୧୦୦ ଲୋକସଭା ଆସନ ହରାଇପାରେ ବିଜେପି!

0

ନୂଆଦିଲ୍ଲୀ,୧୨ା୧୨: ମୋଦୀ ଲହରରେ କବଳିତ ଭାରତର ରାଜନୈତିକ ମାନଚିତ୍ରରେ ହଠାତ୍‍ ପରିବର୍ତ୍ତନ ଘଟିଛି। ବିଜେପି ଶାସିତ ରାଜ୍ୟ ସଂଖ୍ୟା ୧୬ରୁ ୧୩କୁ ଖସିଆସିଛି।
୫ ରାଜ୍ୟରେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଦଳର ବିଫଳତା କଂଗ୍ରେସ ଏବଂ ଅଣ-ଏନ୍‍ଡିଏ ଦଳଗୁଡିକ ପାଇଁ ୨୦୧୯ ଲୋକସଭା ନିର୍ବାଚନକୁ ନେଇ ଏକପ୍ରକାର ଆଶା ସଞ୍ଚାର କରିଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ସମେତ ଜାମ୍ମୁ-କାଶ୍ମୀର, ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର ଏବଂ ଗୁଜରାଟ ଭଳି ହିନ୍ଦୀ ଭାଷାଭାଷୀ ରାଜ୍ୟଗୁଡିକରେ ମୋଟ ୨୭୩ଟି ଲୋକସଭା ଆସନ ଥିବା ବେଳେ ବିଜେପି ଏବଂ ଏହାର ମିତ୍ର ଦଳଗୁଡିକ ନିକଟରେ ଏଥିମଧ୍ୟରୁ ୨୨୬ଟି ଆସନ ରହିଛି। କିନ୍ତୁ ଯଦି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ର ସଦ୍ୟ ବିଧାନସଭା ଫଳାଫଳକୁ ବିଚାରକୁ ନିଆଯାଏ ଏବଂ ସମାଜବାଦୀ ପାର୍ଟି ଓ ବିଏସ୍‍ପି ହାତ ମିଳାନ୍ତି ତା’ହେଲେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପାଖାପାଖି ୭୦ରୁ ୧୦୦ଟି ଆସନ ହରାଇବାର ଆଶଙ୍କା ରହିଛି। ସଦ୍ୟ ଘୋଷିତ ବିଧାନସଭା ଫଳାଫଳକୁ ଲୋକସଭା ନିର୍ବାଚନ ସହିତ ତୁଳନା କରି ପ୍ରମୁଖ ଗଣମାଧ୍ୟମ ନ୍ୟୁଜ୧୮ ଏବଂ ଜିନ୍ୟୁଜ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଦର୍ଶାଯାଇଛି। ଜି ନ୍ୟୁଜ ଭିଏମ୍‍ଆର୍‍ ସହିତ ମିଳିତ ଭାବେ ଭୋଟ ପ୍ରତିଶତକୁ ନେଇ କରିଥିବା ବିଶ୍ଲେଷଣ ଅନୁସାରେ ବିଜେପି ୨୦୧୩ ତୁଳନାରେ ୨୦୧୮ରେ ମଧ୍ୟପ୍ରଦେଶରେ ୪%, , ରାଜସ୍ଥାନରେ ୧୦% ଏବଂ ଛତିଶଗଡ଼ରେ ୮% କମ୍‍ ଭୋଟ ପାଇଛି। ସେହିଭଳି ଉତ୍ତର ଭାରତର ମୋଟ ୧୭୨ ଲୋକସଭା ଆସନ ଥିବା