ସାଧନାର ଶକ୍ତି

0

ମୃତ୍ୟୁ ଆସନ୍ନ ଜାଣି ସଂଗୀତଜ୍ଞ ପିତା ନିଜର ପୁତ୍ର ବୈଜୁକୁ ପାଖକୁ ଡକାଇ କହିଲେ- ମୁଁ ଆଉ ବେଶୀ କ୍ଷଣ ବଞ୍ଚିବି ନାହିଁ। ହେଲେ ମୋର ଗଭୀର ଦୁଃଖ, ଅବସୋସ ରହିଗଲା ଯେ ମୁଁ ତାନ୍‌ସେନ୍‌ଙ୍କ ଉପରେ ପ୍ରତିଶୋଧ ନେଇପାରିଲିନି। ନିଜ ଗର୍ବ, ଔଦ୍ଧତ୍ୟକୁ ନେଇ ସେ ସମ୍ରାଟଙ୍କ ସଭାରେ ମୋତେ ଅପମାନିତ କରିଥିଲେ। ମୋର ସଂଗୀତକୁ ଅବଜ୍ଞା କରିଥିଲେ।
ମୋଗଲ ସମ୍ରାଟ ଆକବରଙ୍କ ଦରବାରରେ ପ୍ରସିଦ୍ଧ ସଂଗୀତଜ୍ଞ ଥିଲେ ତାନସେନ। ପୁଅ ଏହା ଶୁଣିବା ପରେ ପିତାଙ୍କର ଅନ୍ତିମ ଇଚ୍ଛାକୁ ସମ୍ମାନ ଜଣାଇ ପ୍ରତିଶୋଧ ନେବାକୁ ଆଶ୍ବାସନା ଦେଇଥିଲେ। ପିତାଙ୍କ ମୁହଁରେ କ୍ଷୀଣ ହସର ରେଖା ଉକୁଟି ଉଠିଥିଲା। କିଛିକ୍ଷଣ ପରେ ସେ ଦେହତ୍ୟାଗ କରିଥିଲେ। ପିତାଙ୍କ ମୃତ୍ୟୁ ପରେପରେ ଦିନେ ସୁବିଧା ଉଣ୍ଡି ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ବୈଜୁ ଏକ ଶାଣିତ ଛୁରିକା ଧରି ଖୁବ୍‌ ସନ୍ତର୍ପଣରେ ତାନ୍‌ସେନ୍‌ଙ୍କ ଗୃହରେ ପ୍ରବେଶ କରିଥିଲେ। ପିତୃଅପମାନରେ ପ୍ରତିଶୋଧ ବହ୍ନି ହୃଦୟରେ ଦାଉଦାଉ ହୋଇ ଜଳୁଥାଏ। ହେଲେ ଗୃହ ଭିତରେ ପ୍ରବେଶ କରନ୍ତେ ଦେଖିବାକୁ ପାଇଥିଲେ ତାନସେନ୍‌ ସଂଗୀତ ସାଧନାରେ ନିମଗ୍ନ। ମନରେ ହଠାତ୍‌ ଆସିଲା- ସଂଗୀତ ସାଧନାମଗ୍ନ ଜଣେ ବ୍ୟକ୍ତିଙ୍କୁ ମୁଁ ଯଦି ହତ୍ୟାକରେ ତେବେ ମୁଁ ନିଜେ ପତିତ (ନିମ୍ନଗାମୀ) ହୋଇଯିବି। ଏହା ସିଦ୍ଧାନ୍ତ କରି ଫେରି ଆସିଥିଲେ ଓ ପ୍ରତିଶୋଧ ନେବାର ତରିକା ପରିବର୍ତ୍ତନ ନିମନ୍ତେ ମନ ଭିତରେ ନିଶ୍ଚୟ କରିଥିଲେ। ବିକଳ୍ପ ମାର୍ଗ ସ୍ବରୂପ ସେଇ ସଂଗୀତସାଧନାକୁ ବାଛି ନେଇଥିଲେ। କଠୋର ସାଧନା ଶେଷରେ ଫଳବତୀ ହୋଇଥିଲା। ଏ ନିମନ୍ତେ ବେଶ୍‌ କିଛି ମାସ ସମୟ ଲାଗିଥିଲା। ସାଧନାରେ ସେ ଏଭଳି ମଗ୍ନ ହୋଇଗଲେ ଯେ ଖାଇବା, ପିଇବା, ଶୋଇବା, ସବୁକିଛି