ସଡ଼କ ଦୁର୍ଘଟଣାରେ ତେଲୁଗୁ ଅଭିନେତା ହରିକ୍ରିଷ୍ଣାଙ୍କ ମୃତ୍ୟୁ

0

ହାଇଦ୍ରାବାଦ୍‍: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଶାଳକ ତଥା କିମ୍ବଦନ୍ତୀ ତେଲୁଗୁ ଅଭିନେତା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଟି ରାମାରାଓଙ୍କ ପୁତ୍ର ନନ୍ଦମୁରୀ ହରିକ୍ରିଷ୍ଣାଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ତେଲୁଗୁ ସିନେମାର ବିଗତ ଦିନର ଜଣେ ଲୋକପ୍ରିୟ କଳାକାର ରୂପେ ଖ୍ୟାତି ଅର୍ଜନ କରିଥିଲେ। ପରବର୍ତ୍ତୀ ସମୟରେ ସେ ରାଜନୀତିରେ ଯୋଗ ଦେଇଥିଲେ।
ପୁଲିସ ସୂଚନା ଅନୁଯାୟୀ, ନେଲୋରରୁ ହାଇଦ୍ରାବାଦ୍‍ ଫେରିବା ବେଳେ ତେଲେଙ୍ଗାନାର ନାଲଗୋଣ୍ଡାଠାରେ ବୁଧବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ହରିକ୍ରିଷ୍ଣା ସିଟ୍‍ ବେଲ୍ଟ ପିନ୍ଧି ନଥିବାରୁ କାରରୁ ଛିଟ୍‍କି ପଡ଼ିଥିଲେ। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ନାର୍କେପଟାଲି ସ୍ଥିତି କାମିନେନି ହସ୍ପିଟାଲ୍‍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ହରିକ୍ରିଷ୍ଣାଙ୍କ ଦୁଇ ପୁଅ ଜୁନିୟର ଏନ୍‍ଟିଆର ଓ ଏନ୍‍ କଲ୍ୟାନରାମ୍‍ ଏବେ ଟଲିଉଡ୍‍ର ଦୁଇ ଲୋକପ୍ରିୟ ଅଭିନେତା। ତାଙ୍କର ତୃତୀୟ ପୁଅ ଏନ ଜାନକିରାମଙ୍କ ୨୦୧୪ରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା।

Leave A Reply