ବେଳେ ୨୦୧୪ରେ ବିଜେପିକୁ ୧୩୭ ଏବଂ କଂଗ୍ରେସକୁ ୯ଟି ଆସନ ମିଳିିିିଥିଲା। ବିଧାନସଭା ନିର୍ବାଚନ ଫଳାଫଳକୁ ଦୃଷ୍ଟିରେ ରଖି ବିଚାର କଲେ ବିଜେପି ୨୦୧୯ରେ ୮୭ଟି ଏବଂ କଂଗ୍ରେସ ୩୦ଟି ଆସନରେ ବିଜୟୀ ହେବ। ବିଜେପି ନେତତ୍ୱାଧୀନ ଏନ୍‍ଡିଏକୁ ମିଳିବ ୯୧ଟି ଆସନ। ଯଦି କଂଗ୍ରେସ ଏସ୍‍ପି ଓ ବିଏସ୍‍ପି ସହିତ ମେଣ୍ଟ କରେ ତା’ହେଲେ ୟୁପିଏର ଲୋକସଭା ଆସନ ସଂଖ୍ୟା ୭୬ରେ ପହଞ୍ଚିବ। ଅଣ ଏନ୍‍ଡିଏ ଓ ଅଣକଂଗ୍ରେସ ଦଳକୁ ୫ ଆସନ ମିଳିବ। ଏହିକ୍ରମରେ ଦକ୍ଷିଣ ଭାରତରେ ଏନ୍‍ଡିଏ ୬୭ଟି, ୟୁପିଏ ୬୨ଟି ଏବଂ ଅନ୍ୟାନ୍ୟ ୨ଟି ଆସନରେ ଜିତିବେ। ପୂର୍ବଭାରତର ୧୨ ରାଜ୍ୟର ୧୩୭ ଆସନ ମଧ୍ୟରୁ ବିଜେପି ଗତଥର ୪୫ ଏବଂ କଂଗ୍ରେସ ୧୪ଟି ଆସନ ଲାଭ କରିଥିଲା। ଆଗାମୀ ନିର୍ବାଚନରେ ଏହି ସଂଖ୍ୟା ଯଥାକ୍ରମେ ୪୦ ଓ ୨୨ ହେବାର ସମ୍ଭାବନା ରହିଛି। ଏହି ଅଞ୍ଚଳରେ ଏନ୍‍ଡିଏ ୫୪, ୟୁପିଏ-୭୩ ଏବଂ ଅନ୍ୟାନ୍ୟକୁ ୧୦ ଆସନ ମିଳିପାରେ। ଶେଷରେ ପଶ୍ଚିମ ଭାରତର ୬ଟି ରାଜ୍ୟର ୧୦୩ ଆସନ ମଧ୍ୟରୁ ଗତଥର ବିଜେପି ୭୮ଟି ଏବଂ କଂଗ୍ରେସ ମାତ୍ର ୨ଟିରେ ବିଜୟୀ ହୋଇଥିଲା। ଏଥର ବିଜେପି ୬୫ ଏବଂ କଂଗ୍ରେସକୁ ୧୮ଟି ଆସନ ମିଳିପାରେ। ତେବେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ (ଶିବସେନା ଓ ଏମ୍‍ଜିପିକୁ ମିଶାଇ) ୮୧ ଆସନ ପାଇବ ଏବଂ ୨୨ଟି ଆସନ ୟୁପିଏ ଖାତାକୁ ଯିବ ବୋଲି ଆକଳନ କରାଯାଇଛି। ମୋଟାମୋଟି ଭାବେ ୨୦୧୯ ଲୋକସଭା ନିର୍ବାଚନରେ ଏନ୍‍ଡିଏ ୨୯୩ ଏବଂ ୟୁପିଏ ୨୩୩ ଏବଂ ଅନ୍ୟାନ୍ୟକୁ ୧୭ଟି ଆସନ ମିଳିବ। ବିଜେପି ଗତଥର ତୁଳନାରେ ଏଥର ୭୦ଟି ଆସନ କମ୍‍ ପାଇ ୨୧୨ରେ ସୀମତି ରହିବ ଏବଂ କଂଗ୍ରେସ ଆସନ ସଂଖ୍ୟା ୫୨ ବୃଦ୍ଧି ପାଇ ୯୬ରେ ପହଞ୍ଚିବ ବୋଲି ଜିନ୍ୟୁଜ ପକ୍ଷରୁ ପାଠକଙ୍କ ମତାମତକୁ ଭିତ୍ତି କରି ପ୍ରସ୍ତୁତ ରିପୋର୍ଟରେ ଦର୍ଶାଯାଇଛି।

Leave A Reply