ସିନ୍ଧୁ ୨ନଂ ବିଶ୍ୱ ମାନ୍ୟତା ଫେରିପାଇଲେ

0

ନୂଆଦିଲ୍ଲୀ: ଅଲିମ୍ପିକ୍‍ ଓ ବିଶ୍ୱ ଚମ୍ପିଆନ୍‍ସିପ୍‍ ରୌପ୍ୟପଦକ ବିଜୟିନୀ ଭାରତୀୟ ବ୍ୟାଡ୍‍ମିଣ୍ଟନ ତାରକା ପି.ଭି. ସିନ୍ଧୁ ମହିଳା ସିଙ୍ଗଲ୍‍ସରେ ୨ନଂ ବିଶ୍ୱ ମାନ୍ୟତା ଫେରି ପାଇଛନ୍ତି। ଏବେ ଫ୍ରେଞ୍ଚ୍‍ ଓପନ୍‍ ଖେଳୁଥିବା ସିନ୍ଧୁ ଗୋଟିଏ ସ୍ଥାନର ଉନ୍ନତି ଘଟାଇଛନ୍ତି। ଚାଇନିଜ୍‍ ତାଇପେର ତାଇ ଜୁ ୟିଙ୍ଗ୍‍ ଶୀର୍ଷସ୍ଥାନରେ ରହିଛନ୍ତି। ଗତବର୍ଷ ଏପ୍ରିଲରେ ସିନ୍ଧୁ ମାତ୍ର ସପ୍ତାହକ ଲାଗି ୨ନଂ ବିଶ୍ୱ ମାନ୍ୟତା ପାଇଥିଲେ। ପରେ ସେପ୍ଟେମ୍ବରରୁ ନଭେମ୍ବର ପର୍ଯ୍ୟନ୍ତ ସେ ୩ନଂ ମାନ୍ୟତାକୁ ଖସି ଆସିଥିଲେ ଏବଂ ଚଳିତବର୍ଷ ପର୍ଯ୍ୟନ୍ତ ଏହି ମାନ୍ୟତା ବଜାୟ ରଖିଥିଲେ। ଗତ ସପ୍ତାହରେ ଡେନ୍‍ମାର୍କ ଓପନ୍‍ ଫାଇନାଲ ଖେଳିଥିବା ଅନ୍ୟ ଭାରତୀୟ ଖେଳାଳି ସାଇନା ନେହୱାଲ ଗୋଟିଏ ମ୍ୟାଚ୍‍ର ଉନ୍ନତି ଘଟାଇ ୯ମ ସ୍ଥାନକୁ ଉଠିଛନ୍ତି। ପୁରୁଷ ସିଙ୍ଗଲ୍‍ସରେ କେ. ଶ୍ରୀକାନ୍ତ ୬ଷ୍ଠ ସ୍ଥାନ ବଜାୟ ରଖିଛନ୍ତି। ଯୁବ ଖେଳାଳି ସମୀର ବର୍ମା ୫ଟି ସ୍ଥାନର ଉନ୍ନତି ଘଟାଇ ୧୮ଶ ସ୍ଥାନରେ ପହଞ୍ଚିଛନ୍ତି। ଡେନ୍‍ମାର୍କ ଓ ଫ୍ରାନ୍‍ସ ଓପନ୍‍ରୁ ଓହରି ଯାଇଥିବା ଏଚ୍‍.ଏସ୍‍. ପ୍ରଣୟ ୨ଟି ସ୍ଥାନ ତଳକୁ ଖସି ୧୭ତମ ସ୍ଥାନରେ ରହିଛନ୍ତି। ବି. ସାଇ ପ୍ରଣିତ ୨୬ତମ ସ୍ଥାନରେ ରହିଛନ୍ତି ଏବଂ ସୌରଭ ବର୍ମା ୨ଟି ସ୍ଥାନର ଉନ୍ନତି ଘଟାଇ ୪୮ତମ ସ୍ଥାନରେ ରହିଛନ୍ତି। ମହିଳା ଡବଲ୍‍ସରେ ଅଶ୍ୱିନୀ ପୋନପ୍ପା ଓ ଏନ୍‍. ସିକ୍କି ରେଡ୍‍ଡୀ ୨୪ତମ, ପୁରୁଷ ଡବଲ୍‍ସରେ ଚିରାଗ ସେଟ୍ଟି ଓ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍‍ଡୀ ୨୫ତମ ଏବଂ ମିକ୍ସଡ୍‍ ଡବଲ୍‍ସରେ ପ୍ରଣବ ଚୋପ୍ରା ଓ ଏନ୍‍. ସିକ୍କି ରେଡ୍‍ଡୀ ୨୧ତମ ସ୍ଥାନରେ ରହିଛନ୍ତି।

Leave A Reply