ଭୁଲି ଯାଇଥିଲେ। ଲୋକେ ତାଙ୍କର ଏଭଳି ମତିଗତି ଲକ୍ଷ୍ୟକରି ତାଙ୍କୁ ‘ପାଗଳ’ ବୋଲି କହିବାକୁ ଲାଗିଲେ। ହେଲେ ବୈଜୁ ନିଜ ସାଧନାରେ ଥିଲେ ଅଟଳ। ସାଧନା ସଫଳ ହେଲା। ଜଣେ ସଂଗୀତଜ୍ଞ ଭାବରେ ତାଙ୍କର ଖ୍ୟାତି ସର୍ବତ୍ର ବ୍ୟାପି ଯାଇଥିଲା। ଲୋକେ ତାଙ୍କର ସୁମଧୁର ସଂଗୀତ ଶୁଣି ଉଛ୍ବସିତ ପ୍ରଶଂସା କଲେ। ଏତେ ପ୍ରଶଂସା ପାଇଲା ପରେ ମଧ୍ୟ ବୈଜୁ ନିରହଙ୍କାରୀ ଥିଲେ। ସମ୍ରାଟ ଆକବରଙ୍କ କାନରେ ଏହା ବାଜିଥିଲା। ନିଜ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ସହିତ ସେ ଆସିଥିଲେ ବୈଜୁଙ୍କ କୁଟୀରକୁ। ସଂଗୀତକୁ ବିଶେଷ ଭଲ ପାଉଥିବାରୁ ଏହାର ମୋହ ତାଙ୍କୁ ଟାଣି ଆଣିଥିଲା ଦରବାରରୁ ଜଣେ ସାଧକଙ୍କ ପର୍ଣ୍ଣ କୁଟୀରକୁ।
ସମ୍ରାଟ ଆକବର ମନ୍ତ୍ରମୁଗ୍ଧ ଭାବରେ ବୈଜୁଙ୍କ ସଂଗୀତ ଶୁଣିଥିଲେ। ସାଥିରେ ଥିବା ତାନସେନ୍‌ ଏବେ ପ୍ରତ୍ୟକ୍ଷ ଭାବରେ ବୈଜୁଙ୍କ ସଂଗୀତର ପ୍ରଶଂସା କରି ନିଜର ହାର୍‌ ସ୍ବୀକାର କରି ସମ୍ରାଟଙ୍କ ଉଦ୍ଦେଶ୍ୟରେ କହିଥିଲେ- ‘ଜାହାଁପନା! ମୁଁ ନିଶ୍ଚିତରେ ଆପଣଙ୍କୁ ଖୁସି କରିବା ପାଇଁ ଗାଇଥାଏ। ହେଲେ ବୈଜୁଙ୍କ କଣ୍ଠରେ ସ୍ବୟଂ ବାଗ୍‌ଦେବୀ ଅବସ୍ଥାନ କରିଛନ୍ତି। ସେ ସରସ୍ବତୀଙ୍କର ଉପାସକ ଓ ତାଙ୍କ ନିମିତ୍ତ ହିଁ ଗାଉଛନ୍ତି।
ବୈଜୁଙ୍କ ଧ୍ୟାନକୁ ଆସି ନଥିଲା ଯେ ସେ ନିଜ ସାଧନା ବଳରେ ତାନସେନଙ୍କ ମନୋଭାବ ବଦଳାଇବାରେ ସକ୍ଷମ ହୋଇଛନ୍ତି ବୋଲି। ଏହା ଶୁଣିବାପରେ ପ୍ରତିଶୋଧ ନେବାର ଭାବନା ତାଙ୍କ ମନ ଭିତରୁ ଉଭେଇ ଯାଇଥିଲା। ଏହି ସମୟରେ ହିଁ ତାଙ୍କ ମନକୁ ଆସିଥିଲା ସେଦିନ ଯଦି ସେ ତାନ୍‌ସେନ୍‌ଙ୍କୁ ଶେଷ କରି ଦେଇଥାନ୍ତେ ତା’ହେଲେ ଜଣେ ଶ୍ରେଷ୍ଠ ସଂଗୀତଜ୍ଞଙ୍କଠାରୁ ଏଭଳି ପ୍ରଶଂସା ଶୁଣି ପାରି ନଥାନ୍ତେ କି ଆଜି ଏତେ ଶିଖରକୁ ମଧ୍ୟ ଉଠିପାରି ନଥାନ୍ତେ।

Leave A Reply