ସ୍ମିଥ୍‍, ୱାର୍ଣ୍ଣରଙ୍କ ଉପରୁ ବାସନ୍ଦ ଉଠିବ ନାହିଁ : ସିଏ

0

ସିଡ଼ନୀ: ବଲ୍‍ ଟାମ୍ପରିଂ ମାମଲାରେ ଅନ୍ତର୍ଜାତୀୟ କ୍ରିକେଟ୍‍ରୁ ବାସନ୍ଦ ହୋଇଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଫେନ୍‍ ସ୍ମିଥ୍‍, ଉପଅଧିନାୟକ ଡେଭିଡ୍‍ ୱାର୍ଣ୍ଣର ଓ ବ୍ୟାଟସମ୍ୟାନ୍‍ କାମେରୁନ୍‍ ବାନ୍‍କ୍ରଫ୍ଟଙ୍କ ଉପରୁ ବାସନ୍ଦାଦେଶ ଉଠିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି କ୍ରିକେଟ୍‍ ଅଷ୍ଟ୍ରେଲିଆ। ଆଗାମୀ ଦିନରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇ କ୍ରିକେଟ୍‍ ସିରିଜ୍‍ ଖେଳିବ। ଅଷ୍ଟ୍ରେଲିଆ ଦଳକୁ ମଜବୁତ୍‍ କରିବା ଉଦ୍ଦେଶ୍ୟରେ ସ୍ମିଥ୍‍, ୱାର୍ଣ୍ଣର ଓ ବାନ୍‍କ୍ରଫ୍ଟଙ୍କ ଉପରୁ ବାସନ୍ଦ ଉଠାଇବାକୁ ଦାବି ହୋଇଥିଲା। ତେବେ କ୍ରିକେଟ୍‍ ଅଷ୍ଟ୍ରେଲିଆ ଅଧ୍ୟକ୍ଷ ଡେଭିଡ୍‍ ପେଭର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏହି ୩ ଖେଳାଳିଙ୍କ ଉପରୁ ବାସନ୍ଦ ଉଠାଇ ଦିଆଯିବାର ପ୍ରଶ୍ନ ନାହିଁ।
ସୂଚନାଥାଉକି ବଲ୍‍ ଟାମ୍ପରିଂ ମାମଲାର ତଦନ୍ତ କରୁଥିବା ସଂସ୍ଥା ନିଜ ରିପୋର୍ଟରେ କ୍ରିକେଟ୍‍ ଅଷ୍ଟ୍ରେଲିଆ (ଅଷ୍ଟ୍ରେଲିଆ କ୍ରିକେଟ୍‍ ବୋର୍ଡ)ର ଅହଂକାରୀ ମନୋଭାବ ଓ ଯେ କୌଣସି ପ୍ରକାରେ ମ୍ୟାଚ୍‍ ଜିତିବାକୁ ଇଚ୍ଛା ଦ୍ୱାରା ପ୍ରଭାବିତ ହୋଇ ଖେଳାଳିମାନେ ବଲ୍‍ ଟାମ୍ପରିଂ କରିବାକୁ ପ୍ରୟାସ କରୁଛନ୍ତି ବୋଲି ଦର୍ଶାଇବା ପରେ ସ୍ମିଥ୍‍, ୱାର୍ଣ୍ଣର ଓ ବାନ୍‍କ୍ରଫ୍ଟଙ୍କ ଉପରୁ ତୁରନ୍ତ ବାସନ୍ଦ ଉଠାଇ ଦେବାକୁ କ୍ରିକେଟର୍ସ ୟୁନିୟନ୍‍ ଦାବି କରିଥିଲା। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଅଷ୍ଟ୍ରେଲିଆନ୍‍ କ୍ରିକେଟର୍ସ ଆସୋସିଏସନ୍‍ ସଭାପତି ଗ୍ରେଗ୍‍ ଡାୟର କହିଛନ୍ତି କ୍ରିକେଟ୍‍ ଅଷ୍ଟ୍ରେଲିଆର ପରମ୍ପରା ହେଉଛି ଯେନତେନ ପ୍ରକାରେ ମ୍ୟାଚ୍‍ ଜିତିବା। ଏହାକୁ ଦୃଷ୍ଟିରେ ରଖି ଖେଳାଳିମାନେ ଭୁଲ୍‍ ବାଟରେ ଯାଉଛନ୍ତି ଏବଂ ବଲ୍‍ ଟାମ୍ପରିଂ ଭଳି ଘୃଣ୍ୟ କାମ କରୁଛନ୍ତି। ଏଥିପାଇଁ କେବଳ ଖେଳାଳିଙ୍କୁ ଭୁଲ୍‍ ଦେବା ଅନୁଚିତ୍‍। ବଲ୍‍ ଟାମ୍ପରିଂ ମାମଲାରେ ବାସନ୍ଦ ହୋଇଥିବା ସ୍ମିଥ୍‍, ୱାର୍ଣ୍ଣର ଓ ବାନ୍‍କ୍ରଫ୍ଟଙ୍କ ଅପେକ୍ଷା କ୍ରିକେଟ୍‍ ଅଷ୍ଟ୍ରେଲିଆ ଅଧିକ ଦାୟୀ ହୋଇଥିବାରୁ ଏହି ୩ ଖେଳାଳିଙ୍କ ଉପରୁ ବାସନ୍ଦ ଉଠାଇ ଦିଆଯିବା ଉଚିତ୍‍। ସେହିପରି ଅଷ୍ଟ୍ରେଲିଆ ଦଳ ଅନ୍ତର୍ଜାତୀୟସ୍ତରରେ ବର୍ତ୍ତମାନ ନୈରାଶ୍ୟଜନକ ପ୍ରଦର୍ଶନ କରୁଥିବାରୁ ଦଳର ସ୍ୱାର୍ଥରକ୍ଷା ନିମନ୍ତେ ଏହି ୩ ଖେଳାଳିଙ୍କୁ ତୁରନ୍ତ ଜାତୀୟ ଦଳରେ ସାମିଲ କରାଯିବା ଉଚିତ୍‍ ବୋଲି ଡାୟର ମତ ଦେଇଛନ୍ତି। ସୂଚନାଥାଉକି ବଲ୍‍ ଟାମ୍ପରିଂ ମାମଲାରେ ସ୍ମିଥ୍‍ ଏବଂ ୱାର୍ଣ୍ଣର ୧ବର୍ଷ ନିମନ୍ତେ ଓ ବାନ୍‍କ୍ରଫ୍ଟ ୯ମାସ ପାଇଁ ବାସନ୍ଦ ହୋଇଛନ୍ତି।

Leave A Reply