ସାଧାରଣ ବଣ୍ଟନ ଯୋଜନାରେ ଅନିୟମିତା ଅଭିଯୋଗ

ଟିଟିଲାଗଡ଼:ସାଧାରଣ ବଣ୍ଟନ ଯୋଜନାରେ ଅବହେଳିତ, ନିଷ୍ପେଶିତ ଗରିବ ପରିବାରଙ୍କୁ ଚାଉଳ, ଗହମ ଆଦି ବଣ୍ଟନ କରାଯାଉଛି। ଏନେଇ ପ୍ରକୃତରେ କିଏ ଖର୍ଚ୍ଚ ବହନ କରୁଛି ସେ ନେଇ କେନ୍ଦ୍ର ତଥା ରାଜ୍ୟ ଶାସନରେ ବସିଥିବା ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ଅନେକ ତୁତୁମେମେ ଦେଖିବାକୁ ମିଳିଥାଏ। ହେଲେ ପ୍ରକୃତରେ ଗରିବଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟାନ୍ନ କେତେ ଯେ ନିତ୍କୃଷ୍ଟ ତାହା ସେହି ଗରିବ ପରିବାର ହିଁ ଅଙ୍ଗେ ନିଭାଉଥିବା ଦେଖାଯାଏ। ଚଳିତ କରୋନାରେ ଗରିବଙ୍କୁ ଅନ୍ନ ଦାନା ମୁଠାଏ ପ୍ରଦାନ ପାଇଁ ଟିଟିଲାଗଡ ବ୍ଲକର ବିଭିନ୍ନ ପଞ୍ଚାୟତରେ ରାସନ ସାମଗ୍ରୀ ବଣ୍ଟନ ଆରମ୍ଭ ହୋଇଛି। ତେବେ ମାଗଣା ନାମରେ ବ୍ଲକ ଅନ୍ତର୍ଗତ ଜଗୁଆ ପଞ୍ଚାୟତରେ ପ୍ରଦାନ କରାଯାଉଥିବା ଗହମ ଅତ୍ୟନ୍ତ ନିତ୍କୃଷ୍ଟ ମାନର ବୋଲି ଅଭିଯୋଗ ହୋଇଛି। ଗହମରେ ପ୍ରାୟ ଏକ ତୃତୀୟାଶଂ ବାହ୍ୟ ବସ୍ତୁ ମିଶ୍ରଣ ହୋଇଥିବା ଦେଖାଯାଇଛି। ଏନେଇ ଗହମ ବସ୍ତା ଖୋଲି କିଛି ପରିମାଣ କାଢି ଦେଇ ଅଗାଡି ଭରା ଯାଉଥିବା ଆଲୋଚନା ହୋଇଛି। ଗରିବ ଯାହା ଦେଲେ ନେବେ, ସେହି ନ୍ୟାୟରେ ଏଭଳି କାରବାର ଚାଲିଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ କିଛି ଥିଲା ବାଲା ଲୋକ ଯୋଗାଣ ବିଭାଗ ଅଧିକାରୀଙ୍କ ଅନୁକମ୍ପାରୁ ଦାମିକା ବାଇକ ଚଢି ମାଗଣା ରେସନ ନେବାକୁ ପଞ୍ଚାୟତ କାର୍ଯ୍ୟାଳୟ ଆସୁଛନ୍ତି। ସେମାନେ ଯାହା ଦେଲେ ବୋନସ ଭଳି ନେଉଛନ୍ତି। ସେନେଇ ପ୍ରକୃତ ଗରିବ ମଧ୍ୟ ଭୟରେ ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରୁନଥିବା ଟିଟିଲାଗଡ ବ୍ଲକ ସରପଞ୍ଚ ସଂଘ ସଭାପତି ବିରବର ସାହୁ ଅଭିଯୋଗ କରିଛନ୍ତି। ଅତିକମରେ କରୋନା ମହାମାରୀ ଭଳି ଦୁର୍ଦ୍ଦିନରେ ଗରିବ ପରିବାରଙ୍କୁ ଉପଯୁକ୍ତ ମାନର ସାମଗ୍ରୀ ବଣ୍ଟନ କରିବାକୁ ଶ୍ରୀ ସାହୁ ଦାବି କରିଛନ୍ତି।

