୨୨ମାସରେ ବୁରହାନ ବ୍ରିଗେଡ଼ର ନିପାତ: ଅପରେସନ୍‍ ଅଲ୍‍ଆଉଟ୍‍ ସଫଳ

0

ଶ୍ରୀନଗର:ହିଜବୁଲ ମୁଜାହିନ୍ଦନର ପୋଷ୍ଟର ବୟ ବୁରହାନ ବନୀକୁ ସେନା ପକ୍ଷରୁ ୨୦୧୬ ଜୁନ ୮ରେ ମାରିବାରେ ସଫଳ ହୋଇଥିଲେ। ଏହାର ଠିକ୍‍ ୨୨ମାସ ମଧ୍ୟରେ ଏହି ଗ୍ୟାଙ୍ଗର ଅନ୍ୟାନ୍ୟ ସଦସ୍ୟଙ୍କୁ ନିପାତ କରିବାରେ ସୁରକ୍ଷା କର୍ମୀ ସଫଳ ହୋଇଛନ୍ତି। ବୁରହାନ ଗ୍ୟାଙ୍ଗର ଏକ ପୋଷ୍ଟର ସେ ସମୟରେ ଫେସବୁକ୍‍ରେ ପ୍ରସାରିତ ହୋଇଥିଲା। ଏହି ପୋଷ୍ଟର ଦ୍ୱାରା ବୁରହାନ ଗ୍ୟାଙ୍ଗ ଦେଶର ଯୁବକଙ୍କୁ ସାମିଲ କରିବା ପାଇଁ ଆହ୍ୱାନ କରିଥିଲେ। ଏହି ଫଟୋ ସୋସିଆଲ ସାଇଟରେ ଆସିବା ପରେ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ଅପରୋସନ “ଅଲ ଆଉଟ୍‍’। ଫଟୋରେ ଥିବା ସଦସ୍ୟଙ୍କ ମଧ୍ୟରୁ ତାରିକ୍‍ ପଣ୍ଡିତ ୨୦୧୬ରେ ଆତ୍ମସମର୍ପଣ କରିବା ପରେ ଏହି ଅପରେସନ ଆରମ୍ଭ ହୋଇଥିଲା। ରବିବାର ଏହି ଅପରେସନର ଅନ୍ତ ଘଟିଛି। ଦୀର୍ଘ ୫ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଧରି ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ପରେ କୁଖ୍ୟାତ ଆତଙ୍କବାଦୀ ତଥା ହିଜବୁଲର ଶିର୍ଷ କମାଣ୍ଡର ସଦ୍ଦାମ ପାଡ଼ର ସମେତ ୫ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ସଦ୍ଦାମଙ୍କ ସମେତ ଡ.ମହମ୍ମଦ ରଫି ଭଟ୍ଟ, ବିଲାଲ ମୈଲବୀ ଓ ଆଦିଲ ମାଲିକ ଅନ୍ୟତମ। ଗତ ସପ୍ତାହରେ ଜମ୍ମୁ କାଶ୍ମୀର ପୁଲବାମାଠାରେ ସ୍ଥାନୀୟ ପୁଲିସ ଓ ସେନାର ମିଳିତ ଅପରେସନରେ ହିଜବୁଲର କମାଣ୍ଡର ସମୀର ଟାଇଗରର ମୃତ୍ୟୁ ହୋଇଥିଲା। ବୁରହାନର ମୃତ୍ୟୁ ପରେ ଆତଙ୍କବାଦୀ ସଂଗଠନ ସମୀରକୁ ପୋଷ୍ଟର ବୟ ଭାବରେ ବ୍ୟବହାର କରୁଥିଲେ। “ଅପରେସନ ଅଲଆଉଟ’ କାଶ୍ମୀରରୁ ଆତଙ୍କବାଦୀ ମୁକ୍ତ କରିବା ନିମନ୍ତେ ଆରମ୍ଭ ହୋଇଥିଲା। ଗତ ବର୍ଷ ମୋଟ ୨୦୮ଜଣ ଆତଙ୍କବାଦୀଙ୍କୁ ମାରିବାରେ ସେନା ସଫଳ ହୋଇଥିବାବେଳେ ଚଳିତ ବର୍ଷ ଅଧ୍ୟାବଧି ୫୯ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି।

Leave A Reply