ସିଦ୍ଧୁଙ୍କ ମୁହଁରେ ଇମ୍ରାନ୍‌ଙ୍କ ପ୍ରଶଂସା

0

ଚଣ୍ଡୀଗଡ଼,୭ା୯: ଗୁରୁ ନାନକ ଦେବଙ୍କ ୫୫୦ଜନ୍ମ ବାର୍ଷିକ ଅବସରରେ ପାକିସ୍ତାନ ସରକାର ଭାରତୀୟ ଶିଖ୍‍ ତୀର୍ଥଯାତ୍ରୀଙ୍କ ପାଇଁ କରତାରପୁର ସୀମାନ୍ତ ପଥ ଉନ୍ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପଥ ଉନ୍ମୁକ୍ତ ହେଲେ ତୀର୍ଥଯାତ୍ରୀମାନେ ଐତିହାସିକ ଦରବାର ସାହିବ ଗୁରୁଦ୍ୱାର ଦର୍ଶନ କରିବା ସୁବିଧା ପାଇବେ। ଏ ନେଇ ପାକିସ୍ତାନ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନଥିଲେ ମଧ୍ୟ ଏହି ଖବରକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ନେତା ନବଜୋତ ସିଂହ ସିଧୁ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ମଧ୍ୟରେ କ୍ରିକେଟ୍‍ ଖେଳ ସମୟର ବନ୍ଧୁତା ଏବେ ଭାରତ-ପାକିସ୍ତାନ ସମ୍ପର୍କରେ ସେତୁ ବାନ୍ଧୁଛି ବୋଲି ଚର୍ଚ୍ଚା ଚାଲିଛି। ଇମ୍ରାନଙ୍କ ଶପଥ ଗ୍ରହଣ ସମାରୋହରେ ପାକିସ୍ତାନ ସେନାଧ୍ୟକ୍ଷଙ୍କୁ ଆଲିଙ୍ଗନ ପୂର୍ବକ ସିଦ୍ଧୁ ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟର ଯେଉଁ ନିଦର୍ଶନ ରଖିଥିଲେ ତାହାର ସୁଫଳ ମିଳିଛି ବୋଲି ଆଲୋଚନା ହେଉଛି। ଏଭଳି ସ୍ଥିତିରେ କରତାରପୁର ସୀମାନ୍ତ ପଥ ଉନ୍ମୁକ୍ତ କରାଯିବା ନିଷ୍ପତ୍ତି ନିମନ୍ତେ ସିଧୁ ପ୍ରଥମେ ଇମ୍ରାନଙ୍କୁ ପ୍ରଶଂସା କରିବା ଏବଂ କିଛି ସମୟ ପରେ ନିଜ ମନ୍ତବ୍ୟରୁ ଓହରିଯିବା ଘଟଣାକୁ ନେଇ ନୂତନ ରାଜନୈତିକ ବିତର୍କ ଆରମ୍ଭ ହୋଇଛି।
ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଦିଗରେ ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିବାରୁ ବନ୍ଧୁ ଇମ୍ରାନଙ୍କୁ ସିଧୁ ପୂର୍ବାହ୍ଣରେ ଗଣମାଧ୍ୟମ ଜରିଆରେ ଧନ୍ୟବାଦ ଜଣାଇଥିଲେ। ଗୁରୁ ନାନକଙ୍କ ପବିତ୍ର ପୀଠ ଦର୍ଶନ କରିବାର ଇଚ୍ଛା ପୂରଣ ହେବାକୁ ଯାଉଥିବାରୁ ପଞ୍ଜାବର ଶିଖ୍‍ ସମ୍ପ୍ରଦାୟ ପାଇଁ ଏହାଠାରୁ ଅଧିକ ଆନନ୍ଦର ବିଷୟ ଆଉ କିଛି ନ ଥାଇପାରେ ବୋଲି ସେ ଦର୍ଶାଇଥିଲେ। ଧର୍ମକୁ ରାଜନୀତିଠାରୁ ପୃଥକ ରଖି ଇମ୍ରାନ ଏଭଳି ଏକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ବୋଲି ସିଧୁ କହିଥିଲେ; ମାତ୍ର ଏହାର ଠିକ୍‍ ଘଣ୍ଟାକ ପରେ ସେ ନିଜ ବୟାନରୁ ଓହରି ଯାଇଛନ୍ତି। ପାକିସ୍ତାନ ସରକାର କରତାରପୁର ସୀମାନ୍ତ ପଥ ଶିଖ୍‍ ସମ୍ପ୍ରଦାୟ ପାଇଁ ଖୋଲିବେ କି ନାହିଁ ସେ ସମ୍ବନ୍ଧରେ ତାଙ୍କ ନିକଟରେ କୌଣସି ସ୍ପଷ୍ଟ ସୂଚନା ନାହିଁ ବୋଲି ସେ କହିଛନ୍ତି। ତାଙ୍କର ଏଭଳି ବୟାନ ପରିବର୍ତ୍ତନ ରାଜନୈତିକ ତଥା ଧାର୍ମିକସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି। ଗୁରୁ ନାନକ ଦେବଙ୍କ ଜନ୍ମବାର୍ଷିକୀ ଅବସରରେ କାରତାରପୁର ସୀମାନ୍ତ ପଥ ଖୋଲାଯାଇପାରେ ବୋଲି ଇମ୍ରାନଙ୍କ ଶପଥ ଗ୍ରହଣ ସମାରୋହରେ ପାକିସ୍ତାନ ସେନାମୁଖ୍ୟ ଜେନେରାଲ କ୍ୱାମାର ଜାଭେଦ୍‍ ବଜୱା ସଙ୍କେତ ଦେଇଥିଲେ। ପୂର୍ବରୁ ପାକିସ୍ତାନରେ ଥିବା ଏହି ପବିତ୍ର ପୀଠକୁ ଶିଖ୍‍ ତୀର୍ଥଯାତ୍ରୀଙ୍କ ଯାତାୟାତ ଆରମ୍ଭ ଦିଗରେ ପଦକ୍ଷେପ ଗ୍ରହଣ ଲାଗି କେନ୍ଦ୍ର ସରକାରଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଧ୍ୟ ନିବେଦନ କରିଥିଲେ।

Leave A Reply