ସମ୍ବେଦନଶୀଳ ସ୍ଥାନରେ ଲାଗିବ ସିସିଟିଭି

0

ଭୁବନେଶ୍ୱର: ପ୍ରତିବର୍ଷ ଟ୍ରେନ୍‍ ଧକ୍କାରେ ଅନେକ ଲୋକ ମୃତ୍ୟୁବରଣ କରୁଥିବା ବେଳେ ଅନୁପ୍ରବେଶ ଯୋଗୁଁ ମୃତାହତଙ୍କ ସଂଖ୍ୟା ଅଧିକ ରହୁଛି। ଏଥିପାଇଁ ରେଳବାଇକୁ ମଧ୍ୟ କ୍ଷତି ସହିବାକୁ ପଡୁଛି। ବିଶେଷକରି ଅନଧିକାର ଭାବେ ଲୋକେ ରେଳ ଧାରଣା ଅତିକ୍ରମ କରିବା ଏକ ସାଧାରଣ କଥା ହୋଇଛି। ଏପରିସ୍ଥଳେ ରେଳ ଧାରଣା ଉପରକୁ ଅନୁପ୍ରବେଶ କରୁଥିବା ଲୋକଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ପୂର୍ବତଟ ରେଳପଥ। ବିନା ଅନୁମତିରେ ରେଳ ଧାରଣା ଉପରେ ବୁଲାବୁଲି ଅବା ଅତିକ୍ରମ କରୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦିଆଯାଇଛି।
ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଆରପିଏଫ୍‍ ପକ୍ଷରୁ ଏସମ୍ପର୍କିତ ୨୨୮୮ଟି ମାମଲା ରୁଜୁ ହୋଇଥିବା ବେଳେ ୨୨୯୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଦୁର୍ଘଟଣା ପ୍ରବଣ ସ୍ଥାନମାନଙ୍କରେ ସିସିଟିଭି ଲଗାଯିବା ସହ ରେଳ ଧାରଣା କଡ଼ରେ ରହୁଥିବା ଲୋକଙ୍କୁ ସଚେତନ କରିବା ଆରମ୍ଭ ହୋଇଛି। ରେଳବାଇ ଆଇନ୍‍ର ଧାରା ୧୪୭ ଅନୁସାରେ ରେଳ ଧାରଣା କିମ୍ବା ରେଳବାଇ କ୍ଷେତ୍ର ମଧ୍ୟକୁ ଅନଧିକାର ପ୍ରବେଶ କଲେ ୬ ମାସ ପର୍ଯ୍ୟନ୍ତ କାରାଦଣ୍ଡ ସହ ୧ ହଜାର ଟଙ୍କାର ଜୋରିମାନା ଆଦାୟ ବ୍ୟବସ୍ଥା ରହିଛି। ଏପରି ବେଆଇନ୍‍ କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇବା ଲକ୍ଷ୍ୟରେ ପ୍ରତ୍ୟେକ ଛୋଟ ଓ ବଡ଼ ରେଳ ଷ୍ଟେସନ୍‍ ସମେତ ପାସେଞ୍ଜର ହଲ୍ଟରେ ଫୁଟ୍‍ ଓଭର ବ୍ରିଜ୍‍ ନିର୍ମାଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଛି।
ଅନେକ ଷ୍ଟେସନ୍‍ରେ ଏ ନେଇ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ସେହିପରି ସମସ୍ତ ଲେଭେଲ୍‍ କ୍ରସିଂଗୁଡ଼ିକୁ ବନ୍ଦ କରିବା ପାଇଁ ଲକ୍ଷ୍ୟ ରହିଛି। ସଚେତନତା ପାଇଁ ରେଳବାଇ ପକ୍ଷରୁ ଗଣମାଧ୍ୟମରେ ବିଜ୍ଞାପନ ସହ ପୋଷ୍ଟର ଲଗାଇବା, ପ୍ରଚାର ପତ୍ର ବଣ୍ଟନ, ପଥପ୍ରାନ୍ତ ନାଟକ ଆୟୋଜିତ ହେଉଛି। ତେବେ ଏହା ସତ୍ତ୍ବେ ଅନେକ ସ୍ଥାନରେ ଲୋକେ ଶିଘ୍ର ରେଳ ଧାରଣା ଅତିକ୍ରମ କରିବା ଉଦ୍ଦେଶ୍ୟରେ ନିୟମକୁ ଉଲଂଘନ କରୁଥିବା ବେଳେ ଏହା ଭୟଙ୍କର ଦୁର୍ଘଟଣାର କାରଣ ପାଲଟୁଛି। ସାମାନ୍ୟ ସୁବିଧା ପାଇଁ ଅନେକ ମୂଲ୍ୟବାନ ଜୀବନ ଅକାଳରେ ଚାଲି ଯାଉଛି। ଏହାକୁ ଦୃଷ୍ଟିରେ ରଖି ବେଆଇନ୍‍ ଭାବେ ରେଳ ଧାରଣା ଅତିକ୍ରମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରିଛି ପୂର୍ବତଟ ରେଳପଥ। ବେଆଇନ୍‍ ଭାବେ ରେଳ ଲାଇନ୍‍ ଅତିକ୍ରମ କରିବା ନେଇ ୨୦୧୬ ମସିହାରେ ପୂର୍ବତଟ ରେଳପଥ ଆରପିଏଫ୍‍ ପକ୍ଷରୁ ୨୩୮୪ଟି ମାମଲା ରୁଜୁ କରାଯାଇ ୨୩୮୭ ଜଣଙ୍କୁ ଗିରଫ କରାଯାଇ ଥିବା ବେଳେ ୨୦୧୭ରେ ୩୩୭୫ଟି ମାମଲା ରୁଜୁ କରାଯାଇ ୩୩୭୮ ଜଣଙ୍କୁ ଗିରଫ କରାଯାଇ ଥିଲା। ରେଳବାଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ବାରମ୍ବାର ରେଳ ଟ୍ରାକ୍‍ରେ ଦୁର୍ଘଟଣା ଘଟୁଥିବା ଏବଂ ଅଧିକ ସଂଖ୍ୟକ ଲୋକ ଟ୍ରାକ୍‍ ଅତିକ୍ରମ କରୁଥିବା ସ୍ଥାନମାନ ଚିହ୍ନଟ କରାଯାଇ ସେଠାରେ ସିସିଟିଭି ଲଗାଯିବ। କ୍ୟାମେରା ଜରିଆରେ ରେଳ କର୍ମଚାରୀ ସେହି ସ୍ଥାନ ଉପରେ ନିୟମିତ ନଜର ରଖିବା ସହ ଆବଶ୍ୟକୀୟ ପଦକ୍ଷେପ ନେବେ। ସେହିପରି ଜନବସତି ଅଞ୍ଚଳରେ ରେଳ ଧାରଣାକୁ ପାଚେରୀ ନିର୍ମାଣ କରି ଆବଦ୍ଧ କରାଯିବା ସହ ସ୍ଥାନୀୟ ଲୋକଙ୍କୁ ଏନେଇ ସଚେତନ କରାଯିବ। ଏଥିସହ ରେଳବାଇ ଜମିରୁ ଜବରଦଖଲ ଉଚ୍ଛେଦକୁ ତ୍ୱରାନ୍ୱିତ କରାଯିବ ବୋଲି ସେ କହିଛନ୍ତି।

Leave A Reply