାରରେ ବିଧାନସଭାରେ ମନ୍ତ୍ରୀ ଶ୍ରୀ ରାଉତରାୟ କହିଥିଲେ ଯେ ଓଡ଼ିଶାରେ ୧୯୭୬ଟି ହାତୀ ଅଛନ୍ତି। ଏ ପର୍ଯ୍ୟନ୍ତ ୬ଥର ବୈଜ୍ଞାନିକ ପଦ୍ଧତିରେ ହାତୀ ଗଣନା ହୋଇଛି।

Leave A Reply