୧୫୧ତମ ସ୍ୱାୟତଶାସନ ଦିବସରେ ହେବ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

0

ବ୍ରହ୍ମପୁର: ଆସନ୍ତା କାଲି ବ୍ରହ୍ମପୁର ମହାନଗର ନିଗମ ପାଳନ କରିବ ୧୫୧ତମ ସ୍ୱାୟତଶାସନ ଦିବସ । ସ୍ୱାୟତ ଶାସନ ଦିବସ ପାଳନ ଅବସରରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଆଉ କିଛି ପ୍ରକଳ୍ପ ନିର୍ମାଣ ପାଇଁ ଶୁଭ ଦିଆଯିବ । ସକାଳେ ଆୟୋଜିତ ଉତ୍ସବରେ ସିନେ ତାରକା କରିନା ଖାନ ଯୋଗଦାନ ଦେଉଥିବାବେଳେ ସନ୍ଧ୍ୟାରେ ଆୟୋଜିତ ଉତ୍ସବରେ କଣ୍ଠଶିଳ୍ପି ବିନୋଦ ରାଠୋର ଯୋଗଦାନ କରିବାର କାର୍ୟ୍ୟକ୍ରମ ରହିଛି । ସ୍ୱାୟତ ଦିବସ ଅବ୍ୟବହିତ ପୂର୍ବରୁ ବିଏମସି ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ମେୟର କେ.ମାଧବୀ ୫ ବର୍ଷ ମଧ୍ୟରେ ବିଏମସି ପକ୍ଷରୁ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ୟ୍ୟର ସବିଶେଷ ବିବରଣୀ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ ଏହି ସମୟ ଭିତରେ ସହରରେ ୧୧୫୮ଟି ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟ କରାଯାଇଛି । ୧୫୭,୩୩ କୋଟି ଟଙ୍କାର ନିୟମିତ ଉନ୍ନୟନ କାର୍ୟ୍ୟର ଟେଣ୍ଡର ହୋଇଛି । ଏଥିରୁ ୮୦.୭୬ କୋଟି ଟଙ୍କାର କାର୍ୟ୍ୟ ସରିଥିବା ବେଳେ ନଭେମ୍ବର ସୁଦ୍ଧା ଅବଶିଷ୍ଟ ୭୬.୫୭ କୋଟି ଟଙ୍କାର କାର୍ୟ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି । ଏହାସହ ମେୟର ସୂଚନା ଦେଇଛନ୍ତି ଯେ ୬୦.୧୬ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ରକଳ୍ପ କାର୍ୟ୍ୟ ଚାଲିଛି । ଅମୃତ ପାର୍କ, ବର୍ୟ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିର୍ମାଣ, ରାମଲିଙ୍ଗମ ପୋଖରୀ ସୌନ୍ଦର୍ୟ୍ୟକରଣ ଏବଂ ସ୍ପୋର୍ଟସ ଏରିନା ନିର୍ମାଣ କରାଯାଉଛି । ଗରିବ ଅବହେଳିତ ଲୋକମାନଙ୍କ ସୁରକ୍ଷା ନିମନ୍ତେ ଜାତୀୟ ନଗର ଜୀବିକା ମିଶନ କାର୍ୟ୍ୟକାରୀ କରାଯାଇ ୧୬୭୩ ସ୍ୱୟଂସହାୟକ ଗୋଷ୍ଠି ଗଠନ କରାଯାଇ ୧୬୭୩୦ ମହିଳାଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଇଛି । ୪୨,୧୯୩ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲକରାଯାଇଛି । ରାଜୀବ ଆବାସ ଯୋଜନାରେ ଗରିବଙ୍କୁ ଘର ଯୋଗାଇ ଦିଆଯାଇଛି । ଏକ ହଜାରରୁ ଅଧିକ ଘର ନିର୍ମାଣ ହୋଇଥିବାବେଳେ ୮୦୦ ଘର ଲଟେରୀ ମାଧ୍ୟମରେ ହିତାଧିକାରୀଙ୍କୁ ଆବଂଟନ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୦୦ ଜଣ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯାଇଛି । ବିଏମସିର ନିଜସ୍ୱ ଆୟ ବୃଦ୍ଧି କରିବା ପାଇଁ ବହୁ ଯୋଜନା କରାଯାଇଥିବା ସେ କହିଛନ୍ତି । ପରିମଳ ବ୍ୟବସ୍ଥାରେ ବିଏମସି ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ମେୟର କହିଛନ୍ତି ଯେ ଘରୁ ଘରୁ ଅଳିଆ ସଂଗ୍ରହ କରିବା, ଇ-ସୁବିଧା କାର୍ୟ୍ୟକାରୀ କରିବାକୁ ସିଙ୍ଗଲ ୱିଣ୍ଡୋ, ୫୦ଟି ଭୂତଳ ଡଷ୍ଟବିନ ସ୍ଥାପନ, ୩ଟି ୱାଟର ଏଟିଏମ୍ ସ୍ଥାପନ, ସୋଲାର ବସଷ୍ଟପ ନିର୍ମାଣ, ଟାଉନ୍ ହଲ ଓ କଲ୍ୟାଣ ମଣ୍ଡପ ବୁକିଂ ଅନଲାଇନରେ ଉପଲବ୍ଧ । ୨୦ଟି ଶିଶୁ ଉଦ୍ୟାନ, ଅଟୋମେଟେଡ ଟ୍ରାଫିକ ସିଷ୍ଟମ, ସ୍ପୋର୍ଟସ ଏରିନା ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ୟ୍ୟ ହୋଇଛି । ଏହି ସମସ୍ତ ପ୍ରକଳ୍ପ ହେବା ପରେ ବିଏମସିର ଶ୍ରେଷ୍ଠ ବ୍ରହ୍ମପୁର, ସ୍ୱଚ୍ଛ ବ୍ରହ୍ମପୁର, ସ୍ମାର୍ଟ ବ୍ରହ୍ମପୁର ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ମେୟର କେ.ମାଧବୀ କହିଛନ୍ତି । ବହୁ ପ୍ରକଳ୍ପ ପୂର୍ବରୁ ଆରମ୍ଭ ହୋଇଥିବାବେଳେ ସ୍ୱାୟତ ଶାସନ ଦିବସରେ କିଛି ପ୍ରକଳ୍ପ ଆରମ୍ଭ ହେବ ବୋଲି ମେୟର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କମିଶନର ଚକ୍ରବର୍ତି ସିଂ ରାଠୋର, ଡେପୁଟି ମେୟର ଜ୍ୟୋତ୍ସ୍ନା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply