ସୋନୁ ଘଡ଼େଇ ହତ୍ୟା ଗୁମର ଫିଟୁଛି

0

ବ୍ରହ୍ମପୁର: ବ୍ରହ୍ମପୁର ଧାନମେରା ସାହିର ଠିକା ସଫେଇ କର୍ମଚାରୀ ସୋନୁ ଘଡେଇ ହତ୍ୟାର ଗୁମର ଖୋଲିବାରେ ଲାଗିଛି। ବିବାହିତ ସତ୍ତ୍ବେ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ସୋନୁଙ୍କ ପାଇଁ ମହଙ୍ଗା ପଡ଼ିଛି। ଏଭଳି ଏକ ଯୋଜନାବଦ୍ଧ ତଥା ବିଭତ୍ସ ହତ୍ୟାର ମୁଖ୍ୟ କାରଣ ପରକିୟା ପ୍ରୀତି ବୋଲି ଆଲୋଚନା ହେଉଛି। ହତ୍ୟା ଘଟଣାରେ ସାମିଲ ଥିବା ୩ ଅଭିଯୁକ୍ତକୁ ପୁଲିସ ଚିହ୍ନଟ କରିସାରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।
ସୋନୁ(୩୦) ମଙ୍ଗଳବାରଠାରୁ ନିଖୋଜ ଥିଲା।ପରିବାର ଲୋକେ ଦୁଇ ଦିନ ଧରି ଖୋଜାଖୋଜି କରୁଥିଲେ ମଧ୍ୟ ସୋନୁଙ୍କ ସନ୍ଧାନ ପାଇପାରିନଥିଲେ। ତେବେ ହଳଦିଆପଦର ଓଭରବ୍ରିଜ୍‍ ନିକଟରେ ସୋନୁଙ୍କ ଗଳିତ ମୃତଦେହ ପଡ଼ିଥିବା ନେଇ ଶୁକ୍ରବାର ଗୋସାଇଁନୂଆଗାଁ ପୁଲିସ ଖବର ପାଇବା ପରେ ଶନିବାର ସକାଳୁ ଶବକୁ ଜବତ କରି ବ୍ୟବଛେଦ କରିଥିଲା। ସୋନୁଙ୍କ ମାଆ ରୋହିଣୀ ଘଡେଇଙ୍କ ଅଭିଯୋଗ ଅ ନୁସାରେ ଗୋସାଇଁନୂଆଗାଁ ଥାନାରେ ଏ ସଂକ୍ରାନ୍ତରେ କେଶ୍‍ ନଂ ୨୪୦/୧୮ରେ ଏକ ହତ୍ୟା ମାମଲା ରୁଜୁ କରଯାଇ ତଦନ୍ତ କରାଯାଉଛି। ବିଶେଷସୂତ୍ରରୁ ମିଳିଥିବା ସୂଚନାପ୍ରକାରେ ଘରୁ ନିଖୋଜ ହେବା ଦିନ ସୋନୁ ସାନବଜାର ଛକରେ ୨ ଜଣ ଯୁବକଙ୍କ ସହ କଥାବାର୍ତ୍ତା ହେବା ପରେ ସେମାନଙ୍କ ସହ ବାଇକରେ ବସି କେଉଁଆଡେ ଯାଇଥିଲା। ତା’ ପରେ ଆଉ ଘରକୁ ଫେରିନଥିଲା। ସେହି ଯୁବକମାନେ ହିଁ ସୋନୁକୁ ଅପହରଣ କରି ହଳଦିଆପଦର ଓଭରବ୍ରିଜ୍‍ ତଳକୁ ନେଇଯାଇଥିଲେ। ସମସ୍ତେ ମିଶି ମଦ ପିଇବା ପରେ ଏକ ଧାରୁଆ ଅସ୍ତ୍ରରେ ସୋନୁର ଗଳା କାଟିବା ପରେ ତାଙ୍କୁ ଡ୍ରେନରେ ଫିଙ୍ଗିଦେଇ ଚାଲିଯାଇଥିବା ପୁଲିସ ଅନୁମାନ କରୁଛି। ଏପଟେ ଫୁଲସୁନ୍ଦରୀ ସାହିର ଜଣେ ବିବାହିତ ମହିଳାଙ୍କ ସହ ସୋନୁଙ୍କ ଅନୈତିକ ସମ୍ପର୍କ ଥିବା ଶୁଣିବାକୁ ମିଳିଛି। ସେହି ମହିଳାଙ୍କ ସ୍ୱାମୀ ବାହାର ରାଜ୍ୟରେ ରହି କାମ କରୁଥିବା ବେଳେ ସୋନୁ ଅନେକ ସମୟରେ ମହିଳାଙ୍କ ଘରକୁ ଯାଉଥିବା କୁହାଯାଉଛି। ଏହାକୁ ସଂପୃକ୍ତ ମହିଳାଙ୍କ ଶ୍ୱଶୂର ଘର ଲୋକେ ବିରୋଧ କରି ଆସୁଥିଲେ। ଏପରିକି ଏହି କାର୍ୟ୍ୟରୁ ନିବୃତ ରହିବାକୁ ସୋନୁଙ୍କୁ ବାରମ୍ବାର ଚେତାବନୀ ମଧ୍ୟ ଦିଆଯାଇଥିଲା। ମାମଲାର ଆପୋଷ ସମାଧାନ ପାଇଁ ଆର୍ଥିକ ମୁଲଚାଲ ମଧ୍ୟ ହୋଇ ସାରିଥିଲା। ତେବେ ସୋନୁ ଟଙ୍କା ଦେବାରେ ବିଳମ୍ବ କିମ୍ବା ମନା କରିବାରୁ ତାଙ୍କୁ ବଜାରରୁ ଡାକି ନେଇ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ସାନବଜାର ଛକରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ସୋନୁକୁ ବାଇକରେ ବସାଇ ନେଇଥିବା ୨ ଜଣଙ୍କୁ ପୁଲିସ ଚିହ୍ନଟ କରିସାରିଛି। ତେବେ ତଦନ୍ତ ବାଧାପ୍ରାପ୍ତ ହେବା ଆଶଙ୍କାରେ ପୁଲିସ ଏ ସମ୍ପର୍କରେ କିଛି କହିବାକୁ ଉଚିତ ମଣୁନାହିଁ।

Leave A Reply