 

ସରକାରଙ୍କ ବିଭିନ୍ନ ଯୋଜନାରେ ଏବେ ଗାଁରେ ଘରେ ଘରେ ମାଗଣା ବିଦ୍ୟୁତ ସଂଯୋଗ। ପୂର୍ବ ଭଳି ସନ୍ଧ୍ୟା ପୂର୍ବରୁ ଘରେ ଲଣ୍ଠନର କାଚ ଧରି ମହିଳାମାନେ ସଫା କରୁଥିବା କିମ୍ବା ବୋତଲ, ଡବାରେ ପ୍ରସ୍ତୁତ ଡିବିରିରେ କିରାସିନ ଭରିବା ଦୃଶ୍ୟ ବିରଳ। ଏପରିପ୍ରେକ୍ଷୀରେ ଚିରାଚରିତ ଭାବରେ ସରକାରଙ୍କ ପକ୍ଷରୁ ଗରିବ ଉନ୍ନୟନ ଯୋଜନାରେ କିରାସିନ ବଣ୍ଟନ ଅବ୍ୟାହତ ରହିଛି। ତେବେ ଟିଟିଲାଗଡ ବ୍ଲକରେ ପ୍ରକୃତରେ ବର୍ଷ ବର୍ଷ ଧରି ହିତାଧିକାରୀଙ୍କୁ କିରାସିନ ବଣ୍ଟନ କରା ନଯାଇ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି।
ଟିଟିଲାଗଡ ବ୍ଲକ ଯୋଗାଣ ଅଧିକାରୀ ପଦ୍ମଲୋଚନ ମାଝୀଙ୍କ ସୂଚନା ମୁତାବକ ମାସିକ ପ୍ରାୟ ୫୦ ହଜାର ଲିଟର ତାଙ୍କ ବିଭାଗ ଜରିଆରେ ଗାଁ ଗାଁରେ ବଣ୍ଟନ କରାଯାଉଛି। ହେଲେ କ୍ଷେତ୍ର ପରିଦର୍ଶନ କରି ହିତାଧିକାରୀଙ୍କୁ ପଚାରିଲେ କିମ୍ବା ରାସନ କାର୍ଡ ଦେଖିଲେ କିରାସିନ ମିଳୁ ନଥିବା ଅଭିଯୋଗ ହୋଇଛି। ପ୍ରାୟ ପ୍ରତ୍ୟେକ ଘରେ ବିଦ୍ୟୁତ ସଂଯୋଗ ହେବାର ସୁଯୋଗ ନେଇ ଯୋଗାଣ ବିଭାଗ କିରାସିନ କାହାକୁ ବାଣ୍ଟୁଛି ତାହା ବୁଝାପଡୁ ନଥିବା ବୁଦ୍ଧିଜୀବୀ ମହଲରେ ସନ୍ଦେହ ଉପୁଜିଛି। ବିଶେଷ କରି କେତେକ ଟ୍ରକ, ଟ୍ରାକ୍ଟର, ବିଭିନ୍ନ ମେସିନ ଆଦି କିରାସିନରେ ଚାଲୁଥିବା ବେଳେ ଏହା ଏକ ବଡ କଳା କାରବାର ଆଡକୁ ଇଙ୍ଗିତ କରୁଥିବା ଆଲୋଚନା ହୋଇଛି। ମାସିକ ଲକ୍ଷାଧିକ ଟଙ୍କାର ଏହି କାରବାରର ଚେର ତଳୁ ଉପର ପର୍ଯ୍ୟନ୍ତ ଲମ୍ବିଥିବା ଅଭିଯୋଗ ହୋଇଛି। ଏନେଇ ପ୍ରକୃତ ତଦନ୍ତ ହେଲେ ଏକ ବଡ ଗୁମର ଖୋଲିବ ବୋଲି ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ହରିନାରାୟଣ ମିଶ୍ର କହିଛନ୍ତି। ଏସମ୍ପର୍କରେ ଟିଟିଲାଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ଶଙ୍କର୍ଷଣ ଭୋଇଙ୍କୁ ଯୋଗାଯୋଗ କରିବାରୁ ସେ ତଦନ୍ତ କରିବେ ବୋଲି କହିଛନ୍ତି।

Comments are closed.