ସମସ୍ତଙ୍କ ପାଇଁ ନିଶ୍ଚିତ ଆୟ

0

ଭାରତ ଏକ ପେନସନ୍‌ଭିତ୍ତିକ ସମାଜ ଆଡ଼କୁ ମୁହାଁଉଛି। ଦେଶର ପ୍ରତ୍ୟେକ ନାଗରିକଙ୍କୁ ନିର୍ଦିଷ୍ଟ ପରିମାଣର ନିଶ୍ଚିତ ଆୟ ଯୋଗାଇ ଦେବାର ପରିକଳ୍ପନା ସପକ୍ଷରେ ବର୍ତ୍ତମାନର ସରକାର, ନୀତି ଆୟୋଗ, ଅର୍ଥନୈତିକ ସର୍ଭେ ରିପୋର୍ଟ ଓ କେତେକ ଅର୍ଥଶାସ୍ତ୍ରୀ ବିଚାର ଆଲୋଚନା ଜାରି ରଖିଥିବାବେଳେ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ କହିଛନ୍ତି ଯେ ତାଙ୍କ ଦଳ କ୍ଷମତାକୁ ଆସିଲେ ଏହି ଯୋଜନାକୁ ଲାଗୁ କରିବ। ଗତ କେଇ ବର୍ଷ ଧରି ଏ ନେଇ ସରକାରୀ ସ୍ତରରେ ବିଚାରଆଲୋଚନା ଚାଲିଆସୁଛି ଏବଂ ଏହି ଯୋଜନାର ରୂପରେଖ ପ୍ରସ୍ତୁୁତି ପାଇଁ କସ୍‌ରତ ମଧ୍ୟ ଅବ୍ୟାହତ ରହିଛି। ଏହି ଯୋଜନାସହ ଭୋଟ ରାଜନୀତିର ସମ୍ପର୍କ ରହୁଥିବାରୁ ନେତାମାନେ ଏହାକୁ କାର୍ଯ୍ୟକାରୀ କରିବାନେଇ ବ୍ୟଗ୍ର ହେବା ସ୍ବାଭାବିକ। ତେବେ ଏହାର ଆର୍ଥିକ ଦିଗଟି ଦେଶର ଅର୍ଥନୀତି ସହ ସଂଯୁକ୍ତ ହୋଇଥିବାରୁ ଏହା ଉପରେ ଅଧିକ ବିଚାରବିମର୍ଶ ସରକାରୀ ସ୍ତରରେ ହେବା ସ୍ବାଭାବିକ। ବିଭିନ୍ନ ଉନ୍ନତ ରାଷ୍ଟ୍ରରେ ଏହି ଯୋଜନା କାର୍ଯ୍ୟକାରୀ ହେବାପରେ ଏହାର ପ୍ରଭାବ ଭାରତ ଉପରେ ପଡ଼ୁଛି। ତେଣୁ ବିଶ୍ବର ଅନ୍ୟତମ ପ୍ରମୂଖ ଅର୍ଥନୈତିକ ଶକ୍ତିଭାବେ ଆତ୍ମପ୍ରକାଶ କରିଥିବା ଭାରତରେ ଏହାର କାର୍ଯ୍ୟକାରିତା ନେଇ ସମସ୍ତେ ଆଶା କରିବା ସ୍ବାଭାବିକ। ନିର୍ବାଚନ ବର୍ଷର ବଜେଟରେ (ଲେଖାନୁଦାନ ହେଉ ପଛକେ) ​‌ମୋଦୀ ସରକାର ବିରୋଧୀଙ୍କୁ ଚମତ୍କୃତ କରିବାପାଇଁ ଏହାର କିଛି ନମୁନା ଉପସ୍ଥାପନ କରିପାରନ୍ତି।
ତେବେ ପ୍ରଶ୍ନ ଉଠୁଛି ସମସ୍ତଙ୍କୁ ନିଶ୍ଚିତ ଆୟ ପ୍ରଦାନ କାର୍ଯ୍ୟକ୍ରମଟିର ରୂପରେଖ କ’ଣହେବ, ଏ ବାବଦ ଅର୍ଥ କେଉଁଠୁ ଆସିବ ଓ ଦେଶର ରାଜକୋଷ ଉପରେ ଏହାର ବୋଝ କେତେ ରହିବ? ଏହା ଏକ ସାର୍ବଜନୀନ ଆୟ ଯୋଜନା ହୋଇଥିବାରୁ ସରକାରଙ୍କୁ ସବୁବର୍ଗର ପ୍ରତ୍ୟେକ ପରିବାରକୁ ଏହା ଯୋଗାଇ ଦେବାକୁ​‌ ହେବ। ପ୍ରତ୍ୟେକ ପରିବାର ସରକାରୀ ପେନସନ ବାବଦରେ ମାସିକ ଏକ ନିର୍ଦିଷ୍ଟ ଅର୍ଥ କେନ୍ଦ୍ର ସରକାରଙ୍କଠାରୁ ପାଇବେ। ଇତିମଧ୍ୟରେ ଛ’ଜଣ ଅର୍ଥନୀତିଜ୍ଞ ଏହାର ଏକ ଖସଡ଼ା ଅଲଗାଅଲଗା ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ମାସିକ ପେନସନ୍‌ ୧୫୦୦ଟଙ୍କାରୁ ତିନିହଜାର ଟଙ୍କା ପର୍ଯ୍ୟନ୍ତ ଦେବାର ହିସାବ ରଖାଯାଇଛି। ସେହିଭଳି ଏହି ଯୋଜନା ପ୍ରବର୍ତ୍ତିତ ହେଲେ ଜିଡିପିରେ ଏହାର ଅଂଶ କେତେ ହେବ ଏବଂ ଏଥିପାଇଁ କେଉଁକେଉଁ ସୂତ୍ରରୁ ଅର୍ଥ ଆସିବ ତାହାର ମଧ୍ୟ ଚିଠା ପ୍ରସ୍ତୁୁତ କରାଯାଇଛି।
ସତକଥା ହେଲା ସରକାରଙ୍କ ପାଖରେ ଟଙ୍କା ଗଛ ନାହିଁ ଯେ ଇଚ୍ଛାମତେ ତୋଳି ଆଣି ଲୋକଙ୍କୁ ବାଣ୍ଟିବେ। ତେଣୁ ଏଭଳି ନୂଆ ଯୋଜନାଟିଏ କାର୍ଯ୍ୟକାରୀ କଲେ ସରକାର ଗୋଟିଏ ହାତରେ ଦେ​‌େ​‌ବ ଓ ଅନ୍ୟହାତରେ ନେବେ। ଏବେ ବିଭିନ୍ନ ଯୋଜନା​‌ରେ ସରକାର ଯେଉଁ ବିପୁଳ ଅର୍ଥ ଲୋକଙ୍କୁ ସବ୍‌ସିଡି ଆକାରରେ ଯୋଗାଉଛନ୍ତି ତାହାକୁ ବନ୍ଦ କରି ସେ ବାବଦ ଅର୍ଥ ସହିତ ଆଉ କିଛି ମିଶାଇ ସାର୍ବଜନୀନ ପେନସନ୍‌ ଯୋଜନାରେ ଲୋକଙ୍କୁ ଆୟ ଦେବା ଏକ ପ୍ରକାର ଚୂଡ଼ାନ୍ତ ହୋଇଛି। ଏହାଫଳରେ ସାଧାରଣ ବଣ୍ଟନ ବ୍ୟବସ୍ଥା, ଏମ୍‌ଜି ନରେଗା ଓ ଆଉକେତେକ କ୍ଷେତ୍ରରେ ଲୋକେ ଯେଉଁ ସବ୍‌ସିଡି ପାଉଛନ୍ତି ତାହାକୁ ଉଠାଇ ଦିଆଯିବା ପ୍ରାୟ ନିଶ୍ଚିତ। ସେଇଭଳି କେତେକ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ବନ୍ଦ କରିବାକୁ ପଡ଼ିବ। କେତେକ ଉଦ୍ୟୋଗ ଓ ଘରୋଇ କମ୍ପାନୀ ଯେଉଁ ଟିକସ ରିଆତି ପାଉଛନ୍ତି ତାହା ମଧ୍ୟ ବନ୍ଦ ହେବ ଏବଂ ଆୟକର କ୍ଷେତ୍ରରେ ଚାକିରିଆ ଶ୍ରେଣୀଙ୍କୁ ମିଳୁଥିବା ରିଆତି ମଧ୍ୟ ଆଉ ମିଳିବ ନାହିଁ। ହିସାବ ଅନୁସାରେ ଦେଶର ଅଣ ଗରିବ ବର୍ଗ ଏବେ ବିଭିନ୍ନ ଯୋଜନାରେ ଯେଉଁସବୁ ରିଆତି ପାଉଛନ୍ତି ତାହାର ପରିମାଣ ଦେଶର ମୋଟ ଜିଡିପିର ୯ ଭାଗ। ଅତଏବ ହିସାବପତ୍ରରେ ଦେଖିଲେ ସବୁ ଲୋକଙ୍କୁ ସରକାର ପେନସନ ଦେଲେ ଅର୍ଥର ବିଶେଷ ଅଭାବ ରହିବନାହିଁ। ହିସାବ ଅନୁସାରେ ମାସିକ ପ୍ରତ୍ୟେକ ବ୍ୟକ୍ତିକୁ ଯଦି ୧୦୦୦ରୁ ୧୫୦୦ ଟଙ୍କାର ​‌େପନସନ୍‌ ଦିଆଯାଏ ତେବେ ଏ ବାବଦ ମୋଟ ଜାତୀୟ ଖର୍ଚ୍ଚର ପରିମାଣ ଜିଡିପିର ୧୧ ଶତାଂଶରୁ ଅଧିକ ହେବନାହିଁ।
ତେବେ ଏହି ଯୋଜନା କାର୍ଯ୍ୟକାରୀ ହେଲେ ସବୁ ବୟସ୍କ, ବିଧବା, ଶାରୀରିକ ଅକ୍ଷମ ବା ଭିନ୍ନକ୍ଷମ, ଗର୍ଭବତୀ ମହିଳା ଏବେ ଯେଉଁ ପେନସନ୍‌ ପ୍ରତି ମାସରେ ପାଉଛନ୍ତି ସେମାନଙ୍କୁ ଏହା ମିଳିନ’ପାରେ। ଏହା ଏକ ଚମତ୍କାରୀ ଯୋଜନା ନୁହେଁ; ବରଂ ରିଆତି ବ୍ୟବସ୍ଥାକୁ ଉଚ୍ଛେଦକରି ସମସ୍ତଙ୍କୁ କିଛି ଆୟ ଯୋଗାଇଦେବାର ଏକ ଅଭିନବ ପରୀକ୍ଷାନିରୀକ୍ଷା କୁହାଯାଉଛି। ନିଶ୍ଚିତ ଆୟ ଯୋଜନା ପ୍ରବର୍ତ୍ତନ ହେଲେ ଦେଶରୁ ଦାରିଦ୍ର୍ୟ ଉଲ୍ଲେଖନୀୟ ଭାବେ କମିବ; କାରଣ ଯାହାର ନିଶ୍ଚିତ କିଛି ଆୟଉତ୍ସ ରହିବ ସେ ଆଉ ଗରିବରେ ଗଣାହେବ କେମିତି? ଏଥିରେ ସମସ୍ତେ ଅନ୍ତର୍ଭୁକ୍ତ ​‌େ​‌ହବାକୁ ଥିବାରୁ ଧନୀନିର୍ଦ୍ଧନ ନିର୍ବିଶେଷରେ ସମସ୍ତେ ଏହି ଆୟ ପାଇବେ। ସମସ୍ତେ ଆର୍ଥିକ ସମାବେଶୀ ପ୍ରକ୍ରିୟାରେ ସାମିଲ ହେବେ। ତେବେ ସ୍ବଚ୍ଛଳ ଓ ଅତିସ୍ବଚ୍ଛଳ ବର୍ଗଙ୍କ ପାଇଁ ଏହା ନିଶ୍ଚିତ ଏକ ଜାତୀୟ ଉପହାର ସଦୃଶ ହେବ।
ପ୍ରତ୍ୟେକ ଯୋଜନାର ଭଲ ଓ ମନ୍ଦ ଦିଗ ରହିଛି। ଏହି ଯୋଜନାର କଳାଦାଗ ରହିବା ଅବଶ୍ୟମ୍ଭାବୀ। ଏହା ଏକ ଅତିରିକ୍ତ ଆୟ ହୋଇଥିବାରୁ ଲୋକେ, ବିଶେଷ କରି ପରିବାରର ପୁରୁଷମାନଙ୍କ ବଦଖର୍ଚ୍ଚ ବଢ଼ିପାରେ। ସେହିଭଳି ଲୋକେ ଶ୍ରମପ୍ରତି କୁଣ୍ଠାପ୍ରକାଶ କରିବେ ଯା’ଦ୍ବାରା ଶ୍ରମବଜାର ପ୍ରଭାବିତ ହୋଇପାରେ। ସର୍ବୋପରି ଏଭଳି ଯୋଜନା ଥରେ ପ୍ରଣୟନ ହେଲେ ଏହାକୁ ଭବିଷ୍ୟତରେ ବନ୍ଦ କରିବା ସରକାରଙ୍କ ପକ୍ଷେ ସହଜ ହେବନାହିଁ। ଅପେକ୍ଷା କରିବା ଏଥର ନିର୍ବାଚନ ବର୍ଷରେ ଏମିତି କିଛି ଅଭିନବ ଯୋଜନା କାର୍ଯ୍ୟକାରୀ ହେଉଛି କି ନାହିଁ?

Leave A Reply