ହବିଷିଆଳି ଶିବିର ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

0

ପୁରୀ: ମାଗଣା ହବିଷ୍ୟାଳି ଶିବିର ଗୁରୁବାର ଉଦ୍‍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହବିଷ୍ୟାଳିଙ୍କ ସହ ଭିଡିଓ କନଫରେନସିଂ ମାଧ୍ୟମରେ କଥା ହୋଇଛନ୍ତି। ଏଥିପାଇଁ ପୁରୀ ରେଳଷ୍ଟେସନ ନିକଟସ୍ଥ ପର୍ଯ୍ୟଟନ କମ୍ପେ୍ଲକ୍ସରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଅପରାହ୍ଣ ଠିକ୍‍ ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ହବିଷ୍ୟାଳି ଶିବିର ଉଦ୍‍ଘାଟନ କରିଥିଲେ। ସେ କହିଲେ ଆପଣମାନଙ୍କ ପାଇଁ ରହିବା, ଶ୍ରୀଜଗନ୍ନାଥ ଦର୍ଶନ ଏବଂ ମହାପ୍ରସାଦ ବ୍ୟବସ୍ଥା ସରକାର କରିଛନ୍ତି। ମୁଁ ସବୁବେଳେ ଆପଣମାନଙ୍କ ସହ ରହିଛି। ଶାନ୍ତିରେ କାର୍ତ୍ତିକବ୍ରତ ପାଳନ କର ଏବଂ ପୁଣ୍ୟ ଅର୍ଜନ କର। ମା’ମାନେ ! ପୁରୀ ଆସି ଆପଣମାନେ ଖୁସି ତ ? ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହବିଷ୍ୟାଳିଙ୍କୁ ପଚାରିଥିଲେ। ହୁଳହୁଳୀ ମାଧ୍ୟମରେ ହବିଷ୍ୟାଳିମାନେ ଏହାର ଉତ୍ତର ଦେଇଥିଲେ। ଏହାପରେ ଜୟ ଜଗନ୍ନାଥ କହି ଶ୍ରୀ ପଟ୍ଟନାୟକ ବକ୍ତବ୍ୟ ଶେଷ କରିଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି, କୃଷି, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରଦୀପ ମହାରଥୀ, ଜଗତସିଂହପୁର ସାଂସଦ ଡଃ କୁଳମଣି ସାମଲ, ଜିଲାପରିଷଦ ସଭାପତି ଜ୍ୟୋତିର୍ମୟ ଦଳାଇ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ଏବଂ ଜିଲାପାଳ ଜ୍ୟୋତି ପ୍ରକାଶ ଦାସ ଉପସ୍ଥିତ ଥିଲେ।
ଗୁରୁବାର ସନ୍ଧ୍ୟାସୁଦ୍ଧା ୨୨୬୧ ହବିଷ୍ୟାଳି ଚାରୋଟି ଶିବିରରେ ପହଞ୍ଚିଛନ୍ତି। ସେଥିରୁ ୧୦୧୨ ଜଣଙ୍କୁ ପୂର୍ବତଟ ରେଳ ପର୍ଯ୍ୟଟନ କମ୍ପେ୍ଲକ୍ସ, ୪୬୨ ଶ୍ରୀଜଗନ୍ନାଥ ବଲ୍ଲଭ ମଠ, ୫୮୭ ମୋଚିସାହି ପୌର କଲ୍ୟାଣ ମଣ୍ଡପ ଏବଂ ୨୦୦ଜଣଙ୍କୁ ରେଳ କଲ୍ୟାଣ ମଣ୍ଡପରେ ରଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହବିଷ୍ୟାଳିଙ୍କୁ ମାଗଣା ମହାପ୍ରସାଦ ଯୋଗାଇ ଦିଆଯାଉଛି। ହବିଷ୍ୟାଳି ଶିବିରରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଦର୍ଶନ ପାଇଁ ଯାତାୟାତ ନିମନ୍ତେ ସ୍ୱତନ୍ତ୍ର ବସ୍‍ ବ୍ୟବସ୍ଥା କରାଯାଇଛି। ଏହାଛଡା ହବିଷ୍ୟାଳି ଶିବିରରେ ଜିଲା ପ୍ରଶାସନ ପକ୍ଷରୁ ଅଭ୍ୟର୍ଥନା କକ୍ଷ, ଆଶୁଚିକିତ୍ସା କେନ୍ଦ୍ର, ଅଗ୍ନି ନିର୍ବାପନ ଓ ପୁଲିସ ସହାୟତା କେନ୍ଦ୍ର ଖୋଲାଯାଇଛି। ଜିଲା ସଂସ୍କୃତି ପରିଷଦ ପକ୍ଷରୁ ଗୁରୁବାର ଶିବିରରେ ଭକ୍ତିସଙ୍ଗୀତ ଓ ପାଲା ପରିବେଷଣ କରାଯାଇଛି। ୨ହଜାର ୫ଶହ ହବିଷ୍ୟାଳିଙ୍କ ପାଇଁ ଚଳିତବର୍ଷ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିବା ଜିଲାପାଳ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଜିଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଡଃ ଉଦ୍ଧବ ଚନ୍ଦ୍ର ମାଝି, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାସ ଏବଂ ଉପଜିଲାପାଳ ଭବତାରଣ ସାହୁ ଉଦ୍‍ଘାଟନୀ ସମାରୋହରେ ଉପସ୍ଥିତ ଥିଲେ।

Leave A Reply