ସାବରିମାଳାରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ସମୀକ୍ଷା ଆବେଦନ

0

ନୂଆଦିଲ୍ଲୀ : କେରଳର ପ୍ରାଚୀନ ସାବରିମାଳା ମନ୍ଦିରରେ ସବୁ ବୟସର ମହିଳାଙ୍କୁ ପ୍ରବେଶାଧିକାର ପ୍ରଦାନ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ସୋମବାର ସମୀକ୍ଷା ଆବେଦନ କରାଯାଇଛି। ଯେଉଁ ମହିଳା ସାବରିମାଳାରେ ମହିଳାଙ୍କ ପ୍ରବେଶ ଉପରୁ କଟକଣା ଉଠାଇବା ନିମନ୍ତେ ପୂର୍ବରୁ ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିଲେ ସେ ଭଗବାନ ଆୟପ୍ପାଙ୍କ ଭକ୍ତ ନୁହନ୍ତି। ମାତ୍ର ତାଙ୍କ ଆବେଦନକ୍ରମେ ସୁପ୍ରିମକୋର୍ଟ ଗତ ସପ୍ତାହରେ ଯେଉଁ ରାୟ ଦେଇଛନ୍ତି ତାହା କୋଟି କୋଟି ଆୟପ୍ପା ଭକ୍ତଙ୍କ ମୌଳିକ ଅଧିକାର କ୍ଷୁଣ୍ଣ କରୁଛି। ଏପରିକି କୌଣସି ଆଇନ ବିଶେଷଜ୍ଞ ଅଥବା ସର୍ବୋଚ୍ଚ ନ୍ୟାୟଧୀଶ ସାଧାରଣ ଲୋକଙ୍କ ଇଚ୍ଛା ଏବଂ ଚିନ୍ତାଧାରା ସହିତ ସମାନ ହୋଇପାରିବେ ନାହିଁ ବୋଲି ଆବେଦନକାରୀଙ୍କର ବିଶ୍ୱାସ ରହିଥିବା ଉକ୍ତ ଆବେଦନରେ ଉଲ୍ଲେଖ କରାଯାଇଛି। ସର୍ବୋଚ୍ଚ ଅଦାଲତ ନିଶ୍ଚୟ ତାଙ୍କ ରାୟ ଉପରେ ପୁର୍ବବିଚାର କରିବେ ବୋଲି ଆବେଦନକାରୀ ନାୟର ସେବା ସମାଜ, ପାଣ୍ଡଲାମ ରାଜ ପରିବାର, ତନ୍ତ୍ରୀ ତଥା ସାବରିମାଳାର ମୁଖ୍ୟପୂଜକ ଏବଂ ଜାତୀୟ ଆୟପ୍ପା ଭକ୍ତ ସଂଘ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।
ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଲାଗୁ କରିବାର ଉଦ୍ୟମ କରି ବିବାଦୀୟ ହୋଇପଡିଥିବା ରାଜ୍ୟ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ଏ ସମ୍ବନ୍ଧରେ ଆଲୋଚନା ନିମନ୍ତେ ସୋମବାର ଡାକାଇଥିବା ବୈଠକକୁ ସାବରିମାଳା ମୁଖ୍ୟପୂଜକମାନେ ବର୍ଜନ କରିଛନ୍ତି। ରାଜ୍ୟ ସରକାର ଏହି ରାୟ ସମୀକ୍ଷା ଆବେଦନ କରିବା ପରେ ଯାହାକିଛି ଆଲୋଚନା ହେବ ବୋଲି ମନ୍ଦିରର ତିନି ଜଣ ପ୍ରମୁଖ ପୂଜକଙ୍କ ମଧ୍ୟରୁ ଅନ୍ୟତମ ମୋହନାରୁ କାଣ୍ଡାରାରୁ କହିଛନ୍ତି। ଅକ୍ଟୋବର ୧୭ରେ ସାବରିମାଳା ମନ୍ଦିର ଖୋଲିବା ପରେ ହଜାର ହଜାର ଭକ୍ତ ମନ୍ଦିର ଦ୍ୱାରଦେଶରେ ଶୋଇ ରହି ୧୦ରୁ ୫୦ ବର୍ଷ ବୟସ୍କ ମହିଳାଙ୍କ ପ୍ରବେଶ ରୋକିବେ ବୋଲି ସାବରିମାଳାର ପୂର୍ବତନ ମୁଖ୍ୟ ପୂଜକଙ୍କ ନାତି ତଥା ଆୟପ୍ପା ଧର୍ମସେନାର ମୁଖ୍ୟ ରାହୁଲ ଈଶ୍ୱର କହିଛନ୍ତି।
