ସିବିଆଇକୁ ସଜାଡ଼

0

କୌଣସି ସାମ୍ବିଧାନିକ ସଂସ୍ଥା ବା ଦାୟିତ୍ବସମ୍ପନ୍ନ ରାଷ୍ଟ୍ରୀୟ ଅନୁଷ୍ଠାନର ତୁଙ୍ଗ ଅଧିକାରୀଙ୍କ ମଧ୍ୟରେ କନ୍ଦଳ ସୃଷ୍ଟି ହୋଇ ତାହା ପଦାରେ ପଡ଼ିଲେ ଏଥିରୁ ବୁଝିବାକୁ ହୁଏ ଯେ ସେଠାରେ ବ୍ୟବସ୍ଥାଗତ ତ୍ରୁଟି ରହିଛି ଓ କିଛି ଠିକ୍‌ଠାକ୍‌ ଚାଲିନାହିଁ। ବିଭିନ୍ନ ପ୍ରସଙ୍ଗରେ ବିବାଦରେ ଥିବା ଓ ଭାବମୂର୍ତ୍ତି ସଂକଟର ସମ୍ମୁଖୀନ ହୋଇଥିବା ଭାରତର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ସିବିଆଇର ନିର୍ଦେଶକ ଓ ସ୍ବତନ୍ତ୍ର ନିର୍ଦେଶକଙ୍କ ମଧ୍ୟରେ ସୃଷ୍ଟ ବିବାଦ ଯେଉଁ ଅବସ୍ଥାରେ ପହଞ୍ଚିଛି ତାହା ଏହି ଅନୁଷ୍ଠାନର ଅବଶିଷ୍ଟ ସାଧୁତା, ନିଷ୍ଠା ଓ ମର୍ଯ୍ୟାଦାକୁ ନିଃଶେଷ କରିଦେଇଛି କହିଲେ ଚଳେ। ସିବିଆଇ ସହଜେ ତ କେନ୍ଦ୍ର ସରକାରଙ୍କ ପୋଷା ଶୁଆର ଅପଯଶ ଲାଭ କରିଛି। ଏବେ ଏହାର ତୁଙ୍ଗ ଅଧିକାରୀଙ୍କ ମଧ୍ୟରେ କ୍ଷମତା ଲଢ଼େଇ ଓ ପରସ୍ପର ବିରୋଧରେ ଅଭିଯୋଗ ମାମଲା ଏବଂ ଗିରଫଦାରୀ ଘଟଣାକୁ ଆହୁରି ବିଗାଡ଼ିଛି। ଏଭଳି କାର୍ଯ୍ୟ ପ୍ରମାଣ କରିଦେଉଛି ଯେ ସେ ଅନୁଷ୍ଠାନରେ ଶୃଙ୍ଖଳା ଅଭାବ, ପ୍ରଶାସନିକ ତ୍ରୁଟି ଓ ପରିଚାଳନାଗତ ବିଫଳତା ରହିିଛି। ସ୍ବତନ୍ତ୍ର ନିର୍ଦେଶକ ଓ ନିର୍ଦେଶକ, ଉଭୟଙ୍କର ଦାୟିତ୍ବ ଓ କାର୍ଯ୍ୟ ପରିସର ଧାର୍ଯ୍ୟ ହୋଇଥିବା ସତ୍ତ୍ବେ-ଏଥିରେ ଜଣେ ଅନ୍ୟର କାର୍ଯ୍ୟରେ ହସ୍ତକ୍ଷେପ କରିବାର ଅବକାଶ ନାହିଁ। ତା’ ସତ୍ତ୍ବେ ଏହାର ଉଲ୍ଲଙ୍ଘନର ଅର୍ଥ ଦୁହେଁଦୁହିଁଙ୍କୁ ସହ୍ୟ କରିବା ଅବସ୍ଥାରେ ନାହାନ୍ତି ଏବଂ ନିର୍ଦେଶକ ନିଜକୁ ଅନୁଷ୍ଠାନର ସର୍ବମୟ କର୍ତ୍ତା ଭାବି ସ୍ବତନ୍ତ୍ର ନିର୍ଦେଶକଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି। ସ୍ବତନ୍ତ୍ର ନିର୍ଦେଶକ ମଧ୍ୟ ତାଙ୍କ କ୍ଷମତା ଭିତରେ ସ୍ବତନ୍ତ୍ରତାକୁ ଅଣ୍ଡାଳି ନିର୍ଦେଶକଙ୍କୁ ଖାଲରେ ପକାଉଛନ୍ତି।
