ହୃଦ୍‌ରୋଗୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ମାଗଣାରେ ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ସମଗ୍ର ଦେଶରେ ହୃଦରୋଗ ଚିନ୍ତାର ବିଷୟ ହୋଇଥିବା ବେଳେ ଆମ ରାଜ୍ୟରେ ହୃଦରୋଗୀ ଏବଂ ଏଥିରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ସଂଖ୍ୟା ଅଧିକ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ହୃଦରୋଗର ନିଦାନ ପାଇଁ ସ୍ୱାସ୍ଥ୍ୟ ସେବାରେ ଆଧୁନିକ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ଝାରସୁଗୁଡ଼ାରେ ଏକ ସୁପରସ୍ପେଶାଲିଟି ହୃଦରୋଗ ଡ଼ାକ୍ତରଖାନା ନିର୍ମାଣ ସହିତ ପ୍ରତ୍ୟେକ ମେଡିକାଲ କଲେଜରେ ସ୍ୱତନ୍ତ୍ର ହୃଦ୍‍ ବିଭାଗ ଖୋଲିବା ଏ ଦିଗରେ ସଫଳ ପ୍ରୟାସ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
କାର୍ଡିଓଲୋଜିକାଲ ସୋସାଇଟି ଅଫ୍‍ ଇଣ୍ଡିଆ, ଓଡ଼ିଶା ଚାପ୍ଟର ପକ୍ଷରୁ ଆଜି ଭୁବନେଶ୍ୱରରେ ଆୟୋଜିତ ଏହାର ୨୩ତମ ଜାତୀୟ ସମ୍ମିଳନୀକୁ ଉଦ୍‍ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶରେ ଚାରିଭାଗରୁ ଏକ ଭାଗ ରୋଗୀ ହୃଦରୋଗରେ ମୃତ୍ୟୁବରଣ କରିଥାନ୍ତି। ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଯୁବଗୋଷ୍ଠୀ ହୃଦରୋଗରେ ଆକ୍ରାନ୍ତ ହେବା ଚିନ୍ତାର ବିଷୟ। ଏହି ପ୍ରସଙ୍ଗକୁ ସରକାର ଗୁରୁ୍‍ତ୍ୱ ଦେଇ ଲୋକଙ୍କ ନିକଟରେ ଆଧୁନିକ ଚିକିତ୍ସା ସୁବିଧା ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଉଛି। ନିଦାନ ଯୋଜନାରେ ମାଗଣା ଚିକିତ୍ସା, ନିରାମୟରେ ମାଗଣା େଓøଷଧ ବଣ୍ଟନ ଏବଂ ସହାୟ ଯୋଜନାରେ ମାଗଣା ଡାଏଲିସିସ୍‍ ବ୍ୟବସ୍ଥା କରାଯାଇ ଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମଧ୍ୟ ନିଶୁଳ୍କ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠି ବିନିଯୋଗ କରିଛନ୍ତି। ଯଦ୍ୱାରା ହୃଦରୋଗୀଙ୍କୁ ଉଚିତ୍‍ ସମୟରେ ଚିକିତ୍ସା କରାଯାଇ ପାରୁଛି। ସେହିପରି ନଗଦ ବିହୀନ ଚିକିତ୍ସା ସୁବିଧା ପାଇଁ ସରକାର ଘରୋଇ ଡ଼ାକ୍ତରଖାନାଗୁଡ଼ିକର ପଞ୍ଜିକରଣ ଆରମ୍ଭ କରିଛନ୍ତି। କ୍ୟାସଲେସ୍‍ ବ୍ୟବସ୍ଥାରେ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠିରୁ ସରକାର ୧୩,୫୦୦ ଜଣ ହୃଦରୋଗୀଙ୍କୁ ୮୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ନିକଟରେ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମଧ୍ୟ ଅନୁରୂପ ଭାବେ ରାଜ୍ୟର ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହୋଇଛି। ଆଧୁନିକ ଚିକିତ୍ସା ପଦ୍ଧତ୍ତି ଜରିଆରେ ଯଥାଶିଘ୍ର ନିଦାନ ଓ ଚିକିତ୍ସା ଦ୍ୱାରା ହୃଦରୋଗର ପ୍ରଭାବ ହ୍ରାସ କରିବା ବର୍ତ୍ତମାନ ସମୟର ଆହ୍ୱାନ। ଏହି ସମ୍ମିଳନୀରେ ଯୋଗଦେଇ ଥିବା ହୃଦରୋଗ ବିଶେଷଜ୍ଞ ଆଲୋଚନା ମାଧ୍ୟମରେ ହୃଦରୋଗର ସଫଳ ଚିକିତ୍ସା ପାଇଁ ପଥ ପ୍ରସ୍ତୁତ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ସାମ୍ପ୍ରତିକ ସମୟରେ ହୃଦରୋଗୀଙ୍କ ସଂଖ୍ୟା ବଢ଼ି ଚାଲିବା ଆମ ସମସ୍ତଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି। ତେବେ ରୋଗୀଙ୍କୁ ତ୍ୱରିତ ଏବଂ ଆଧୁନିକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଯତ୍ନବାନ୍‍ ଅଛି। ବିଭିନ୍ନ ମେଡିକାଲ କଲେଜରେ ସ୍ୱତନ୍ତ୍ର ହୃଦରୋଗ ୟୁନିଟ୍‍ ଖୋଲା ଯାଉଥିବା ବେଳେ ଝାରସୁଗୁଡ଼ାଠାରେ କାର୍ଡିଆକ୍‍ କେୟାର ସ୍ପେଶାଲ ହସପିଟାଲ କାର୍ଯ୍ୟକ୍ଷମ ହେଲେ ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ ହୋଇ ବାହାରକୁ ଯିବାକୁ ପଡିବ ନାହିଁ। ତେବେ ହୃଦରୋଗର ବ୍ୟାପକତା ହ୍ରାସ କରିବା ଦିଗରେ ସମସ୍ତଙ୍କର ସହଯୋଗ ଆବଶ୍ୟକ। କାର୍ଡିଓଲୋଜିକାଲ ସୋସାଇଟି ଅଫ୍‍ ଇଣ୍ଡିଆ, ଓଡ଼ିଶା ଚାପ୍ଟର ସଭାପତି ଡ଼ାକ୍ତର ଏସ୍‍.ଏନ୍‍ ରାଉତରାୟ, ଅଭ୍ୟର୍ଥନା କମିଟି ସଭାପତି ଡ଼ାକ୍ତର ଏମ୍‍ ବେହେରା, ଡ଼ାକ୍ତର ଏଚ୍‍.ଏନ୍‍ ମିଶ୍ର, ଆୟୋଜନ କମିଟି ସଂପାଦକ ଡ଼ାକ୍ତର ପି.କେ ଆଚାର୍ଯ୍ୟ, ଡ଼ାକ୍ତର ଶିଶୁ ଶଙ୍କର ମିଶ୍ର ପ୍ରମୁଖ ଉଦ୍‍ବୋଧନ ଦେଇଥିଲେ।

Leave A Reply