ଅନ୍ୟପଟେ ସିପିଆଇ(ଏମ୍‍) ନେତୃତ୍ୱାଧୀନ ରାଜ୍ୟ ସରକାର ନିଜ ନିଷ୍ପତ୍ତିରେ ଅଟଳ ବୋଲି ମୁଖ୍ୟମନ୍ତ୍ରୀ ବିଜୟନ ପ୍ରକାଶ କରିଛନ୍ତି। ଉଭୟ କଂଗ୍ରେସ ଏବଂ ବିଜେପି ଏହାର ସୁଯୋଗ ନେଇ ନୂତନ ରାଜନୈତିକ ବିତର୍କ ଆରମ୍ଭ କରିଛନ୍ତି। କଂଗ୍ରେସ ଭକ୍ତମାନଙ୍କ ଭାବନାକୁ ଗୁରୁତ୍ୱ ଦେବ ବୋଲି ସ୍ପଷ୍ଟ କରିସାରିଛି; କିନ୍ତୁ ସୁପ୍ରିମକୋର୍ଟ ନିର୍ଦେଶ ଲାଗୁ କରିବାରେ ତରବରିଆ ନୀତି ଆପଣାଇଥିବାରୁ ରାଜ୍ୟ ସରକାରଙ୍କୁ ବିଜେପି ଓ ଆର୍‍ଏସ୍‍ଏସ୍‍ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟ ସରକାର ଭକ୍ତମାନଙ୍କ ଧାର୍ମିକ ଭାବନାକୁ ଅଣଦେଖା କରିବାକୁ ଉଦ୍ୟମ କରୁଥିବା ସଂଗଠନ ପକ୍ଷରୁ କୁହାଯାଇଛି। ମାତ୍ର ମୁଖ୍ୟମନ୍ତ୍ରୀ ବିଜୟନ ପାଲଟା ଅଭିଯୋଗ କରି କହିଛନ୍ତି, ସାବରିମାଳାକୁ ନେଇ ରାଜ୍ୟର ହଜାର ହଜାର ଆୟପ୍ପା ଭକ୍ତଙ୍କ ଭାବନା ସହିତ ଉଭୟ ବିଜେପି ଓ କଂଗ୍ରେସ ଖେଳିବାକୁ ଚାହୁଁଛନ୍ତି। ପୂର୍ବକାଳରେ ରଜ୍ଜ୍ୱଶାଳା ମହିଳାଙ୍କୁ ରୋଶେଇଶାଳରେ ପ୍ରବେଶ ଅନୁମତି ନ ଥିଲ। ଏପରିକି ସେମାନଙ୍କୁ ଘରୁ ବାହାରେ ରଖାଯାଉଥିଲା। ଏବେ ସମୟ ବଦଳିଛି। ସମାଜର ବିଭିନ୍ନ ବର୍ଗରେ ଭୁଲ ପରମ୍ପରା ବିରୋଧରେ ବିଦ୍ରୋହ ହୋଇଛି। ଏଣୁ ପ୍ରଗତିଶୀଳ ପଦକ୍ଷେପକୁ ସମସ୍ତ ରାଜନୈତିକ ଦଳ ସମର୍ଥନ କରିବା ଉଚିତ। ସେ ଆହୁରି କହିଛନ୍ତି ଏବେ ସାବରିମାଳା ମନ୍ଦିର ସମ୍ବନ୍ଧୀୟ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରୁଥିବା ବିଜେପି ୨୦୧୬ରେ ମହାରାଷ୍ଟ୍ରର ଶନି ସିଗ୍ନାପୁର ମନ୍ଦିରରେ ମହିଳାଙ୍କୁ ପ୍ରବେଶ ଅଧିକାର ପ୍ରଦାନ ନେଇ ବମ୍ବେ ହାଇକୋର୍ଟଙ୍କ ନିର୍ଦେଶ ଲାଗୁ କରିଥିଲା। ଏପରିକି ହାଜିଅଲ୍ଲୀ ଦରଘାରେ ମହିଳାଙ୍କ ପ୍ରବେଶ ଅନୁମତି କ୍ଷେତ୍ରରେ ମଧ୍ୟ ବିଜେପି କୌଣସି ବିକ୍ଷୋଭ କରି ନ ଥିଲା। କେରଳ କ୍ଷେତ୍ରରେ ବିଜେପିର ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛି ତାହା ଏହି ଦଳର ଦୋମୁହାଁ ନୀତିକୁ ପଦାରେ ପକାଇଛି ବୋଲି ସେ ଅଭିଯୋଗ କରିଛନ୍ତି।
ଉଲ୍ଲେଖ ଯେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ପୀଠ ସେପ୍ଟେମ୍ବର ୨୮ରେ ଏକ ଆବେଦନ ଉପରେ ଚୂଡାନ୍ତ ରାୟ ଦେଇ ସାବରିମାଳା ମନ୍ଦିରରେ ୧୦ରୁ ୫୦ ବର୍ଷ ବୟସ୍କ ମହିଳାଙ୍କୁ ପ୍ରବେଶ ଅନୁମତି ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟର ପୁର୍ନବିଚାର ଆବେଦନ ନ କରି ଏହାକୁ ଲାଗୁ କରିବାକୁ ଯାଉଥିବାରୁ ରାଜ୍ୟସରକାରଙ୍କ ବିରୋଧରେ ଶତାଧିକ ଆୟପ୍ପା ଭକ୍ତ ଗତ ସପ୍ତାହରେ ବିକ୍ଷୋଭ କରିଛନ୍ତି।

Leave A Reply