ସିବିଆଇ ବିବାଦରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବାସହ ଦୁଇ ବିବଦମାନ ନିର୍ଦେଶକଙ୍କୁ ସମନ କରିଛନ୍ତି। ହୁଏତ ତାଙ୍କ ନିର୍ଦେଶ ବା ହସ୍ତକ୍ଷେପ ଫଳରେ ଏ ବିବାଦର ସାମୟିକ ଅବସାନ ଘଟିବ। ଆମ ବିଚାରରେ ଏହା ସ୍ଥାୟୀ ସମାଧାନର ବାଟ ନୁହେଁ। ସରକାରଙ୍କୁୁ ଏହି ଘଟଣାରୁ ଅନେକ କିଛି ଶିଖିବା ଏବଂ କହିବାର ସୁଯୋଗ ମଧ୍ୟ ମିଳିଛି। ପ୍ରଥମେ ସିବିଆଇକୁ ଏକ ସ୍ବାଧୀନ, ଦାୟିତ୍ବସଂପନ୍ନ ଅନୁଷ୍ଠାନ ଭାବେ ଗଢ଼ିବା ପାଇଁ ଅଗ୍ରାଧିକାର ଦେଇ ଏହାର ଢ଼ାଞ୍ଚା, ପ୍ରଶାସନିକ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ପଡ଼ିବ। ଦ୍ବିତୀୟତଃ ସିବିଆଇ ଅଧିକାରୀ, କର୍ମଚାରୀ, ନିର୍ଦେଶକ ତଥା ସ୍ବତନ୍ତ୍ର ନିର୍ଦେଶକଙ୍କ ଅଧିକାର, କାର୍ଯ୍ୟ ପରିସର ଅତି ସ୍ପଷ୍ଟ କରିବାକୁ ହେବ। ସର୍ବୋପରି ସିବିଆଇ ଅଧିକାରୀମାନେ ଅନେକ ସମୟରେ ବଡ଼ଧରଣର ଦୁର୍ନୀତିରେ ଲିପ୍ତଥିବା ଅଭିଯୋଗ ହେଉଥିବାରୁ ସେମାନଙ୍କ ଉପରେ ମଧ୍ୟ କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ ଭଳି ଏକ ସ୍ବତନ୍ତ୍ର ଆୟୋଗ ନଜର ରଖିବାର ଆବଶ୍ୟକତା ରହିଛି।
ବର୍ତ୍ତମାନ ସିବିଆଇରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ଉଭୟ ନିର୍ଦେଶକ ଓ ସ୍ବତନ୍ତ୍ର ନିର୍ଦେଶକଙ୍କୁ ତୁରନ୍ତ ଦାୟିତ୍ବମୁକ୍ତ କରି ଉଭୟଙ୍କ ସ୍ଥାନରେ ନୂଆ ନିଯୁକ୍ତି ଦେବାର ଆବଶ୍ୟକତା ରହିଛି। ତା’ ନ’ହେଲେ ଏ ବିବାଦ ଥମିବ ନାହିଁ କି ସିବିଆଇ ଠିକ୍‌ଠାକ୍‌ ଭାବେ କାମ କରିପାରିବ ନାହିଁ। ଭାରତଭଳି ଏକ ବିରାଟ ଜନବହୁଳ ଦେଶରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଗୁରୁତ୍ବ ଓ ଦାୟିତ୍ବ ଅନସ୍ବୀକାର୍ଯ୍ୟ। ଏଥିରେ ଉତ୍ତରଦାୟିତ୍ବର ଏକାଧିକ ସ୍ତର ରହିବା ଆବଶ୍ୟକ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ସିବିଆଇକୁ ସ୍ବାଧୀନଭାବେ କାମ କରିବାକୁ ସୁଯୋଗ ପ୍ରଦାନ, ପେସାଦାରୀ ଆଭିମୁଖ୍ୟକୁ ପ୍ରୋତ୍ସାହନ ପ୍ରଦାନ ଏବଂ ବାହ୍ୟ ଚାପରୁ ମୁକ୍ତ ରଖିବାକୁ ମଧ୍ୟ ଜାତୀୟ ନିରାପତ୍ତା ସଂସ୍ଥା ଭଳି ଏକ ଉଚ୍ଚକ୍ଷମତାସମ୍ପନ୍ନ କମିଟି ଗଠନର ଆବଶ୍ୟକତା ରହିଛି।

Leave A Reply