୧୧ରୁ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ: ​ଖୋଲିଲା କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ

0

ଭୁବନେଶ୍ୱର: ଆସନ୍ତା ନଭେମ୍ବର୧୧ରୁ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ-୨୦୧୮। ଏଥିପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି। ସୋମବାର ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହାର ସମୀକ୍ଷା କରାଯାଇଛି। ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ ପାଇଁ ଆଜିଠାରୁ ଖୋଲିଛି କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ।
ବୈଠକରେ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ସମ୍ମିଳନୀରେ ଭାଗ ନେବାକୁ ଆଗ୍ରହୀ ପ୍ରତିନିଧିଙ୍କୁ ନଭେମ୍ବର ୯ତାରିଖ ସୁଦ୍ଧା ଅନଲାଇନରେ ଆବଶ୍ୟକ ଅନୁମତି ପ୍ରଦାନ ପାଇଁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଚଳିତ ମାସ ଶେଷସୁଦ୍ଧା ନୋଡ଼ାଲ ଅଧିକାରୀ ଏବଂ ଅନ୍ୟ ଅଧିକାରୀଙ୍କ ନାମ ତାଲିକା ଶିଳ୍ପ ବିଭାଗକୁ ପଠାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀ ସବୁ ବିଭାଗକୁ ନିର୍ଦେଶ ଦେଇଥିଲେ। ଓଡ଼ିଶାର ବିଭିନ୍ନ ଶିଳ୍ପ ସଂସ୍ଥା ଏଠାରେ ପୁଞ୍ଜିନିବେଶ ପାଇଁ ଥିବା ସୁବିଧା ସୁଯୋଗ ଓ ଭବିଷ୍ୟତ ଯୋଜନା ସଂକ୍ରାନ୍ତରେ କନକ୍ଲେଭରେ ତଥ୍ୟ ଉପସ୍ଥାପନ ପାଇଁ ପଦକ୍ଷେପ ନେବାକୁ ସମସ୍ତ ବିଭାଗକୁ ପରାମର୍ଶ ଦେଇଥିଲେ। ମେକ୍‍ ଇନ କନକ୍ଲେଭକୁ ଅଧିକ ରୁଦ୍ଧିମନ୍ତ ତଥା ସ୍ମରଣୀୟ କରିବା ନିମନ୍ତେ ବୈଠକ ସହିତ କ୍ଷେତ୍ର ପରିଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ନିମନ୍ତେ ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନ ପରାମର୍ଶ ଦେଇଥିଲେ।
ପାଞ୍ଚଦିନ ଧରି ଅନୁଷ୍ଠିତ ହେବାକୁ ଥିବା ମେକ ଇନ ଓଡ଼ିଶା କନକ୍ଲେଭ ଆସନ୍ତା ୧୧ତାରିଖରେ ଜନତା ମଇଦାନରେ ଉଦ୍‍ଘାଟନ ହେବ। ଏଥିରେ ବିଭିନ୍ନ ଶିଳ୍ପ ସଂଘ, ବ୍ୟବସାୟ ପ୍ରତିଷ୍ଠାନ, ଶିଳ୍ପ ମହାସଂଘ, ବିଶ୍ୱର ପ୍ରମୁଖ ପୁଞ୍ଜିନବେଶକାରୀ ସଂସ୍ଥା ଯୋଗଦେବେ। ଏଥିସହିତ ଜାପାନ ଓ ୟୁନାଇଟେଡ଼ ଆରବ ଏମିରେଟ୍ସ ଭଳି ସହଯୋଗୀ ରାଷ୍ଟ୍ର ଯୋଗଦେବେ। ଉକ୍ତ କାର୍ଯ୍ୟକ୍ରମରେ ଭାରତ ଓ ଭାରତ ବାହାରର ପ୍ରମୁଖ ବ୍ୟବସାୟୀ ସଂସ୍ଥା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପାଞ୍ଚଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୨୪ଟି ଅଧିବେଶନରେ ବୃହତ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏଥିରେ ଖାଦ୍ୟ ପ୍ରକ୍ରିୟାକରଣ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମଏସଏମଇ),ମହାକାଶ ଓ ପ୍ରତିରକ୍ଷା, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି, ମହିଳା ଉଦ୍ୟୋଗୀ, ବାୟୋଟେକ, ଗଣମାଧ୍ୟମ ଓ ମନୋରଞ୍ଜନ, ଶିକ୍ଷା ଓ ଗବେଷଣା, ସ୍ମାଟ ସିଟି , ଧାତୁ ଓ ଆନୁଷଙ୍ଗିକ ଶିଳ୍ପ, ରସାୟନ ଓ ପେଟ୍ରୋକେମିକାଲ୍ସ, ଲଜିଷ୍ଟିକ ଓ ଭିତ୍ତିଭୂମି, ସ୍ୱାସ୍ଥ୍ୟସେବାରେ ପୁଞ୍ଜିନିବେଶ, ଦକ୍ଷତା ବିକାଶ, ପର୍ଯ୍ୟଟନରେ ପୁଞ୍ଜିନିବେଶ, ବୟନ ଓ ପୋଷାକ ଶିଳ୍ପ, କୃଷି ଶିଳ୍ପରେ ପୁଞ୍ଜିନିବେଶ ଓ କୃଷି ବଜାର ଆଦି ବିଷୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।
ଚଳିତବର୍ଷର କନକ୍ଲେଭରେ ଯୋଗଦେବାକୁ ଥିବା ପ୍ରମୁଖ ସଂସ୍ଥାଗୁଡ଼ିକ ପକ୍ଷରୁ ଦକ୍ଷତା ବିକାଶ କ୍ଷେତ୍ର ଉପରେ ୩୬ ଘଣ୍ଟିଆ ସ୍ମାର୍ଟ ହାକାଥନର ଆୟୋଜନ କରାଯାଇଛି। ଆଜି ସୁଦ୍ଧା ବିଭିନ୍ନ ବୈଷୟିକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ୪ହଜାର ଛାତ୍ରଛାତ୍ରୀ ହାକାଥନରେ ଅଂଶଗ୍ରହଣ କରିବା ପାଇଁ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୯୩ଜଣ ମନୋନୀତ ହୋଇଛନ୍ତି ଏବଂ ସେମାନଙ୍କୁ ୯୩ଟି ଗ୍ରୁପରେ ବିଭକ୍ତ କରାଯାଇଛି। ନଭେମ୍ବର ୧୩ ତାରିଖ ସକାଳ ୯ଟାରେ ହାକାଥନ ଆରମ୍ଭ ହେବ ଏବଂ ଏହା ୧୪ତାରିଖ ରାତି ୧୦ଟାରେ ଶେଷ ହେବ। ଛାତ୍ରଛାତ୍ରୀ ଭୁବନେଶ୍ୱର ସିଇଟିରେ ହାକାଥନ ପ୍ରସ୍ତୁତି କରିବେ। ହାକାଥନର ନିର୍ଯାସ ୧୫ ନଭେମ୍ବରରେ ମେକ ଇନ ଓଡ଼ିଶା କନକ୍ଲେଭ ଅଧିବେଶନରେ ଉପସ୍ଥାପନ କରାଯିବ।
ମେକ ଇନ ଓଡ଼ିଶା କନକ୍ଲେଭର ଅଂଶଗ୍ରହଣକାରୀଙ୍କ କୌଣସି ସମସ୍ୟାର ସମାଧାନ ତଥା ଆବଶ୍ୟକ ସୂଚନା ପ୍ରଦାନ ନିମନ୍ତେ ଏକ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରାଯାଇଛି। ଆଜିଠାରୁ ଏହି ନିୟନ୍ତ୍ରଣ କକ୍ଷ କାର୍ଯ୍ୟାରମ୍ଭ କରିଛି। ଟେଲିଫୋନ ନମ୍ବର ୧୮୦୦୩୪୫୭୧୧୧ ଏବଂ ଇ ମେଲ-ଜ୍ଞସକ୍ଟ୨୦୧୮ଅସଦ୍ଭଙ୍ଖରଗ୍ଦଗ୍ଧକ୍ଟୟସଗ୍ଦଷବ.୦କ୍ସଶ ରେ ଯୋଗାଯୋଗ ପାଇଁ ବ୍ୟବସ୍ଥା ହୋଇଛି। ଆସନ୍ତା ନଭେମ୍ବର ୯ତାରିଖଠାରୁ ନିୟନ୍ତ୍ରଣ କକ୍ଷ ମେକ ଇନ କନକ୍ଲେଭ ଆୟୋଜନ ସ୍ଥଳ ଜନତା ମଇଦାନକୁ ସ୍ଥାନାନ୍ତର କରାଯିବ। ଏଠାରେ ୯୫୫୬୩୪୪୮୦୦ ଫୋନ ନମ୍ବର ଏବଂ ଉପରୋକ୍ତ ଇମେଲ ଯୋଗେ ଯୋଗାଯୋଗ କରାଯାଇପାରିବ। ଆଜିର ବୈଠକରେ ଏମଏସଏମଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ.ଏନ.ଗୁପ୍ତା, ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନକାନ୍ତ ପାଣ୍ଡେଙ୍କ ସମେତ ଅନ୍ୟାନ୍ୟ ବିଭାଗର ପ୍ରମୁଖ ସଚିବ ଓ ସଚିବ ଉପସ୍ଥିତ ଥିଲେ।

Leave A Reply